Latest Odisha News

BREAKING NEWS

ଶ୍ରୀମନ୍ଦିରରେ ସମ୍ପନ୍ନ ହେଲା ରୁକ୍ମଣୀ ହରଣ ନୀତି

ପୁରୀ: ଜ୍ୟେଷ୍ଠ ମାସ ଶୁକ୍ଳ ଏକାଦଶୀ ଦିନ ଶ୍ରୀମନ୍ଦିରରେ  ରୁକ୍ମିଣୀ ହରଣ ଓ ଶ୍ରୀକୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା  ଶ୍ରୀ ମଦନମୋହନ ଭଗବାନ ଶ୍ରୀକୃଷ୍ଣଙ୍କ ରୂପରେ ସମସ୍ତ ନୀତି ସମ୍ପାଦନ କରିଥାନ୍ତି । ଶ୍ରୀମନ୍ଦିରରେ ସକାଳ ଧୂପ ପୂଜା  ଉତାରେ ବେହରଣ ଦ୍ବାର ନିକଟସ୍ଥ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ କରା ଯାଇଥାଏ । ଧୂପ ବଢ଼ି ଶେଷ ହେବ ପରେ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞାମାଳ ପ୍ରାପ୍ତ ହୋଇ ଶ୍ରୀଦେବୀ “ରୁକ୍ମିଣୀ” ମହାଜନମାନଙ୍କ ହାତରେ ବିଜେ ହୋଇ ସାତ ପାହାଚ ନିକଟରେ ଥିବା ପାଲିଙ୍କିରେ ବିଜେ ହୋଇ ବିମାନବଡୁ ସେବକଙ୍କ ଦ୍ଵାରା ଶ୍ରୀ ମହାଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନର ଖଟରେ ବିଜେ କରାନ୍ତି । ସେଠାରେ ଠାକୁରାଣୀଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମାଜଣା, ବନକଲାଗି  ହୋଇ ଅଳଙ୍କାର ଲାଗି ହୋଇ ଥାଆନ୍ତି ।

ଏହି ବେଶ ହେଉଥିବା ସମୟରେ ତଢ଼ାଉ କରଣ  ହାତରେ ତାଳପତ୍ର ଓ ଲେଖନୀ ନେଇ ସେଠାରେ ପହଞ୍ଚି ଯାଆନ୍ତ। ଭିତରଛୁ ମହାପାତ୍ର ସେବକ ଏହି ତାଳପତ୍ର ଓ ଲେଖନୀ ରୁକ୍ମିଣୀ ଶ୍ରୀଦେବୀଙ୍କ ଶ୍ରୀହସ୍ତ ଛୁଆଇଁ ତଢ଼ାଉ କରଣଙ୍କୁ ଦେବାରେ ସେଥିରେ ସେ ଚିଟାଉ ଲେଖିଥିଲେ ।  ଉକ୍ତ ଚିଟାଉ କୁ ଜଣେ ସେବକ ବିପ୍ର ବ୍ରାହ୍ମଣ ବେଶରେ ଯାଇ ଜଗମୋହନ ଦ୍ୱାର ନିକଟରେ ଦଣ୍ଡାୟମାନ ହୋଇଥିଲେ । ଶ୍ରୀ ମଦନମୋହନଙ୍କ ଆଜ୍ଞା ପାଇବା ପରେ ବ୍ରାହ୍ମଣ ଉକ୍ତ ଚିଟାଉ କୁ ମଦନମୋହନ ଙ୍କୁ ଦେଇଥିଲେ ।

ପରେ ମଦନମୋହନ ବିମାନରେ ବସି ବିମଳା ମନ୍ଦିର ନିକଟରେ ଜଗି ରହିଥିଲେ । ଅପରପଟେ ରୁକ୍ମଣୀ ରୂପୀ  ମହାଲକ୍ଷ୍ମୀ ଗ୍ରାମ ଦେଵତୀଙ୍କ ପୂଜାର୍ଚ୍ଚନା କରି ଆଶ୍ରିବାଦ ନେବା ପାଇଁ ଶ୍ରୀ ବିମଳାଙ୍କ ମନ୍ଦିର କୁ ବିଜେ କରିଥିଲେ । ପୂଜାର୍ଚ୍ଚନା କରି ମାଙ୍କ ଠାରି ଆଜ୍ଞାମାଳ ପ୍ରାପ୍ତ ହୋଇ ଫେରିବା ବାଟରେ ସେଠାରେ ପୂର୍ବରୁ ଲୁଚି ରହିଥିବା  କୃଷ୍ଣ ରୂପୀ ଶ୍ରୀ ମଦନମୋହନ ରକ୍ମଣୀଙ୍କୁ ହରଣ କରନ୍ତି ।  ଏ ସମ୍ବାଦ ପାଇବା ପରେ ରକ୍ମଣୀଙ୍କୁ ବିବାହ ନିମନ୍ତେ ଆସିଥିବା ଶିଶୁପାଳ ଶ୍ରୀମଦନମୋହନ ଙ୍କୁ ଅଟକାଇଥିଲେ  । ଯାହାଫଳରେ ଶିଶୁପାଳ ଏବଂ ଶ୍ରୀମଦନମୋହନଙ୍କ ମଧ୍ୟର ଯୁଦ୍ଧ ହୋଇଥିଲା। ଦୁଇଜଣ ସେବକ ଶ୍ରୀମଦନମୋହନ ଏବଂ ଶିଶୁପାଳ ଭୂମିକାରେ ଅବତୀର୍ଣ୍ଣ ହୋଇ ଯୁଦ୍ଧ କରିଥିଲେ ।

ଶେଷରେ ଶିଶୁପାଳ ଯୁଦ୍ଧରେ ପରାସ୍ତ ହୋଇ ବିମାନରେ ବନ୍ଧା ହୋଇଥିଲେ । ଖବର ପାଇ ବଳଭଦ୍ରଙ୍କ ଚଳନ୍ତିପ୍ରତିମା  ଶ୍ରୀରାମକୃଷ ପାଲିଙ୍କିରେ ଆସି ଶିଶୁପାଳ କୁ ବନ୍ଧନ ମୁକ୍ତ କରି  ଶ୍ରୀକୃଷ୍ଣ ଓ ରୁକ୍ମଣୀଙ୍କ ବିବାହ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।ପରେ ନବ ଦମ୍ପତି ମାଜଣା ମଣ୍ଡପରେ  ବିଜେ କରିଥିଲେ ।  ଶ୍ରୀମନ୍ଦିରରେ ସାନ୍ଦ୍ୟ ଧୂପ ସମ୍ପନ୍ନ ହେବା ପରେ  ଦେବ ଦମ୍ପତିଙ୍କ ବିବାହ  ନୀତି ସମ୍ପନ୍ନ ହେବାର ନୀତି ରହିଛି ।  ରକ୍ମଣୀ ବିବାହ ଉପଲକ୍ଷେ ଶ୍ରୀମନ୍ଦିର ଚାରି ଦ୍ୱାରାକୁ ବିଭିନ୍ନ ଫୁଲରେ ସୁସଜିତ କରାଯିବା ସହ ମଙ୍ଗଳବାଦ୍ୟ ବଜାଯାଇଥିଲା ।

Leave A Reply

Your email address will not be published.