ଆରତୀ ପଟ୍ଟଯୋଷୀ
ଶୁଣ, ମୁଁ ଜଣେ ଓଡ଼ିଆ କହୁଛି
ବାପାଙ୍କୁ ଡାକେ ମୁଁ “ଡାଡି” ବୋଲି
ଆଉ ମାଆଙ୍କୁ “ମମି” ମୁଁ ଡାକୁଛି
ମୋ ଦେହେ ଉତ୍କଳ ବହୁଛି
ମୁଁ ଜଣେ ଓଡ଼ିଆ କହୁଛି।
ଦାଦା-ଖୁଡି ମାମୁ-ମାଇଁ ଡାକୁନାହିଁ
ଅଙ୍କଲ ଆଣ୍ଟିରେ ଚଳୁଛି
ଆତ୍ମୀୟ ସ୍ୱଜନ ଭୁଲି ମୁଁ ଗଲିଣି
ମୁଖ ପୁସ୍ତିକାକୁ ଘାଣ୍ଟୁଛି
“ଅନୁରୋଧ ବନ୍ଧୁ” ଯୋଡୁଛି
ମୁଁ ଜଣେ ଓଡ଼ିଆ କହୁଛି।
ମୋ ଦେଶର ବୃକ୍ଷ ପାହାଡ଼ ପର୍ବତ
ନିମିଷକେ ପଦା କରୁଛି
ବଡ଼ ବଡ଼ କୋଠା କଳ କାରଖାନା
ଅକ୍ଲେଶରେ ଗଢି ପାରୁଛି
ନିଜ ଦେଶେ ଥାଇ ଦର୍ଶନୀୟ ସ୍ଥଳ
ବିଦେଶ ବିଦେଶ ଖୋଜୁଛି
ମୁଁ ଜଣେ ଓଡ଼ିଆ କହୁଛି।
ସରକାରୀ ସ୍କୁଲ୍ ଲାଜ ଲାଗେ ମୋତେ
ସରକାରୀ ସଂସ୍ଥା ଖୋଜୁଛି
ଇଂରାଜୀ ପଢେଇ ସାହାବ ବୋଲେଇ
ଗରବରେ ବାଟ ଚାଲୁଛି
ପୁଅ ମୋ ବିଦେଶେ ବଡ଼ ବାବୁ ଅଛି
ଗରବେ ମୁଁ କହି ବୁଲୁଛି
ମୁଁ ଜଣେ ଓଡ଼ିଆ କହୁଛି।
ଓଡ଼ିଶାର ପର୍ବ ପିଠା ପଣା ଯେତେ
ନାଆ ଶୁଣି ନାକ ଟେକୁଛି
ପରମ୍ପରା ସବୁ ଗାଉଁଲିଆ ଢଙ୍ଗ
ବିଦେଶୀ ପରବ ପାଳୁଛି
ପିଜା ବରଗର ଚାଉମିନ ଖୋଇ
ବଡ଼ ଲୋକି ପଣ କିଣୁଛି
ମୁଁ ଜଣେ ଓଡ଼ିଆ କହୁଛି।
“ମାତୃଭୂମି ମାତୃଭାଷାରେ ଶରଧା”
ମହାଜନ ଉକ୍ତି ଶୁଣିଛି
ସେତ ପୋଥି ତଳେ ଲୁଚି ଯାଇଛି
ବରଷକେ ଥରେ ଦିବସଟି ପାଳି
କର୍ତ୍ତବ୍ୟ ସମ୍ପାଦୀ ଦେଉଛି
ଗରବରେ ନୁହେଁ କୁଣ୍ଠାରେ ଲଜ୍ୟାରେ
ନିଜକୁ ଓଡ଼ିଆ ମଣୁଛି
ମୁଁ ଜଣେ ଓଡ଼ିଆ କହୁଛି
ଶୁଣ, ମୁଁ ଜଣେ ଓଡ଼ିଆ କହୁଛି।
Comments are closed.