ଗୌରାଙ୍ଗ ପଟେଲ
ଦେଖୁଥିବା ସ୍ବପ୍ନ ରେ ଭାସି ଭାସି
ହଠାତ ଚେଇଁ ଉଠିଲାପରେ . . .
କାହାଣୀ ଭଳିଆ ଲାଗୁଥିବା ଅବଚେତନ ମନର ରଚନାକୁ
ସୁର ଦେବାକୁ ଚେଷ୍ଟା କଲେ
ଯେପରି ଝାପ୍ସା ଓ ଖାପଛଡ଼ା ଜଣାପଡେ !
ଓଦା ବାଲି ଦେହରେ ଚିତ୍ର ଟିଏ ଆଙ୍କିବାକୁ ଯାଉଥିଲି ସିନା
ସମାପ୍ତି ପୂର୍ବରୁ ଉଜାଣି ଉଛୁଳା ଢ଼େଉରେ ନିଶ୍ଚିହ୍ନ ହୋଇଯିବା ପରି
ଅନେକ ଭାବନାର ଢ଼େଉ ଲହରୀ ପିଟନ୍ତି
ମୋ ଚିନ୍ତାର ସାଗର ବକ୍ଷରେ
କିନ୍ତୁ . . . ବାଛି ମୁଁ ପାରେନା
କେଉଁଟା ଧରିବି . . . କେଉଁଟା ଛାଡିବି ଅବା ସବୁକୁ ଜାବୁଡି ଧରିବି ?
ସ୍ମୃତି ମୋର ଆଞ୍ଜୁଳାଏ ପାଣି ପରି ହାତରୁ ଝରିପଡ଼େ ସିନା . . .
ହାତକୁ ଓଦା କରିଦେଇ . . . !
ହେଲେ . . .
ଅଚାନକ କେଉଁ ମୁହୂର୍ତ୍ତରେ ସାଗର କୂଳରେ . . . .
ଲାଗିଯାଏ ମୋର ତରୀ
ମନେ ମନେ ଯୋଡି ହୁଏ ଭାବନାର ଖିଅ ସବୁ
ଆଉ , ଜୀବନ୍ତ ରୂପନିଏ ଲେଖନୀ ମୁନରେ
ସମୟେ ସମୟେ ଏକତ୍ରୀତ ସ୍ମୃତି ସବୁକୁ ବାହି ନେଉ ନେଉ . . .
ମୋ ଜୀବନ ଡଙ୍ଗାରେ
ଦୂର ଦିଗବଳୟେ ଝାପ୍ସା ଝାପ୍ସା ଭାବନାମାନେ . . .
ମୁଣ୍ଡ ଟୁଙ୍ଗାରୁଥିବାର ଜଣାଯାଏ ।
ଆହୂଲାରେ ଶିଥିଳ ହାତକୁ ନୂଆ ତେଜଦେଇ
ପ୍ରୟାସେ ମୁଁ ଆଗକୁ ଆଗକୁ
ସେ ସବୁକୁ ଆପଣାର କରି ସାଉଁଟି ଆଣିବାର ଆଷେ
ମନୋରମ କରି ଭାବନା ର ସୌଧ ଗଢ଼ିବା ଉଦ୍ଦ୍ୟେଶେ
ହେ ବିଧାତା,
ଏ ସାଗର ଉତ୍ତାଳ ତରଙ୍ଗେ ଭାସିଯାଉ ମୋର ନାବ
ସମୟକୁ ଅତୀକ୍ରମ କରି . . . ସମ୍ନାକରି ବାଧାବିଘ୍ନ ସବୁ
ନିୟତିର ଉଠାପକା ଖେଳେ
ମୋ ଡଙ୍ଗା ଓଲଟି . . .
ମୁଁ ପଛେ ଲୀନହୁଏ ସାଗରର ଅତଳ ଗର୍ଭରେ
ଅଭୁଲା ଅତୀତର . . .
କାଳିଯାଇରେ ସେଦିନ ଚୂର୍ଣ୍ଣ ହୋଇଥିବା ନାଆ ପରି
ଦୟାକରି , ଏ ନାଆର ନହେଉ ସମ୍ପୂର୍ଣ୍ଣ ବିନାଶ
କେବେ କେହି ନାବିକ ସହୃଦୟେ ଉଦ୍ଧାରିବ ଯଦି
ଏବଂ
ଗଢ଼ି ଦେବ ନବ କଲେବରେ
ଅବଶ୍ୟ, କେବେ ଆଉଜଣେ କବି
ଚିନ୍ହି ପାରିବ ସେ ନାଆର ପୁରୁଣା ଅଂଶରେ
ବଞ୍ଚି ରହିଥିବା ମୋର . . .
ସ୍ମୃତି ଛିଟା ସବୁ
ପୁଣି, ସିଏ ନୁଆ ଭାବଧାରା ନେଇ
ବିରଚିବ ନିଜ ସ୍ମୃତି ପୃଷ୍ଠା ମିଶା ମିଶା ଅନୁଭୂତି ନେଇ
ହେ ରକ୍ଷାକର୍ତ୍ତା . . . ଏତିକି ପ୍ରାର୍ଥନା
ସ୍ମୃତିସବୁ ବଞ୍ଚିରହୁ ଜନମାନସରେ . . .
ନ ହୋଇ ନିଶ୍ଚିହ୍ନ
ତା ପରେ, ହେ ସୃଷ୍ଟିକର୍ତ୍ତା
ତୁମ୍ଭେ ଯାହା କରିପାର
ତୁମ୍ଭରି ସୃଷ୍ଟିରେ
ଲଙ୍କାହୁଡା, ସୁନ୍ଦରଗଡ
Comments are closed.