Latest Odisha News

BREAKING NEWS

ମହିଳା ଅଣ୍ଡର-୧୯ ଟିମ୍ ଟି-୨୦ ବିଶ୍ୱକପ: ଜିତିଲା ଭାରତ

ପୋଚେଫ୍‌ଷ୍ଟ୍ରୁମ୍‌: ଭାରତ ମହିଳା ଅଣ୍ଡର -୧୯ ଦଳ ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ଜିତିଛି। ଅନ୍ତିମ ମ୍ୟାଚରେ ଶେଫାଳି ବର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହେବାର ଗୌରବ ହାସଲ କରିଛି। ଏହା ଅଣ୍ଡର -୧୯ ଟି -୨୦ ବିଶ୍ୱକପ୍‌ର ପ୍ରଥମ ସଂସ୍କରଣ ଥିଲା।

ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ଇଂଲଣ୍ଡ ବିପକ୍ଷ ୨୦୧୭ ବିଶ୍ୱକପ୍ ଫାଇନାଲରେ ସିନିୟର ଦଳର ପରାଜୟର ପ୍ରତିଶୋଧ ନେଇଛି। ଏଥିସହ ମହିଳା କ୍ରିକେଟ୍ ଇତିହାସରେ ଭାରତ ପାଇଁ ଏହା ହେଉଛି ପ୍ରଥମ ବିଶ୍ୱକପ୍।

ଅନ୍ତିମ ମ୍ୟାଚରେ ଅଧିନାୟକ ଶେଫାଳି ବର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରୁ ଭାରତର ବୋଲରମାନେ ଦବଦବା ଜାହିର କରିଥିଲେ। ପ୍ରଥମ ଓଭରରୁ ଆରମ୍ଭ ହୋଇଥିବା ୱିକେଟ୍ ପଡ଼ିବା ପ୍ରକ୍ରିୟା ବନ୍ଦ ହୋଇନଥିଲା। ପାୱାରପ୍ଲେରେ ଇଂଲଣ୍ଡ ମାତ୍ର ୧୬ ରନ୍ ପାଇଁ ତିନୋଟି ୱିକେଟ୍ ହରାଇଥିଲା। ଏହାପରେ ମଧ୍ୟ ୱିକେଟ୍ ପଡିଚାଲିଥିଲା। ତେଣୁ ଇଂଲଣ୍ଡ ଦଳ ମାତ୍ର ୧୭.୧ ଓଭର ଖେଳି ୬୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

୬୯ ରନ୍‌ର ଟାର୍ଗେଟକୁ ପିଛା କରିବାକୁ ଓହ୍ଲାଇଥିଲା ଭାରତୀୟ ଦଳ। ଆଉ ୩ ୱିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିନେଇଥିଲା ଭାରତ।

ଶେଫାଳି ୧୧ ବଲ୍‌ରୁ ୧ ଛକା ଓ ୧ ଚୌକା ଜରିଆରେ ୧୫, ଗୋଙ୍ଗାଡି ତ୍ରିଶା ୨୯ ବଲ୍‌ରୁ ୩ ଚୌକା ସହାୟତାରେ ୨୪ ଏବଂ ଶ୍ବେତା ସେରାୱତ ୫ (୧ ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ ମଧ୍ୟ ଭାରତ ୧୪ତମ ଓଭରରେ ହିଁ ମ୍ୟାଚ୍‌ ଜିତି ନେଇଥିଲା। ସୌମ୍ୟା ତିୱାରୀ ୨୪ (୩୭ ବଲ୍‌, ୩ ଚୌକା) ଅପରାଜିତ ରହି ବିଜୟ ମୁଣ୍ଡି ମାରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଫାଳି ବର୍ମାଙ୍କ ଯୁବ ବ୍ରିଗେଡ୍ କେବଳ ଗୋଟିଏ ମ୍ୟାଚ୍ ହାରିଥିଲା।

ମହିଳା କ୍ରିକେଟ୍ ଇତିହାସର ଯେକୌଣସି ପର୍ଯ୍ୟାୟରେ ଭାରତ ପାଇଁ ଏହା ହେଉଛି ପ୍ରଥମ ବିଶ୍ୱକପ୍। ଶେଫାଳିଙ୍କ ଏହି ଯୁବ ଦଳ ସିନିୟର ଦଳ ଯାହା କରିପାରିବ ନାହିଁ ତାହା କରି ଦେଖାଇଛି।

 

 

Leave A Reply

Your email address will not be published.