Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦେବୀ (୧୧)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୧୧ 

କୁହୁଡି ଆଚ୍ଛନ୍ନ ପୌଷ ରାତିର ଶୁକ୍ଲାଷ୍ଟମୀ ଜହ୍ନ ପ୍ରାଚୀ ଭିତରେ ଅସ୍ତ ହେବାର ପ୍ରକ୍ରିୟା ଆରମ୍ଭ କରୁଥାଏ। ଆଗନ୍ତୁକ ଅମାଛନ୍ନ ରାତି ଯେ ଜୀବନ୍ତ ତାର ପ୍ରଚାର କରୁଥାନ୍ତି କେତୋଟି ରାତ୍ରଚର ପକ୍ଷୀ। ଠାକୁର ବରଗଛ ଉପରେ ନିଜର ପ୍ରଭୂତ୍ଵ ଜାରିକରୁଥିବା ଏକ ସଂଭ୍ରାନ୍ତ ପେଚାର କୌଣସି ଜଣେ ଉତ୍ତର ଦାୟଦ ଖୁବ୍ ନୀରବରେ ତାର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତାମଗ୍ନ । ଦେବ ସହିତ ଏକ ଅଦୃଶ୍ୟ ଆକର୍ଷଣରେ ସାକ୍ଷ୍ୟ ପ୍ରଦାନ କରୁଥିବା କୁକ୍କୁରୀଟି ମଧ୍ୟେ ମଧ୍ୟେ ମୂର୍ଚ୍ଛିତ ରାତିକୁ ଉଠେଇବାକୁ ପ୍ରୟାସରତ ଥାଏ।

ପ୍ରଧାନ ଘର ମାଟି ଚାନ୍ଦିନୀ ଉପରେ ବସିଥାଏ ଦେବ।

ତା’ ଭିତରେ ବଢ଼ିଚାଲିଥାଏ ଅସୀମିତ ପ୍ରଶ୍ନମାନଙ୍କର ଅନୁପ୍ରବେଶ। ଡରଟିଏ କେନେଇବାରେ ଲାଗିଥାଏ।କାଳେ କେହି ଦେଖିନିଏ ତେବେ କଥା ସରିଲା। କୋଡ଼ିଏ ବର୍ଷ ତଳୁ ସମାଧି ନେଇଥିବା କଳଙ୍କର ଶୁଖିଲା ପତ୍ରରେ ଆଉ ଥରେ ନିଆଁଲଗିଯିବ। ଆଉ ଥରେ ନିଆଁ ଧୁଆଁରେ ଅସ୍ତବ୍ୟସ୍ତ ଲାଗିବ।

ମୋବାଇଲ କାଢି ସମୟ ଦେଖିଲା ଦେବ। ରାତି ଆସି ବାରଟା ବାଜିଲାଣି।ପରିବର୍ତ୍ତିତ ସମୟରେ ଆଗଭଳି ଗାଁ ଆଉ ବେଳ ବୁଡୁବୁଡୁ ନିଶବ୍ଦ ହେଉନି। ଏବେ ବି କେଉଁଠୁ ନା କେଉଁଠୁ ଟିଭି ଚାଲିବାର ଶବ୍ଦ ଆସୁଛି।

କୁଆଡେ ଗଲା ସେ କୋଡ଼ିଏ ବର୍ଷ ତଳର ଗାଁ। ସେତେବେଳର ଅନ୍ଧାରର ବି ଥିଲା ଏକ ଅନୁଭବ୍ୟ ସୌନ୍ଦର୍ଯ୍ୟ ।ବିଦ୍ୟୁତ୍ ଆଲୁଅ ବର୍ଜିତ ଅନ୍ଧାରର ସଚରାଚର ଆସ୍ତରଣରେ ଜହ୍ନ ଥିଲା ଅପରୂପ ପ୍ରତିନିଧି। ଆଉ ସେ ଜହ୍ନ ଥିଲା ଜଣକ ପରି। କୋଡ଼ିଏ ବର୍ଷ ତଳେ ଦେବ ଥିଲା ଗୋଟେ ଅଭିଶପ୍ତ ଗନ୍ଧର୍ବ। ସେ ଭଲପାଇ ବସିଥିଲା ଜଣେ ରାଜଜେମାକୁ।ଯାହାର ହସରେ ଫୁଟି ଉଠିଥିଲା ଗୋଟେ ପୂର୍ଣ୍ଣମୀ ଜହ୍ନର ଲାସ୍ୟ।

ଅତୀତ ହିଁ ଏମିତି।ବେଳେବେଳେ କନ୍ଦାଏ, ହସାଏ, ନେଇଯାଏ କେଉଁ ଏକ ଅବିସ୍ମୃତ ବିନ୍ଦୁ ପାଖକୁ ଯେଉଁଠି ବଞ୍ଚିଥାଏ ଏକ ଜୀବନ କାହାଣୀ। ସେଠି ହାରମାନେ ସମୟ,ଜୀବନ୍ତ ହୋଇଉଠେ ମାଟି,ପାଣି,ପବନ।ଅସହ୍ୟ ଯନ୍ତ୍ରଣା ଓଠରେ ମହୁଧରି ପାଖକୁ ଡାକି ହାତରେ ଧରେଇ ଦିଏ ଗୋଟେ ଚିତ୍ର । ଦେବୀର ଚିତ୍ର।

ସତରେ କଣ ସେ ଦେବୀ କୁ ଭୁଲି ପାରିଛି,ନିଜକୁ ପଚାରିଲା ଦେବ!

ସତରେ କ’ଣ ଜୀବନ ପରି ଜଣକୁ ଭୁଲି ହୁଏ?

ଭୁଲିବା ନଭୁଲିବାର କଥା ଉଠିଲେ ଭାବପ୍ରବଣ ହୁଏ ଦେବ। ଚାଳିଶି ବର୍ଷୀୟ ତାର ରୁଗ୍ଣ ପଞ୍ଜରା ଭିତରୁ ବାହାରକୁ ବାହାରେ ଏକ ମଧୁର ବିଫଳତା।ଏକ ସ୍ମରଣୀୟ ପରାସ୍ତ।ସେ ପରାସ୍ତ ପାଇଁ ନିଜକୁ ନଜେ ଗର୍ବକରେ ଦେବ।

କେତେ ବା ବୟସ ତାକୁ ହୋଇଥିଲା ସେତେବେଳେ।ଯେଉଁ ବୟସରେ ଅଣାୟତ୍ତ ହୁଏ ଅନୁଭବ,ପ୍ରଖର ପବନ ହୁଏ ମନ।ପ୍ରଜାପତି ହୁଏ କଳ୍ପନା,ସେଇ ବୟସରେ ସେ ଖୁବ୍ ପାଖରେ ଆବିଷ୍କାର କଲା ନୂଆ ଏକ ପୃଥିବୀ। ଯେଉଁଠି ପରସ୍ତ ପରସ୍ତ ଉର୍ବର ମାଟି ଭିତରୁ ଶୁଣାଯାଏ ସୃଷ୍ଟିର ମନ୍ତ୍ରଧ୍ଵନୀ।ବ୍ୟାପିଯିବାର ଏକ ବ୍ୟସ୍ତ ବ୍ୟାକୁଳତା ଆଚ୍ଛନ୍ନ କରି ରଖେ ସମଗ୍ର ସତ୍ତାକୁ।

ଦେବୀକୁ ସେତେବେଳେ ବୟସ ଅବା କେତେ ହୋଇଥିବ। ଦେବର ସ୍ମୃତିରେ ଝଲସି ଉଠେ ଚେନାଏ ବିଜୁଳି ପରି ଗୋଟେ ହସନ୍ତ କୁନି ମୁହଁ। ସରୁ ଓଠ,ସାମାନ୍ୟ ଉଚ୍ଚ ନାକ, ମସୃଣ ଚିବୁକ ଆଉ ତହିଁରେ ଏକ ବସନ୍ତ କ୍ଷତ। ତା ଚୁନାଚୁନା କଥାରେ କେମିତି ଏକ ମିଠାପଣ ଥାଏ।

ଯେବେ ମୁଁ – ତୁ ର ଦ୍ୱନ୍ଦ୍ଵ ବୁଝିବାର ବୟସ ହୋଇନଥାଏ ସେବେଠୁ ହିଁ ଦେବ ଦେବୀକୁ ଜାଣେ। ଜାଣେ କହିଲେ ଗୋଟେ ସ୍ଵତନ୍ତ୍ର ଅନୁଭବ ଆସେ ତାକୁ ଦେଖିଲେ। ବୟସ ବଢିବା ସହିତ ଅଜାଣତରେ ତା ପଛ ଧରିଥିବା ଏଇ ମଧୁର ଅନୁଭବ କେତେବେଳେ ପ୍ରେମରେ ପରିଣତ ହୋଇଯାଇଥିଲା।

ସେଇ ଅନୁଭବ ହିଁ ଏତେବର୍ଷ ଧରି ତାକୁ ବଞ୍ଚେଇ ରଖିଛି। ହରେଇବାର ଶୂନ୍ୟତା ଭିତରେ ଏଇତକ ଶୈଶବ ସମ୍ପଦ ତାକୁ ମାନବୀୟ ପୂର୍ଣ୍ଣତା ପ୍ରଦାନ କରିଛି।

କିଏ….
କିଏ ଏଠି ବସିଛି…?

କାହାର କଠୋର କଣ୍ଠସ୍ୱର ଦେବକୁ ହଲେଇ ଦେଲା ଯେମିତି…

କ୍ରମଶଃ……

Leave A Reply

Your email address will not be published.