Latest Odisha News

କବିତା : ସତୀର୍ଥ ବାଟୋଇ

ପ୍ରିୟମ୍ବଦା ସାମଲ 

ଜୀବନର ଅଙ୍କାବଙ୍କା ପଥେ
ଦେଉଥାଅ ମୋର ସାଥ
ଝୁଣ୍ଟି ପଡିଲେ ଅତି ଅନୁରାଗେ
ଧରିନିଅ ମୋର ହାତ।

ତୁମଠି ବିଶ୍ବାସ ଅଛି ବୋଲି ମୋର
ସଂସାରେ ଚାଲୁଛି ବାଟ
କଣ୍ଟକିତ ପଥେ ଚିର ସାଥୀ ମୋର
ଜୀବନେ ଅଛି ସଙ୍କଟ ।

ସଂଘର୍ଷ କଷଣ ଝଡ ଝଞ୍ଜା ଆସେ
ଚାଲିବା ପଥରେ କେତେ
ମୋର ସାଥେ ଥିଲେ ସାମନା କରଇ
ଥକିଯାଏ ନାହିଁ ସତେ।

ଦୁଃଖ ବ୍ଯଥା ସବୁ ବାଣ୍ଟି ନେଉଥାଅ
ମୋ ମନେ ଶକତି ଦେଇ
ଆଗକୁ ଚାଲିବା ପାଇଁ ପ୍ରୋତ୍ସାହନ
ଦେଉଥାଅ ରହି ରହି।

ତୁମେ ମୋ ସତୀର୍ଥ ପ୍ରାଣ ପ୍ରିୟ ମୋର
ତୁମେ ମୋର ପ୍ରିୟତମ
ହେ ବାଟୋଇ ତୁମ ବିନା କିଛି ନୁହେଁ
ସ୍ଥିତି ମୁକ୍ତି କାହିଁ ସ୍ଥାନ।

ସଂସାର ରାସ୍ତାକୁ ଅତିକ୍ରମି ଯିବା
ମୋ ପକ୍ଷେ ନୁହେଁ ସମ୍ଭବ
ତୁମେ ମୋର ଗତି ତୁମେ ମୋର ମୁକ୍ତି
ତୁମେ ପରା ପରାଭବ।

ତୁମ ବିନା ସଖା ଜୀବନ ଯନ୍ତ୍ରଣା
ଜୀଇଁବା ମରିବା ଏକା
ତୁମରି ଆଶ୍ଳେଷ ତୁମ ମଧୁସ୍ପର୍ଶ
ଜୀବନେ ଦିଏନା ଥକା।

ଆଗକୁ ଅନେକ ରାସ୍ତା ଅଛି ବାକି
ଚାଲୁଥିବି ଟେକି ଶିର
ସାଥୀ ଦେଉଥିବ ହେ ସତୀର୍ଥ ମୋର
ନ କରିବ କେବେ ପର।

ତୁମ ବିନା ମୋର ଗତି ସ୍ଥିତି ନାହିଁ
ନାହିଁ ଦୁନିଆରେ ସ୍ଥାନ
ତୁମେ ମୋ ଜୀବନ ତୁମେ ମୋ ତର୍ପଣ
ତୁମେ ମୋ ପ୍ରାଣ ସ୍ପନ୍ଦନ।

ପଟିଆ, ଭୁବନେଶ୍ୱର

Comments are closed.