ମିନାକ୍ଷୀ ଦ୍ବିବେଦୀ
ସମସ୍ତେ ଆସନ୍ତି ଯାଆନ୍ତି
ସେ(ମାଟି) କିନ୍ତୁ ମୁହଁ ପାତି ପଡ଼ି ରହିଛି
କୁଆଡେ ଯିବାର ନଥାଏ,
ନା ସ୍ବର୍ଗକୁ ନା ନର୍କକୁ,
ନା ମନ୍ଦିରକୁ ନା ମସଜିଦକୁ,
ସମସ୍ତେ ଟାଣି ହୋଇ ଆସନ୍ତି ଶେଷ ସମୟରେ।
ଭଲପାଏ ସେ ସୂର୍ଯ୍ୟକୁ ତାର ଉଷ୍ଣ କିରଣକୁ,
ଭଲପାଏ ଜହ୍ନକୁ ତାର ଶୀତଳତାକୁ,
କଳାମେଘ ଯେତେବେଳେ ଚିପୁଡି ଦିଏ ଲୁହ
ଆଉଯେଇ ନିଏ ବୁକୁରେ
ନବଜନ୍ମ ରୂପଦିଏ
ଆ ଆ କରି ହାତ ଠାରି ଡାକେ
ପୂରିଉଠେ ଛାତି
ଏ ମାଟିର ହୃଦୟ ବନ୍ଦହୁଏ ନାହିଁ କେବେ
ଆଜି ବି ସେ ଜୀବନ ପାଇଁ
ଆଲିଙ୍ଗନ କରେ ଯେତେ ଖାଦ ଯେତେ ମଇଳା ,କୋଚଟ ମନ,
ବେଳେ ବେଳେ ସବୁଜ ପତ୍ର ଲୁଚେଇଦିଏ ତାର ଅସରନ୍ତି ନୀରବ କୋହ।
ଅନ୍ଧାରି କପଟ ଯନ୍ତ୍ରଣାର ସେ ଆଜି ମୁକସାକ୍ଷୀ
ସମ୍ପର୍କର ଗୁଡ଼ି ଏଠିତ ସ୍ବାର୍ଥ ଡୋରିରେ ବନ୍ଧା
କ୍ଷୁବ୍ଧ ହୋଇ ଉଠେ ମନ,
ତଥାପି ସ୍ନେହ ମମତାରେ ହୃଦୟ ବାନ୍ଧିଛି
ମା’ର ଆଶୀର୍ବାଦ ଦେଇଛି
ମା’ ମନ ବୁଝୁଛି ବା କିଏ ?
ଜାଣିଛି କର୍ତ୍ତବ୍ୟ ତାର ମୁକ୍ତିମାର୍ଗ
ବାଧ୍ୟହୋଇ ଦିଏ ଆତ୍ମାହୁତି
ମୃତ୍ୟୁ ହୁଏ ଅଭିଶପ୍ତ
କାପୁରୁଷତା ନୁହେଁ ତା’ର
ଅଖଣ୍ଡ ବିଶ୍ବାସ ସର୍ବ ନିୟନ୍ତା ପାଖେ
ଗଢିବ ନୁଆ ସ୍ବର୍ଗ, ରଚିତ ପ୍ରାରବ୍ଧ ଦୁନିଆ
ବିଶ୍ବାସରେ ବଞ୍ଚିଛି ସେ
ଅସହଣୀ ଭାର ନେଇ
ନିର୍ଲିପ୍ତ ଆକାଶକୁ ଚାହିଁ
ସିଏ ତ ବିସ୍ତାରିତ ସୌନ୍ଦର୍ଯ୍ୟର ମାଆ
ରକ୍ତରେ ତାର ବୋଳି ପକାଏ ସତ୍ୟର ଅନୁପସ୍ଥିତିକୁ
ତଥାପି ଭଲ ପାଇବା ଭୁଲେ ନାହିଁ କେବେ
ନିଜ ଭାଗ୍ୟକୁ ମନୋନୟ କରି ହସି ଖେଳି, କଷ୍ଟ ସହି ବଞ୍ଚିରହେ ଚିରକାଳ
ଅବାସ୍ତବ ସାମ୍ରାଜ୍ୟ ରେ ସ୍ନେହ, ମମତା ସତ୍ୟର ଉତ୍ଥାନ ପାଇଁ
Comments are closed.