Latest Odisha News

ୟୁକ୍ରେନର ବୁଚା ସହରରେ ରୁଷିଆର ନରସଂହାର: ଦୁଷ୍କର୍ମ ସହ ବଢୁଛି ହତ୍ୟା

ୟୁକ୍ରେନର ବୁଚା ସହରରେ ରୁଷିଆ ଯେଉଁ ନରସଂହାର କରିଛି, ତା’ର ଛାତିଥରା ଦୃଶ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଭର ବୁଚା ଅଂଚଳରେ ଦୁଷ୍କର୍ମ, ହତ୍ୟା, ନିର୍ଯାତନା ଓ ବର୍ବରତାର ଦୃଶ୍ୟ ସାରା ବିଶ୍ୱବାସୀଙ୍କୁ ଚକିତ କରିଦେଇଛି । ଏହି ଅଂଚଳକୁ ଗସ୍ତ କରି ଜାତୀୟ, ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ଏବଂ ଯୁଦ୍ଧ ଅପରାଧର ତଦନ୍ତ କରୁଥିବା ସଂସ୍ଥା ଯାହା କହିଛନ୍ତି, ତାହା  ହୃଦୟକୁ ଚହଲାଇ ଦେଇଛି ।

ସ୍କୁଲକୁ ମଧ୍ୟ ଛାଡିନାହାନ୍ତି ପୁଟିନ୍ ସେନା । ଛୋଟ ଛୋଟ ପିଲା ମଧ୍ୟ ସେମାନଙ୍କ ଟାର୍ଗେଟରୁ ବାଦ ପଡିନାହାନ୍ତି । କିଭ୍ ସହର ଛାଡି ଚାଲିଗଲା ବେଳେ ନର ରାକ୍ଷସ ପାଲଟି ଯାଇଥିଲେ ରୁଷର ସୈନିକମାନେ । ଯାହାକୁ ପାଇଥିଲେ, ତାହା ଉପରେ ଗୁଳିମାଡ଼ ମାଡ଼ କରିଥିଲେ । ଜନବସତି ଉପରେ କମାଣ ଚଳାଇଥିଲେ । ରାସ୍ତା ଘାଟ, ଆପାର୍ଟମେଂଟ, ସ୍କୁଲ, ମଲ୍ ଯେଉଁଠିକୁ ଚାହିଁଲେ ଖାଲି ଲୋକଙ୍କ ମୃତଦେହ । ରୋଷେଇ ଘରେ ବି ପଡିଛି ମୃତଦେହ । ଘର ଭିତରେ ପଶି ମାଆ-ଝିଅଙ୍କୁ ହତ୍ୟା କରିଥିବା ଚିତ୍ର ବୟାନ କରୁଛି, ବର୍ବରତା କେଉଁ ସୀମା ଲଂଘିଛନ୍ତି ରୁଷ ସେନା ।

ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ ପ୍ରାୟ ୧୦ ହଜାର ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମ ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାକୁ ପଢ଼ିଲେ ଯେକୌଣସି ଲୋକର ଆଖିରୁ ଲୁହ ଖସିପଡିବ । ଏପରିକି ଯୁଦ୍ଧର ପ୍ରଥମ ସପ୍ତାହରେ ରାଜଧାନୀ କିଭର ମାତ୍ର କିଛି ମାଇଲ୍ ଦୂରରେ ଥିବା ବୁଚା ସହରରେ ଆତଙ୍କ ଖେଳାଇ ଦେଇଥିଲେ ପୁଟିନ ବାହିନୀ । ମହିଳା ହେଉ କି ଛୋଟ ପିଲା, ଯିଏ ଆଗରେ ପଡିଲା ଦୁଷ୍କର୍ମ ଶିକାର ହେଲା, ନହେଲେ ହତ୍ୟା ଧମକ ।

କିଛି ସ୍ଥାନରେ ଲୋକଙ୍କୁ ଜୀବନ୍ତା ଜଳାଇ ଦିଆଯାଇଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଛି ।  ଗୋଟିଏ ବେସମେଂଟରେ ରୁଷ ସେନାର ଶରଣରେ ଥିବା ୨୫ ଜଣ ଝିଅଙ୍କୁ ଗଣଦୁଷ୍ମର୍ମ କରାଯାଇଛି ।  ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନାଜି ସେନା ଯେଉଁଭଳି ବର୍ବର ଓ ଅମାନବୀୟ କାଣ୍ଡ କରିଥିଲା, ସେହିଭଳି ଚିତ୍ର ଏକ ବିଂଶ ଶତାବ୍ଦୀରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.