Latest Odisha News

କବିତା : ମୋ’ ଶ୍ୟାମ ସୁନ୍ଦର

ଛବିରାଣୀ ପତି

ମୟୂର ଚନ୍ଦ୍ରିକା ବଢାଏ ସୌର୍ଯ୍ୟ
ଘନ କୁଞ୍ଚକେଶି ରୂପ ମାଧୂର୍ଯ୍ୟ,
ଛଳିଆ କପଟୀ କଳା ଶ୍ରୀମୁଖ
ରାଧା ବିନା ଦିଶେ ସତେ ବିମୁଖ ସେ ..
ଗୋପ ଗୋପାଳୁଣୀ ବାସୀ ଯେ ,
ଲଳିତା , ବିଶାଖା ସଖୀ ସହଚରୀ
ସବୁରିଙ୍କ ପ୍ରାଣ ପ୍ରିୟ ଯେ ।

ସୁଦାମ, ସୁବଳ ,ମଧୁ ମଙ୍ଗଳ
ସାଥୀ ସଙ୍ଗେ ଯାଏ ଯମୁନା କୁଳ,
ମୋହିନିଏ ସଭି ବଂଶୀର ସ୍ୱରେ
ରାଧା ଧାଉଁଥାଏ ପ୍ରେମ ବିଭୋରେ ସେ…
କାଖରେ କଳସୀ ଜାକି ଯେ,
କଦମ୍ବ ମୂଳିଆ ମୟୂର ଚୁଳିଆ
ସେ ତ’ ଭାବ ବିନୋଦିଆ ଯେ ।

ବଉଳା ଗାଈକୁ ଚାନ୍ଦ ବାଛୁରୀ
କରେ ଦାମୋଦର ଲବଣୀ ଚୋରି,
ଚୋରି କରେ ପୁଣି ଗୋପୀ ବସନ
ଲୁଚ ବସେ ଡାଳେ କଦମ୍ବ ବନ ସେ…
ବାଟୁଳି ମାରଇ ଦଧି ହାଣ୍ଡିକୁ ଯେ,
ମାଟି ଖିଆ ବ୍ରହ୍ମାଣ୍ଡ ସେ କୁନି ପାଟି
ଦେଖି, ମା’ ଯାନ୍ତି ଭୂଇଁରେ ଲୋଟି ଯେ ।

ଭାରି ଗୁମର ମୋ ଶ୍ୟାମ ସୁନ୍ଦର
ବଡ ବଡ କାଣ୍ଡ ଭିଆଣ ତା’ର,
ଶଙ୍ଖ ଚକ୍ର ଗଦା ପଦୁଅଁ ଧରି
ଲୀଳା କରେ ବସି ନୀଳାଦ୍ରି ହରି ସେ…
ହୋଇଥାନ୍ତି ନାନା ସଜ ଯେ,
ରତ୍ନ ସିଂହାସନେ ସେ ଯୋଗାଧିରାଜ
ଅନନ୍ତ ଶୟନେ ବିଜ ଯେ ।

ଜଗତସିଂହପୁର

Comments are closed.