Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢାବୁଲା କ୍ରମରେ ଆମେ ପୁନଃ ଆରମ୍ଭ କରିବା ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କଠାରୁ। କିନ୍ତୁ ଆଜି ସ୍ୱତନ୍ତ୍ର ଗଣେଶଙ୍କୁ ଦେଖିବା ; ଯାହାଙ୍କୁ ସାଧାରଣ ଭାବେ କୁହାଯାଏ “ନୃତ୍ୟ ଗଣପତି ” । ଶ୍ରୀମନ୍ଦିର ଭିତର ବେଢାରେ ଥିବା ଜଳକ୍ରୀଡା ମଣ୍ଡପର ପଶ୍ଚିମ ଦିଗରେ ଅର୍ଥାତ ମା ବିମଳାଙ୍କ ମନ୍ଦିରର ସମ୍ମୁଖରେ ଏହାଙ୍କ ମନ୍ଦିର ବିରାଜମାନ କରିଛି। ଏହି ଅତ୍ୟୁଚ ମନ୍ଦିରଟି ଦକ୍ଷିଣମୁଖା ଓ ଏଥିରେ ପୂଜିତ ଗଣପତି ବିଗ୍ରହ ନୃତ୍ୟ କରୁଥିବା ଭଙ୍ଗୀରେ ଦଣ୍ଡାୟମାନ ଅଟନ୍ତି। ଚିକଣ କଳା ମୁଗୁନି ପ୍ରସ୍ତରରେ ନିର୍ମିତ୍ତ ଅତ୍ୟନ୍ତ କମନୀୟ ବିଗ୍ରହ ପ୍ରାୟ ଏକଫୁଟ ଉଞ୍ଚା ପୀଠ ବା ସିଂହାସନ ଉପରେ ନୃତ୍ୟ ଭଙ୍ଗୀରେ ଦଣ୍ଡାୟମାନ ହୋଇ ପୂଜିତ ହେଉଥିବାରୁ, ଭକ୍ତମାନେ ଏହାଙ୍କୁ ଶ୍ରଦ୍ଧାରେ ଡାକନ୍ତି “ନାଟୁଆ ଗଣେଶ “।

ଶ୍ରୀମନ୍ଦିର ସତ୍ୱଲିପିରେ ମଧ୍ୟ ଏହି ନାମ ସହ “କାଞ୍ଚିଖୁରି ଗଣେଶ “ନାମ ଲିପିବଦ୍ଧ ହୋଇଛି। ଏହି ବିଗ୍ରହଙ୍କ ଉଚ୍ଚତା ପ୍ରାୟ ଛଫୁଟ ଓ ଓସାର ପ୍ରାୟ ତିନିଫୁଟ ଅଟେ। ସେ ଅଷ୍ଟଭୁଜ ବିଶିଷ୍ଟ ଅଟନ୍ତି। ଉପର ଦୁଇହସ୍ତରେ ସର୍ପ, ଅର୍ଥାତ ଗୋଟିଏ ସର୍ପର ମସ୍ତକ (ଫଣା )କୁ ଡାହାଣ ହସ୍ତରେ ଧରି ନିଜ ମସ୍ତକ ଉପରେ ବୃତ୍ତାକାରରେ ନେଇ ବାମ ହସ୍ତରେ ଲାଞ୍ଜଟିକୁ ଧାରଣ କରିଛନ୍ତି । ଅନ୍ୟ ଦୁଇ ଦକ୍ଷିଣ ହସ୍ତରେ ଉପରେ ମାଳା ଓ ତା ତଳ ହସ୍ତରେ ଦନ୍ତ ଧାରଣ କରିଛନ୍ତି। ସେହିପରି ବାମ ଉପର ହସ୍ତରେ ଲଡ଼ୁ ଓ ବାମ ତଳ ହସ୍ତରେ ଅଙ୍କୁଶ ରହିଛି। ସମ୍ପୂର୍ଣ ତଳ ଡାହାଣ ଓ ବାମ ହସ୍ତରେ ଜପ ମୁଦ୍ରା ପ୍ରଦର୍ଶିତ ହୋଇଛି। ଲଡ଼ୁ ଉପରେ ନିଜର ଶୁଣ୍ଢକୁ ସ୍ଥାପନ କରି ଅତ୍ୟନ୍ତ କମନୀୟ ଭଙ୍ଗୀରେ ଥିବା ଏପରି ବିଗ୍ରହ ଅତ୍ୟନ୍ତ ବିରଳ ଓ ଅନ୍ୟତ୍ର ଦେଖାଯାଏନି। କୁହାଯାଏ ଏହା ତନ୍ତ୍ର ଅନୁମୋଦିତ ବିଗ୍ରହ। ଏହି ଗଣପତିଙ୍କ ସ୍ଥାପନା ବିଷୟରେ ଅନେକ ତଥ୍ୟ ଓ ଇତିହାସ କଥା ଲୋକମୁଖରେ ଆଜିବି ଶୁଣାଯାଏ। ସେ ସବୁ ବିଷୟ ଧିରେ ଧିରେ ଆଲୋଚନା କରିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା।

“ନୃତ୍ୟ ପ୍ରିୟାୟ ଗଣନାୟକ ସୁନ୍ଦରାୟ
ନlଗେନ୍ଦ୍ରସୂତ୍ର ପରିଭୂଷଣ ଭୂଷିତାୟ l
ଲମ୍ବୋଦରାୟ ଶୁଭଦାୟ ହରପ୍ରିୟାୟ
ତୁଭ୍ୟଂ ନମୋଅସ୍ତୁ ମମବିଘ୍ନ ବିନାଶକାୟ। ”

ଅର୍ଥାତ ହେ ଗଣପତି!ତୁମେ ନୃତ୍ୟ ପ୍ରିୟ, ତୁମେ ଗଣମାନଙ୍କ ଅଧିନାୟକ, ତୁମେ ସୁନ୍ଦର, ନାଗରାଜ ତୁମ ଉପବିତ ଭାବରେ ଶୋଭିତ, ତୁମେ ଲମ୍ବୋଦର, ତୁମେ ଶୁଭଦ, ତୁମେ ହରପ୍ରିୟ, ତୁମେ ବିଘ୍ନ ବିନାଶକ ତୁମକୁ ପ୍ରଣତି ଜଣାଉଛି।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.