Latest Odisha News

କବିତା : ସମୟ

ବନ୍ଦନା ପଣ୍ଡା 

କୁଆଡେ ଯାଇଛି ହଜି
କୋଳାହଳ ସହରର ବ୍ୟସ୍ତ ପ୍ରହର
ମଣିଷ ଖୋଜୁଥିଲା ଟିକେ ଏକାନ୍ତର ବେଳ !!
କୁଆଡେ ହଜିଗଲା
ବଜାର ହାଟରେ ମୂଲଚାଲ
ଆଉ ଠେଲା ଦୋକାନୀରେ
ବରା ପକୁଡ଼ି ପାଇଁ ଚହଳ ପହଳ??

ଚା ଦୋକାନ ଖଟି
ପାନଖିଆ ପାଟି
ସଫଳ ବିଫଳ ପ୍ରେମିକଙ୍କ
ଉତୁରା ହସ, ବତୁରା ଆଖି, ଘୋଷରା ଚମଡା ଚଟି
ସନ୍ଧ୍ୟା ଦର୍ଶନ ମନ୍ଦିରର ଅନବରତ ଘଣ୍ଟି!!
ହେ ସମୟ!!
ଏତେ ଆଉ ହୁଅନା ନିର୍ଦ୍ଦୟ
ଏ ନିର୍ଜନ ରାସ୍ତା ଏ ନୀରବ ପ୍ରାର୍ଥନା
ନିଷ୍ଠୁର ଦ୍ଵିପ୍ରହର ଅଭିଶପ୍ତ ଜ୍ୟୋତ୍ସ୍ନା
ଏ ଭଗ୍ନ ଅପରାହ୍ନ ବେରଙ୍ଗ ଗୋଧୂଳି
ଏ ଭୟଙ୍କର ରାତି ବେସୁରା କାକଳି
ମାଳ ମାଳ ଶବ ଏ ସାତତାଳ ଲୁହ
ଶହ ଶହ ଜୁଇ ଏ ଗଦା ଗଦା କୋହ
ସତେ କଣ ଏତେ ରାଗିଛ ସମୟ ?

କଡ ଲେଉଟାଅ, ଦୁନିଆଁ ହେଉ ପ୍ରାଣମୟ
ଆଉ ଯନ୍ତ୍ରଣା ହେଉନାହିଁ ସହ୍ୟ
ଗୋଟିଏ ବିଶ୍ୱାସ ଧରି
ଚାଲିଛି ଜୀବନ
ସବୁ କିଛି ପ୍ରଭୁ ଙ୍କର ଲୀଳା
କାଳଚକ୍ର ଘୂରିଯିବ
ଆଖି ପଲକରେ, ଏହା ତ ନିଶ୍ଚୟ।

ଲୁମ୍ବିନୀ ବିହାର

Leave A Reply

Your email address will not be published.