ଜ୍ଞାନେନ୍ଦ୍ର କୁମାର ପଣ୍ଡା
ମା’ ମା’ ମା’ ଲୋ
ତୋତେ ପଚାରୁଛି ଏ ଅଧମ ପୁତ୍ର ତୋର
ତୁ ଯଦି ତୃଷିତ ଅଛୁ ଅନନ୍ତକାଳରୁ
ହେ ମାଆ ମୋର ମୋତେ ଆଦେଶ କର
ତୋ ଇଚ୍ଛିତ ବାକ୍ୟକୁ ମଣିବି ଶିରୋଧାର୍ଯ୍ୟ
ଏ ମୋର ନଶ୍ୱର ଶରୀରୁ ଦେଇ
ଟୋପା ଟୋପା ରୁଧିର।
କହ..ତୋ ଅଧମ ପୁତ୍ର ପାଖରେ
ଏହା ବ୍ୟତୀତ ଆଉ କି ସମ୍ବଳ ଅଛି..?
ତେଣୁ ସେ ରୁଧିରକୁ ପିଆଇ
ତୃଷ୍ଣା ତୋର ମେଣ୍ଟାଇବାକୁ ଚେଷ୍ଟିତ ହେବି
ତୁ ଯେତେ ଯେତେ ତୃପ୍ତି ଲଭୁଥିବୁ ମାଆ ଲୋ
ମୁଁ ସେତେ ସେତେ ଜୀଇଁ ଉଠୁଥିବି ।
ତୋ ଛାତିର ଅମୃତକୁ ପିଇ
ତୋ କୋଳେ ଜନମି
ତୋ କାନିର ଅଭୟପଣକୁ ଘୋଡ଼ିହୋଇ
ଯେଣୁ ଏ ପଞ୍ଚଭୂତ ଶରୀରରେ ମୋର
ଅମରତ୍ୱକୁ ଗୋଟାପଣେ ବୋଳିନେଇଛି..
ଜୀବନୀ-ରୁଧିର-ଶକ୍ତିରେ
ଅପ୍ୟାୟିତ କରି ତୋତେ
କହ..ମୁଁ କି ମରିପାରିବି.?
ଦେଖ୍ ମା’ ମୋ ଲାଗି ମୁଁ ନିଜେ
ସ୍ୱ ଇଚ୍ଛାରେ ଶାସ୍ତି ନିର୍ଦ୍ଧାରିତ କରିନେଇଛି
ଏହିକ୍ଷଣି ସହାସ୍ୟ ବଦନରେ ଏ ଶରୀର ଛେଦିବି
ଟୁକୁଡ଼ା ଟୁକୁଡ଼ା ଶରୀର ଖଣ୍ଡକୁ
ପଶ୍ଚାତ୍ତାପର ଭୋଗଥାଳରେ
ନୈବେଦ୍ୟ ଜାଣି ବାଢିଦେବି..!
ଅନ୍ତିମ ଇଚ୍ଛା ମୋର ଏବେ ଶୁଣିବୁକି ମା..
ତଥାପି ତୁ ଯଦି ବ୍ୟଥିତ ଅଟୁ ତୋ ପୁତ୍ରରେ
ତୁ ଯଦି ଅତୃପ୍ତ ଜର୍ଜରିତ ଏ ଅଧମ ପରେ
ତେବେ ମୁଁ ପାତିଦେଉଛି
ଶୀରକୁ ମୋର ତୋ ଚରଣରେ
ଏହି କ୍ଷଣି ଚନ୍ଦ୍ରହାସର ପୁନଃପରୀକ୍ଷା ନେ
ତୋ ଖଡ୍ଗଭାରର ଶ୍ରଦ୍ଧାରେ ।
ମୁଁ ଜାଣେ..
ମୁଁ ଜାଣେ ଲୋ ଅୟି କରୁଣାମୟୀ..
ତୃପ୍ତ ହୋଇ ତୁ କହିବୁ ତଥାସ୍ତୁର ଅଭୟ ଶବ୍ଦ
ପୁଣି ଥରେ ପୁନଃନିର୍ମିତ ହୋଇ ଜୀଇଁ ଉଠିବ
ତୋର ଏ ଅଧମ ପୁତ୍ର ।
ମା’ ଲୋ..ମୋତେ ଏତିକି ଅଭୟ ଦେ
ଯେତେ ଜନ୍ମ ପ୍ରାପ୍ତି ହେଉଥିବ ମୋତେ
ଖାଲି ତୋତେ ହିଁ ପୁଜିବି
ପୁଣି ତୋ ସାଥେ ଖେଳିବି
ଥକ୍କି ପଡୁଥିଲେ
ତୋ ପଣତକାନିରେ ଶୋଇ ଯାଉଥିବି ।
ମା ‘ ପ୍ରଣାମ |
Comments are closed.