Latest Odisha News

କବିତା : ଦୀପ

ଗଦାଧର ସାହୁ
ଦୀପ
ଜଳୁଥାଏ
କେବେ ଘରେ
କେବେ ମନ୍ଦିରରେ
କେବେ ସଞବେଳେ
ତୁଳସୀ ଚଉରା ମୂଳେ
ମିଞ୍ଜି ମିଞ୍ଜି ଜଳୁଥାଏ ଧର୍ମ ମାସ
ମହାକାର୍ତ୍ତିକ ଆକାଶ ଦୀପରେ ।

କିଏ ଜାଳୁଥାଏ
ଆନ୍ଧାର ଦୂରେଇବାକୁ,
କିଏ ମଙ୍ଗଳ ମନାସିବାକୁ
କିଏ ଉତ୍ସବ ମନାଇବାକୁ
ଆଉ କିଏ ପିତୃପୁରୁଷଙ୍କ
ଅମୃତ ଦୃଷ୍ଟି ଆଶିଷ ଲାଭ ଲଭିବାକୁ ।

ଦୀପ ଜଳେ
ଜଳି ଜଳି
ତେଲ ସରିଗଲେ
ସଳିତା ଜଳିଯାଏ,
ଅନ୍ଧାର ସରିନଥାଏ ,
ମଙ୍ଗଳମୟ ସମୟ
ଆସୁ କି ନଆସୁ
ଲିଭା ଶଳିତା ବାସ୍ନାରେ
ଚାରି ଦିଗ ମହମହ ମହକୁ ଥାଏ,
ଉତ୍ସବ ସରିନଥାଏ
ଦୀପ ଜଳି ଜଳି ଲିଭିଯାଏ ,
କିଏ କଣ ପାଏ
ଦୀପ ଜାଣି ନଥାଏ
ଯିଏ ଜାଳେ ସେ ଜାଣିଥାଏ
ଯିଏ ଜଳେ ଜଳିଜଳି ଜଳି ଯାଉଥାଏ ।

ବ୍ରହ୍ମଗିରି

Leave A Reply

Your email address will not be published.