ଅଜୟ ପ୍ରଧାନ
ଆସ, ଗାଅ
ଯିଏ ଚାହୁଁଛ ବିନା ତାଳରେ
ବିନା ସରଞ୍ଜାମ ରେ ମୋ ସଙ୍ଗୀତ ଗାଇବାକୁ
ପାହାଡ଼ ଉପରେ ,
ସମୁଦ୍ର କୂଳରେ ବା ଭିତରେ,
ଅଧାରୁଅଧିକ ପୋଡ଼ା ଜଙ୍ଗଲରେ ,
ଖରା ଡହକରେ, ହାଡ଼ଫଟା ଶୀତରେ
ମେଘଙ୍କ ଦଣ୍ଡ ନାଚ ବେଳେ,
ପକ୍ଷୀଙ୍କ ରାଲିରେ,
କଟାସରିଥିବା ଧାନ ବିଲରେ,
କାଞ୍ଜିଆ ଅଣ୍ଡା ଜହ୍ନ ଭାଙ୍ଗିପଡ଼ିଥିବା ରାତିରେ,
ମହୁଲି ପିଇ ପୁଷ୍’ପୁନିରେ ନାଚୁଥିବା ତିର୍ଲାଙ୍କ ମେଳରେ
ପାଦରେ ପାଦ ମିଶେଇ ହାତଦେଇ ଅଣ୍ଟାରେ
ମୃତ ସୈନିକଙ୍କ କୋକେଇ ଆଗରେ, ଇନ୍ଦ୍ର ସଭାରେ;
ଯଦି ଚାହୁଁଛ ଆସିପାର, ହସ ଶିଖିବାକୁ
ଏମିତି ଗାଇଗାଇ ଯାବତ୍ ଦୁଃଖରେ !
କିଏ କିଏ କହନ୍ତି ତ
ମୁଁ କାଳେ ଧର୍ମ ଛଡ଼ା ଜାତି ଛଡ଼ା
ସେଥିକୁ ମୋ ନାଇଁ ହେଜ,
ସିଏ ସାଥି ଯିଏ ପାଶେ ହୁଏ ଛିଡ଼ା !
ମୁଁ କ’ଣ ଚାହୁଁଛି କିଛି ଭୁଲିବାକୁ ,
ମୁଁ କ’ଣ ଚାହୁଁଛି ଲୁଚେଇଦବାକୁ କିଛି
ପେଟରେ ?
ହୃଦୟମାନେ କ’ଣ ମୁଁ ଚାହୁଁଛି
ସଢ଼ିସଢ଼ି ମରିଯାନ୍ତୁ ଆଲମିରା ଓ ଥାକରେ ?
ମୁଁ ଚାହୁଁଛି କ’ଣ ବିଧବାହେଇଯାଉ ଆକାଶ
ବିନା ମେଘ ବିନା ପକ୍ଷୀରେ ?
ଏ ବଦନାମ୍ ବହୁତ ପୁରୁଣା,
କେତେ ବାଜିବ ବ୍ଯାଣ୍ଡ୍’ପାର୍ଟି ଆଉ ଡି.ଜେରେ ?
ବହୁତ ଜମା ଥିଲେ ତ ପଛପଟେ !
କୁଆଡେ ଗଲେ ସେମାନେ ?
ମୁଁ କ’ଣ ଆସିପାରିଥାନ୍ତି ଏତେ ବାଟ
ପହଞ୍ଚିଥାନ୍ତି ଏଠି,
ମଣିଷ ନଥିବା ଜାଗାରେ !
ସତରେ କ’ଣ ନାହାନ୍ତି କେହି
ଗୀତ ଶୁଣିବାକୁ,ଏ ଅପନ୍ତରାରେ ??
ଫୋନ : ୭୯୭୮୮୫୮୦୯୧
Comments are closed.