Latest Odisha News

କବିତା : ପ୍ରତାରଣା

ମିନାକ୍ଷୀ ଦ୍ବିବେଦୀ 

ଘର ଭିତରେ ଶୂନ୍ଯତା ହିଁ ଶୂନ୍ଯତା
କାହାର ସୋର ଶଦ୍ଦ ଟିକେ ବୋଲି ନାହିଁ
ଏମିତିକି ଘର ଚଟିଆ ସବୁ ଚୁପଚାପ ।।
ଶୁଭୁଛି ଘଡିର ଖାଲି ଟିକ୍ ଟିକ୍ ଶବ୍ଦ ।

ପରିବ୍ୟାପ୍ତ ମୋ ଛାଇ
ସତେ ଯେମିତି ଅନୁସରଣ କରୁଛି …
ହସୁଛି, କାନ୍ଦୁଛି, ନାଚୁଛି…. ପୁଣି….
ଧୀରେ ଧୀରେ ଅନ୍ତର୍ଦ୍ଧାନ ହୋଇ ଯାଉଛି।

ଲୋକେ କୁହନ୍ତି…
ଛାଇ ବଢିଲେ ଆୟୁଷ କମେ……

ହଠାତ୍ ଶୀତଳ ହୋଇ ଯାଇଛି ଦେହ
ବରଫର ଗୋଳା ଯେମିତି ଲଦା ହୋଇଛି।।।
ଓଃ କି ଥଣ୍ଡା….!!
ଘୋଡେଇ ଦିଅ ଟିକେ…..
ଦେଖ ପବନ ଭି ସ୍ଥିର, ଶାନ୍ତ….
ଚାରିଆଡେ ଖେଳୁଛି ଯେମିତି ଅସ୍ବସ୍ତିର ଛାଇ।।।

ରୁହ ରୁହ କୁଆଡେ ନେଉଛ????
ଛାଡ ….ଛାଡ ମତେ…

ମୋ ସଂସାର , ମୋ ପରିବାର ସବୁତ ଏଇଠି…
ମୋ କଥା ଟିକେ ଶୁଣ
କେଜାଣି କି ଶୋକ ଅଭିଭୂତ କରିଛି???
ହଠାତ୍ ବାୟୁମଣ୍ଡଳ ଡେଇଁ …..
ଆତ୍ମା କୁଆଡେ ଚାଲି ଯାଇଛି …..
ରାସ୍ତା କଡରେ ଉଦାସୀନ ପାହାଡ , ପଥର….
ଯାଚି ଦେଇଛି ସତେ ଧୂସର ନିଦ୍ରା।।।।

ଉପରେ ସୂର୍ଯ୍ୟ, ଚନ୍ଦ୍ର, ତାରାମାଳ
କେତେ ଗ୍ରହାଣୁ ପୁଞ୍ଜ,

ତତାପି ଏକୁଟିଆ ଲାଗୁଛି,
ଛାଡିଦିଅ ଯୋଉଠୁ ଆଣିଥିଲ ଛାଡିଦିଅ …
ଛାଇର ଛାଇ, ସ୍ମୃତିର ସ୍ମୃତି , ସତ୍ତାହୀନ ଛାୟାନବ..
ରହିଗଲା କାହାର ସଖୀ କଣ୍ଢେଇ ହୋଇ।।

ଧୋକା ଦେଲା ଛାଇ
ଦୂରେଇ ନେଲା ମତେ ମୋ ଠାରୁ…

ରହ ରହ ଆଉ ଥରେ ଆସିବି
କୈଫିୟତ ନେଇ ଆସିବି
ନ ଥିବ ଡର
ନିର୍ବିକାର ହୋଇଯିବି
ଧୂଳି ରେ ଅଣୁ ହୋଇ ମିଶିଯିବି…..
ହସୁଥିବି ମାୟାରେ, ଶାନ୍ତିରେ, ଲୋଭରେ
ଶୁଭ୍ର ନୀରବ ସ୍ବରରେ…

ମୋ ଛାଇ ମତେ ତ ଆଉ ଚିହ୍ନି ପାରୁନି
ଯାହା କରୁଛ ଏବେ କର….

ମୁଁ ଏବେ ହାରି ଯାଇଛି
ସମସ୍ତଙ୍କଠୁ ଯେମିତି ହାରି ଯାଇଛି ଆଶାହୀନ , ଅସୁମାରୀ ମଣିଷଙ୍କଠୁ
ମୋ ନିଜ ଛାୟାବୃଷ୍ଟିଠୁ
ଅତ୍ଯାଚାରୀ ମୁହୂର୍ତ୍ତଠୁ…!!!

 

Comments are closed.