ରାଜ କିଶୋର ଦାସ
ଫେରେଇ ଦେବାର କଳା
ଜାଣି ହୋଇନି ବୋଲିତ
ଯେତେ ନିବୁଜ କରି ଆଖି ବନ୍ଦ କଲେ ବି
ଭରିଯାଏ ଆଖିରେ ଆଖିଏ ସ୍ୱପ୍ନ ।
ଘର କେଉଁଠି ତା’ର ଯେ
ବେଧଡ଼କ ଚାଲି ଆସେ
ନିଦ, ଅଧାନିଦ, ବେ ନିଦ
ଦି ନିଦ ଫରକ ପଡ଼େନି।
ରାତି ପାହାନ୍ତା ସକାଳ
ଯେତେବେଳେ , ସେତେବେଳେ ରାଜ ଚାଲେ
ରତି, ରାହାସ ବେହୋସ, ସହବାସ
ବିଚ୍ଛେଦର ପ୍ରଭେଦ ନଥାଏ।
ଏତେ ସବୁ ଘଟିଗଲା ପରେ ଜାଣିହୁଏ
ସରିଯାଇଥାଏ ସ୍ୱପ୍ନର ସାମ୍ରାଜ୍ୟ ବିସ୍ତାର
ସିଂହାସନରେ ଅଧିଷ୍ଠାତ୍ରୀ ଅଭିଷେକ
ହୋଇଯାଇଥାଏ ଶଙ୍ଖ, ବାଦ୍ୟ, ଭେରୀତୂରୀ
ମଙ୍ଗଳ ଆଳତି , କୋଳାହଳ, ଜମାରୁ ନଥାଏ।
ଏଥର ହାତ ଟେକିଦେବା କଥା।
ସତସତିକା ଜୀଇଁବା ପଣଠୁ ଦୂରରେ
ନୂଆ ଏକ ରାଜ୍ୟରେ ଜୀଇଁବା
ସବୁ କଳା ଧଳା ଚିତ୍ରକୁ
ମନଇଚ୍ଛା ରଙ୍ଗୀନ କରିବା
ସ୍ୱପ୍ନରେ ମଣିଷ ଜୀଏଁ ବୋଲି
ବଡ଼ ମିଛକଥାଟେ କହିବା
ସ୍ୱପ୍ନଭୁକ୍ ହୋଇ ଜୀଇଁବା ।
ଶ୍ରୀରାମ ନଗର
ସାମନ୍ତରାପୁର, ଭୁବନେଶ୍ୱର
Comments are closed.