Latest Odisha News

BREAKING NEWS

କବିତା : ଆହେ ଗଜାନନ

 ସାଧନା ପଣ୍ଡା  

ବିଘ୍ନ ବିନାଶନ ପାର୍ବତୀ ନନ୍ଦନ
ଆହେ ପ୍ରଭୁ ଗଜାନନ
ସିଦ୍ଧିଦାତା ତୁମେ ଜ୍ଞାନର ଭଣ୍ଡାର
ସର୍ବଗ୍ରେ ତବ ପୂଜନ।

ସଂସାରରେ ଯଶ ଧନ ମାନ ଜନ
କରୁଣାରୁ ତବ ମିଳେ
ବିଦ୍ୟା ଦାତା ତୁମେ କରୁଣା ସାଗର
ଫେଡ ଅଜ୍ଞାନକୁ ହେଳେ।

କି ଦରବ ଦେଇ ପୂଜିବୁ ତୁମ୍ଭଙ୍କୁ
ସବୁ ତ ତୁମରି ଦାନ
ସାହସ ଶକତି ଦିଅ ଭରି ପ୍ରଭୁ
ବନ୍ଦୁଚୁ ତବ ଚରଣ ।

ହେ ବିଶ୍ୱ କରତା ମୋ ଦୁଃଖ ହରତା
ଦୀନା ହୀନା ଦୁଃଖୀ ମୁହିଁ
ତୁ ଅଟୁ ଭରସା ଲୋଡେ ତୋର ଆଶ୍ରା
ଅଜ୍ଞାନୁ ତରିବା ପାଇଁ ।

ବିଶ୍ୱ ପ୍ରାଣ ବିନ୍ଦୁ ହେ କରୁଣା ସିନ୍ଧୁ
ତୁମେତ ଜଗତ ସାଇଁ
ବିହୁନେ ତୁମର ଏ ସୃଷ୍ଟି ଅଚଳ
ତୁମ ବିନୁ ଗତି କାହିଁ ?

ତବ ଆରାଧନା ହୋଇଛି କାମନା
ଘରେ ଓ ଅନୁଷ୍ଠାନ ରେ
ରାଶିଲଡୁ, ଫଳ, ନାନା ଜାତି ଫୁଲ
ଦେଇ ପୂଜନ୍ତି ବିଧିରେ।

ଗଣେଶ ଚତୁର୍ଥୀ ଉତ୍ସବ ପାଳନ୍ତି
ଭାଇଚାରା ଭାବ ନେଇ
ଆନନ୍ଦ ଉଲ୍ଲାସେ ଏ ପର୍ବ ପାଳନ୍ତି
ସରବେ ମିଳିତ ହୋଇ।

ତୁମ୍ଭେ ବିନାୟକ ବାହନ ମୂଷିକ
ସାଥେ ନେଇ ବୁଲିଥାଅ
ଜ୍ଞାନାଲୋକ ଦେଇ ମୂର୍ଖତା ହଟାଇ
ସୁପଥରେ ନେଇ ଯାଅ।

ତୁମ୍ଭ ମହିମାରେ ମାନବ ମନରେ
ହୁଏ ବିବେକ ଉଦିତ
ମଣିଷ ଜୀବନ ଏଣୁ ମୂଲ୍ୟବାନ
ବୁଦ୍ଧି ବଳେ ଯେ ପଣ୍ଡିତ।

ଏ ଶୁଭ ଦିନରେ ସବୁରି ଅନ୍ତରେ
ଚେତନା ଦିଅହେ ଭରି
ଘୁଞ୍ଚି ଯାଉ ଦୁଃଖ ଭରି ଯାଉ ସୁଖ
ମଙ୍ଗଳ ହେଉ ସବୁରି ।

ଭୁବନେଶ୍ବର

Comments are closed.