ଦିପୁନ୍ ପୁହାଣ
ଶେଷକୁ
ମୁଁ ତା’ର ନାଁ ଦେଲି ‘ନଦୀ’,
ସେ ଖାଲି ଅଳପ ହସିଲା
ଓ ବୋଧ ଦିଆ କୁନି ଶିଶୁଟି ପରି
ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ..
ଆରମ୍ଭରୁ ମୁଁ ତାକୁ ‘ଜହ୍ନ’ ବୋଲି ଡାକିଥିଲି,
ଅତୁଟ ସ୍ନେହରେ..
ସେତେବେଳେ ସେ ସତେଜ ଦିଶୁଥିଲା,
ତା’ ଦେହଯାକ ଭରିଥିଲା ଅତରର ବାସ
ତା’ ହସରୁ , ତା’ ଆଖିରୁ, ତା’ ଓଠରୁ ଓ ଉଚ୍ଚା କପାଳରୁ ଗୋଟାପଣି ଜହ୍ନର ଆଭାସ,
ତା’ ଆସିବା ସାଥେ ସାଥେ
ଘରଯାକ ମିଂଜି ମିଂଜି ତାରାଂକ ପ୍ରବେଶ !
ଓ ତା’ପରେ ହଠାତ୍ ମୁଁ ବଦଳେଇ ଦେଲି ତା’ର ନାଆଁ
‘ଜହ୍ନ’ରୁ ‘ଫୁଲ’କୁ,
ଯେତେବେଳେ ତା’ ବେଣ୍ଡି ପଡ଼ିଯାଇଥିବା ଟାଣୁଆ ଓ ରୁକ୍ଷ ହାତରେ ସେ ମୋ ଦେହ ଛୁଇଁଲା , ଓ ମୁଁ ବାରିପାରିଲି ତା’ ଭିତରର ଅମାପ ନରମ ପଣକୁ,
ଶତସସ୍ର ଫୁଲଙ୍କ ପାଖୁଡ଼ା ପରି !
ତା’ ଛୁଆଁରେ ମୁଁ ଆକାଶ ପାଲଟିଗଲି,
ସେ ଫୁଲରୁ ପାଲଟିଗଲା ‘ପକ୍ଷୀ’,
ଏବେ ଅବାଧ ଉଡ଼ାଣ ତା’ର ସାରାଟା ଆକାଶ..
ପକ୍ଷୀ ହେଲା ଦିଗହରା
ଦିନ ହେଲା ଶେଷ ।
ମୁଁ ନିଜକୁ ଠିକଣା କଲି ।
ମେଲିଦେଇ ଭରସାର ଡାଳ ପତ୍ର ଯଥା ।
ସେ କିନ୍ତୁ ଜଡ଼େଇ ଗଲା ମୋ’ଠି ଏପରି,
ଏତେ ନିବିଡ ଭାବେ ଯେ
ମୁଁ ତା’ର ନାଁ ଦେଲି ‘ଲତା’ ।
ଯାଃ !
ଯେତେ ସବୁ ବାଜେ କଥା !
ଏ ‘ଜହ୍ନ’ ଆଉ ‘ଫୁଲ’ ଆଉ ‘ପକ୍ଷୀ’ ଆଉ ‘ଲତା’ ,
ଏସବୁ କି ‘ପ୍ରେମିକ’ର ନାଁ କେବେ ହୁଏ ?
ମୁଁ କହିଲି ,
କାହିଁକି ନହୁଏ ?
ଦେଖିବାରେ ଥାଏ ଯଦି ନୂଆପଣ,
ପ୍ରେମର ସମୁଦ୍ରଟାଏ ଛାତି ତଳେ ବହୁଥାଏ ଯଦି !
ଓ ଶେଷକୁ
ମୁଁ ତା’ର ନାଁ ଦେଲି ‘ନଦୀ’ !
ସେ ଖାଲି ଅଳପ ହସିଲା,
ଓ ବୋଧଦିଆ କୁନି ଶିଶୁଟି ପରି
ବହିଗଲା ମୋ ଅନୁର୍ବର ଭୂମିଖଣ୍ଡ ଉପରେ..
ଆଂପୋର, କଳିଙ୍ଗନଗର
ଯାଜପୁର,
ମୋ- ୯୬୬୮୪୦୭୩୨୨
Comments are closed.