Latest Odisha News

BREAKING NEWS

କ୍ଷେପଣାସ୍ତ୍ର ନିର୍ମାଣରେ ଇରାନକୁ ସାହାଯ୍ୟ କରୁଛି ଋଷିଆ !

ନୂଆଦିଲ୍ଲୀ: ଆମେରିକାର ନୌସେନା ଯୁଦ୍ଧପୋତଗୁଡ଼ିକୁ ସହଜରେ ଟାର୍ଗେଟ କରିବା ପାଇଁ ଋଷିଆ ଗୋପନରେ ଇରାନକୁ ଅତ୍ୟାଧୁନିକ ସୁପରସୋନିକ୍ କ୍ରୁଜ୍ ମିସାଇଲ ପ୍ରଯୁକ୍ତିବିଦ୍ୟା ଯୋଗାଉଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଗଣମାଧ୍ୟମରେ ଆସିଥିବା ରିପୋର୍ଟ ଅନୁସାରେ, ୨୦୨୩ ମସିହାରୁ ‘C430L’ ନାମକ ଏକ ଗୋପନୀୟ କାର୍ଯ୍ୟକ୍ରମ ଜରିଆରେ ଋଷିଆର ବଡ଼ ବଡ଼ ମିସାଇଲ ବିଶେଷଜ୍ଞମାନେ ଇରାନକୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ତିଆରି କରିବାରେ ବୈଷୟିକ ସାହାଯ୍ୟ କରୁଛନ୍ତି।

ଏହି ସୁପରସୋନିକ୍ ମିସାଇଲରେ ପ୍ରୋପଲସନ୍ ସିଷ୍ଟମ ବ୍ଯବହାର କରାଯାଉଛି, ଯାହା ମିସାଇଲକୁ ଶବ୍ଦର ବେଗଠାରୁ ଅନେକ ଗୁଣ ଅଧିକ ବେଗରେ ଗତି କରିବାକୁ ସକ୍ଷମ କରିଥାଏ। ଏହି ମିସାଇଲଗୁଡ଼ିକ ସମୁଦ୍ରର ଅତି କମ୍ ଉଚ୍ଚତାରେ ଉଡ଼ିପାରୁଥିବାରୁ ଆମେରିକୀୟ ଯୁଦ୍ଧପୋତ, ବିମାନବାହୀ ଜାହାଜ ଏବଂ ଆଞ୍ଚଳିକ ପ୍ରତିରକ୍ଷା ସିଷ୍ଟମ୍ ଏହାକୁ ସହଜରେ ଚିହ୍ନଟ କରିବା ବା ରୋକିବା କଷ୍ଟକର ହୋଇପଡ଼ିବ।

ଲିକ୍ ହୋଇଥିବା ରୁଷୀୟ ଦସ୍ତାବିଜ୍ ଏବଂ ଭ୍ରମଣ ରେକର୍ଡ ଅନୁସାରେ, ଋଷିଆର ସରକାରୀ ଅସ୍ତ୍ର ରପ୍ତାନିକାରୀ ସଂସ୍ଥା ‘ରୋସୋବୋରୋନଏକ୍ସପୋର୍ଟ’ ଏବଂ ବାଲାଷ୍ଟିକ୍ ମିସାଇଲ ନିର୍ମାତା ‘NPO ମାସିନୋଷ୍ଟ୍ରୋୟେନିଆ’ର ପ୍ରମୁଖ ଇଞ୍ଜିନିୟରମାନେ ଇରାନ ଗସ୍ତ କରି ସେଠାକାର ଗବେଷକମାନଙ୍କୁ ଆବଶ୍ୟକୀୟ ସହାୟତା ଦେଉଛନ୍ତି। ଇରାନୀୟ ପରୀକ୍ଷଣ ଡାଟା ବିଶ୍ଳେଷଣ କରି ଇନ୍ଧନ ପ୍ରଣାଳୀ, ବାୟୁ ପ୍ରବେଶ ପ୍ରଣାଳୀ ଏବଂ ଇଞ୍ଜିନ୍ ସମସ୍ୟାର ସମାଧାନ ପାଇଁ ଋଷିଆ ବିଶେଷଜ୍ଞମାନେ ନିୟମିତ ପରାମର୍ଶ ଦେଉଛନ୍ତି।

ମଧ୍ୟପ୍ରାଚ୍ୟ ଏବଂ ପାରସ୍ୟ ଉପସାଗରୀୟ କ୍ଷେତ୍ରରେ ଆମେରିକାର ସାମରିକ ଉପସ୍ଥିତିକୁ ପ୍ରତିହତ କରିବା ପାଇଁ ଦୁଇ ଦେଶ ମଧ୍ୟରେ ଏହି ସାମରିକ ସହଯୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଇରାନ ପୂର୍ବରୁ ଋଷିଆକୁ ୟୁକ୍ରେନ ଯୁଦ୍ଧ ପାଇଁ ‘ସାହେଦ୍’ ଡ୍ରୋନ୍ ଯୋଗାଇଥିବା ବେଳେ, ବର୍ତ୍ତମାନ ଋଷିଆ ଇରାନକୁ ଦଶନ୍ଧି ଧରି ଚାହୁଁଥିବା ଅତ୍ୟାଧୁନିକ ମିସାଇଲ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର କରୁଛି। ଯଦିଓ ଏହି ମିସାଇଲ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ମୁତୟନ ହୋଇନାହିଁ, ତଥାପି ଏହା ଆମେରିକା ନୌସେନା ପାଇଁ ଏକ ବଡ଼ ଚେତାବନୀ ଭାବେ ଉଭା ହୋଇଛି।

Leave A Reply

Your email address will not be published.