Latest Odisha News

କବିତା:କବି

 

ହିମାଂଶୁ ଆଚାରୀ

କବି
ସାରାକାଳ
ଲୁହ ଆଉ ଲହୁରେ
ବତୁରିଥିବା
ହୃଦୟଖଣ୍ଡକ ଧରି
ବ୍ରହ୍ମାଣ୍ଡକୁ ମୋର କୁହେ
ମୁଠାଏ ଶବ୍ଦକୁ କରାୟତ କରି
ନିଜକୁ ନିଜେ ଇ
ବାଣ୍ଟୁଥାଏ
କେବେ ପୁଣି ଶବ୍ଦହରା ହେଇ
ନିଶାର୍ଦ୍ଧରେ
ଆଉଟୁପାଉଟୁ ହୁଏ !

କବି
ଭାଙ୍ଗୁଥାଏ/ ଯୋଡୁଥାଏ
କେବେ ଫୁଲ ପରି
ତ କେବେ
ଭାତହାଣ୍ଡି ପରି ଟକ୍ ମକ୍ ଫୁଟେ
ହାତ ବଢେଇ ଜହ୍ନକୁ ତୋଳେ
ଆକାଶକୁ ଛାତି କହେ
ତ କେବେ
ଛାତିକୁ ଆକାଶ !
ସମୁଦ୍ରମନସ୍କ ପାଇଁ
ଆଖିରେ ନାଆଟିଏ ବାହେ
କେବେ ପୁଣି
ନାରୀ ଭଳି ସାରାରାତି
ପ୍ରସବ ବେଦନା ସହେ !

କବି
ଏକାନ୍ତରେ ନିଜ ସହ ନିଜେ
କଥାହୁଏ
ଅଭାବ ସହ ଭାବ ଯୋଡୁ ଯୋଡୁ
ଆବେଗର ବେଗ ମାପୁଥାଏ
ପ୍ରେମର ପରିଧି ଭିତରେ
ପରମାୟୁ ଖୋଜେ
ନଖଦର୍ପଣରେ ଦେଖେ
ସମାଜର ସବୁତକ
ସୁଖ ଓ ଶୋକ
ପାପୁଲିସାରା ବିଛେଇଦିଏ
ବିଶ୍ବ
ଶିବଙ୍କୁ ଶବ କହୁ କହୁ
ନିଜେ ଶିବ ହେଇଯାଏ !

କବି
ଝୁଣ୍ଟୁଥାଏ ବାରବାର
ଅନ୍ଧାର ଉପରେ ଭରାଦେଇ
ଆଲୁଅକୁ ଘାଣ୍ଟୁଥାଏ
ଡହଡହ ଖରାରେ ସେ
ନିଜ ଛାଇକୁ ଲୁଚେଇ
ଶବ୍ଦପୁଞ୍ଜାକ ଭିତରେ
ଦାନା ଖୁଣ୍ଟୁଥାଏ
ବର୍ଷାରେ ଶୁଖାଉଥାଏ
ଓଦା ହେଉନଥିବା ତା’ କାଗଜର ପିଠି
ଶୀତରେ ସେ ଚୁପଚାପ୍
କଲମ ଠିପିରେ
ଗୀତ ଗାଉଥାଏ !!

Comments are closed.