Latest Odisha News

BREAKING NEWS

ଚାଷୀଙ୍କୁ ନେଇ ଘନେଇଲା ବିବାଦ, ମିଲର୍ସମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି : ବିଜେପି

ଭୁବନେଶ୍ବର : ଚାଷୀ ସମସ୍ୟାକୁ ନେଇ ଶାସକ ବିଜେଡି ଓ ବିଜେପି ମୁହାଁମୁହିଁ । ଉଷୁନା ଚାଉଳ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟରେ ଉତ୍ପାଦିତ ହେଉଥିବା ଉଷୁନା ଚାଉଳର ୫୦ ପ୍ରତିଶତ କେନ୍ଦ୍ର ନେବ ବୋଲି କହୁଛି । କିନ୍ତୁ ଉତ୍ପାଦିତ ଉଷୁନା ଚାଉଳ କିଣାରେ କେନ୍ଦ୍ର ପଛ ଘୁଞ୍ଚା ଦେଉଛି ବୋଲି ବିଜେଡିର ତିନି ବିଧାୟକ ସାମ୍ବାଦିକ ସମ୍ମିଳନୀରେ କରିଥିଲେ ଅଭିଯୋଗ । ଯାହାର ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଲେଖାଶ୍ରୀ ସାମନ୍ତ ସିଂହାର। କହିଛନ୍ତି- ଚାଷୀଙ୍କ ପାଇଁ ନୁହେଁ, ମିଲରଙ୍କ ପାଇଁ ଓକିଲାତି କରୁଛି ବିଜେଡି।

ସାମ୍ୱାଦିକ ସମ୍ମିଳନୀରେ ବିଜେଡି ନେତା ରୋହିତ ପୂଜାରୀ ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଚଳିତବର୍ଷ ମୋଟ୍‌ ୮୨ ଲକ୍ଷ ମେଟ୍ରିକ ଟନ୍‌ ଧାନ କିଣାଯିବା ଲକ୍ଷ୍ୟ ରହିଛି। ଧାନ କିଣା ନେଇ ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇଛନ୍ତି ରାଜ୍ୟ ସରକାର । ହେଲେ ଏନେଇ କେନ୍ଦ୍ର ଏଯାଏଁ ରାଜ୍ୟ ସରକାରଙ୍କୁ ଟଙ୍କା ଦେଇନି। କେନ୍ଦ୍ର ଉଷୁନା ଚାଉଳ ନନେଲେ ଓଡ଼ିଶା ଉପରେ ଅଯଥା ଆର୍ଥିକ ବୋଝ ପଡ଼ିବ।

ବିଜେଡିର ଏହି ଆରୋପର ଜବାବ ଦେଇଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି, ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । କେନ୍ଦ୍ର ସରକାର ଧାନର ଏମଏସପି ୧୮୬୪ ଟଙ୍କା ଦେଉଥିବା ବେଳେ, ମଣ୍ଡିରେ ୩ କେଜିରୁ ୮ କେଜି କଟନି ଛଟନି ହେଉଥିବାରୁ ପ୍ରକୃତ ମୂଲ୍ୟ ପାଇପାରୁନାହାନ୍ତି ଚାଷୀ । ଧାନ କିଣା ପାଇଁ କେନ୍ଦ୍ର ୧୮ ହଜାର କୋଟିରୁ ଅଧିକ ଟଙ୍କା ଦେଇଥିଲେ ବି ଅଧିକାଂଶ ଜିଲ୍ଲାରେ ଖୋଲିନି ଧାନମଣ୍ଡି । ଡିସେମ୍ବର ପହିଲାରୁ ମଣ୍ଡି ଖୋଲିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା, ସେନେଇ ଚାଷୀ ଜାଣିନାହାନ୍ତି ବୋଲି ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, କଟନି ଛଟନି ନାଁରେ କଟାଯାଉଥିବା ଧାନର ଅର୍ଥ ବିଜେଡି ଆକାଉଣ୍ଟକୁ ଯାଉଛି । ସବୁବେଳେ କେନ୍ଦ୍ରକୁ ଦୋଷ ଦେଉଥିବା ବିଜେଡି କାହିଁକି ଧାନ କିଣୁନାହିଁ ? ଏହାସହ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟ ସରକାର କେତେ ଧାନ କିଣିଛନ୍ତି କହି ବିଜେଡିକୁ ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ । ଆଗାମୀ ଦିନରେ ଆରଡିସି ଅଫିସ ଘେରାଉ ଥିବାରୁ ବିଜେଡି ମନରେ ଛନକା ପଶିଲାଣି ବୋଲି କହିଛି ବିଜେପି ।

Comments are closed.