ନିବେଦିତା ନନ୍ଦ
ଅପେକ୍ଷା କରିଥିବ ।
ଆଖି ଖୋଲିବତ
ବିଛେଇ ହୋଇ ଯାଇଥିବ
କୃଷ୍ଣଚୂଡା଼ର ମୁରୁଜ ।
ସବୁଜ ଗାଲିଚା ପାଦ କଢେଇ ନେଉଥିବ
ଅଜଣା ଚଉହଦୀକୁ ।
ସେଇଠି ଘୁମନ୍ତ ଆକାଶ
ଅଳସୀ ଜହ୍ନର କାନେ କାନେ
ଫୁଙ୍କି ଚାଲିଥିବେ ଗତିର ମନ୍ତ୍ର ।
ତୁମେଟାଣି ହେବ ନିଶ୍ଚେ
ଦୋୖଡ଼ନ୍ତା ଜଙ୍ଗଲ ଆଡକୁ
ଅଭିସାର ନିଶାରେ ।
କିଏ ବିଛେଇଛି ଏହି ରାସ୍ତା
ଯାହାର ଠିକଣା ପହଞ୍ଚିଛି
ଆସି ମୋ’ ପାଖରେ , ଭୁଲରେ !!
ବହୁତ ଜିଦ୍ଦି ଏହି ରାସ୍ତା
ପଡ଼ବିନି ଭାବିଥିଲି ତା ପାଲରେ ।
ସେ ଛାଡିନି ତା’ ଧୂସରପଣ
ଲକ୍ଷେ ପାଦର ଆକର୍ଷଣ ।
ବାଟ ପ୍ରସରି ଯାଉଥିବ
ସ୍ରୋତରୁ ଝରଣା
ଝରଣା ଠାରୁ ନଦୀ
ନଦୀଠୁ ପୟୋଧୀ
ପୟୋଧୀରୁ ଆକାଶ
ଶେଷ ହେବା ଯାଏଁ ଅଫେରା ରାଇଜକୁ
ସ୍ୱପ୍ନର ଅବିର ବୁଣି ବୁଣି ।
ଆମେ ତିଆରିବା କି ରାସ୍ତା
ଆଖିର ନୀଳ ଆୟୂଧରେ
ଆହତ କି ପରାସ୍ତ ହେବାର
ଭୟ ନାହିଁ ଯେଉଁଠି
ଜୀବନର ହଂସ ଗୀତି
ସେଠି ନିତି ଶୁଭୁଥାଏ।
ଡରିବାକି.ଦୂରତାକୁ ?
ସେ ଯେ ଆପେକ୍ଷିକ
ତୁମେ ଫେରିପାରିବ ସାଲମନ ଭଳି
ଲକ୍ଷେ ପ୍ରତିକୂଳ ସ୍ଥିତି ଡ଼େଇଁ
ରାସ୍ତା କରି ରାସ୍ତାର ଠିକଣାରେ ।
ଆଖି ଫୁଟେଇବାର ରହସ୍ୟ
ମୁଁ ଖୋଜି ବାନ୍ଧି ଆଣିଥିବି
ସାତ ତାଳ ପାଣି ତଳେ ଥିବା
ସୁନେଲି ଫରୁଆରେ ।
ଅପେକ୍ଷା ସୂର୍ଯ୍ୟ ହୋଇ ଝଟକୁଥିବ ସେତେବେଳେ ।
ବାସନ୍ତୀ କଲୋନୀ , ରାଉରକେଲା
Comments are closed.