ରାମକୃଷ୍ଣ
ସାଦା କାଗଜ ଖଣ୍ଡେ ସତେବା
ଉଡିଆସେ ଶୂନ୍ୟରୁ ପବନରେ
ଜମାରୁ ଉତୁରେ ନାହିଁ ହୃଦୟ
ଯେତେ ଚେଷ୍ଟା କଲେ ସେ କାଗଜରେ
କେବଳ ତେଢା ବଙ୍କା ଗୋଟେ ଚିତ୍ର
ଆବୁରୁ ଜାବୁରୁ କିଛି ଶବ୍ଦ
ମନ ତ ସମୟ ପରି ପିଚ୍ଛିଳ
ଗଳିଯାଏ ଶବ୍ଦର ଆଙ୍ଗୁଠି ଫାଙ୍କରେ
କେତୋଟି ଅଙ୍କ ବିଶିଷ୍ଟ ସଂଖ୍ୟାରେ
ମାଟି ଉପରେ ଛିଡା
ପାଳଭୂତର ଛବି ଓ ଠିକଣାରେ
ସଙ୍କୁଚିତ ହୋଇ ରହିଯାଏ ମୁଁ
ଭୋଟର କାର୍ଡ଼, ପାନ୍ କାର୍ଡ଼, ଆଧାର୍ କାର୍ଡ
ପରିଚୟ କେବଳ ଏତିକି ମାତ୍ର
ସାଦା ପୃଷ୍ଠା ଉପରେ
ନିଶ୍ଚଳ ମୃତବତ୍ ଗୋଟେ ଚିତ୍ର
ସାଦା କାଗଜ ଉପରେ
କେବଳ ଛାଇଟି ପଡିରହେ
ଇତସ୍ତତଃ ବୁଣା କିଛି ଶବ୍ଦ ଓ ରଙ୍ଗରେ
ସ୍ବପ୍ନ,ସ୍ପନ୍ଦନ ଓ ଉଡାଣ ତ ଦୂରର କଥା
ଲୁହ,ଲହୁ, ସ୍ବେଦର ଗନ୍ଧ ବି ନଥାଏ,
ଦୃଶ୍ୟ ଉହାଡରେ ଆଗମନ
ପ୍ରସ୍ଥାନ ବି ଦୃଶ୍ୟ ଉହାଡରେ
ବେଳେବେଳେ ଡଙ୍ଗାଟିଏ କରି
ଭସାଇ ଦିଏ ତାକୁ ବର୍ଷା ଜଳରେ
ସମୁଦ୍ରମୁହାଁ, ବେଳେବେଳେ
ବ୍ୟୋମଯାନ କରି ଉଡାଇଦିଏ ଆକାଶ ମୁଁହା
ଖେଳରେ ଖେଳରେ ସାଉଁଟା ସୁଖ ଯେତିକି
ବାସ୍ ଜୀବନ ବୋଇଲେ ସେତିକି
ସାଦା କାଗଜ ଖଣ୍ଡେ
ଶୂନ୍ୟରୁ ଉଡିଆସେ ପବନରେ
ଧରୁ ଧରୁ ଯାଇ ଖସିପଡେ
ସିଧା ଚିତା ନିଆଁରେ
Comments are closed.