Latest Odisha News

କବିତା : ପଞ୍ଜୁରୀ

ପ୍ରସେନଜିତ ସେଠୀ

ଶାରୀଟିଏ
ସେ ଭାବୁଥାଏ, ତା ଦୁନିଆ ସବୁଠୁ ବଡ଼
ଅନ୍ୟର ପଞ୍ଜୁରୀରେ ବନ୍ଦୀ ହୋଇ
ଅନ୍ୟମାନଙ୍କ ଶିଖାଉଥିବା କଥା କହି।

ସେ ଭାବେ
ସେ ତାର କର୍ତ୍ତବ୍ୟ କରୁଛି
ମୁଠାଏ ଆଧାର ପାଇଁ
ଜୀବନ ଜୀଇଁବା ପାଇଁ!

ସେ ଭାବେ
ସେଇ ତାର ସ୍ବର୍ଗ ସୁଖ
ପଞ୍ଜୁରୀ ବାହାର ଦୁନିଆକୁ ଆଖି ବୁଜି ଦେଇ
ଅନ୍ୟର ଇଙ୍ଗିତରେ ମୁଣ୍ଡ ଟୁଙ୍ଗାରି।

ସେ ଜାଣେ
ପଞ୍ଜୁରୀ ବାହାର ଦୁନିଆଟା ବହୁତ୍ ସୁନ୍ଦର୍
ସେଠି ଅଛି ସ୍ଵାଧୀନତା ଓ
ସ୍ଵେଚ୍ଛାଚାରିତାର ଅନୁଭବ।

ତଥାପି ତା ପଞ୍ଜୁରୀ ଖୋଲିଦେଲେ
ସେ ଉଡ଼ି ଯାଏନି
ବୋଧ ହୁଏ ସେ ଉଡ଼ିବା ଭୁଲି ଯାଇଥାଏ
ନତୁବା ସ୍ବାଧୀନତାର ଆନନ୍ଦ ଅନୁଭବିବାକୁ
ତାର ସାମର୍ଥ୍ୟ ନଥାଏ।

ଠିକ୍ ସେମିତି ନାରୀଟିଏ
ସମ୍ପର୍କର ପଞ୍ଜୁରୀରେ ବନ୍ଦୀ।

ଖାଲି ନାରୀଟିଏ କାହିଁ
ମୁଁ, ତୁମେ, ଆମେ ସମସ୍ତେ
ଏ ସଂସାରରେ ବନ୍ଦୀ।

ବାସ୍, ଫରକ କେବଳ ଏତିକି
ଭିନ୍ନ ଭିନ୍ନ ସ୍ଥାନରେ
ଭିନ୍ନ ଭିନ୍ନ ସ୍ତରରେ
ଆମେ ବନ୍ଦୀ
ଭିନ୍ନ ଭିନ୍ନ ବନ୍ଧନରେ!!

ବାଲିଆ, ଗୋପୀନାଥପୁର, ଜଗତସିଂହପୁର

Comments are closed.