Latest Odisha News

BREAKING NEWS

ପୁସ୍ତକ ପରିଚୟ : ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା

ଓଡ଼ିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ
ଲେଖକ : ସଦାଶିବ ରଥ
ବୀରରାମଚନ୍ଦ୍ରପୁର, ପୁରୀ
ମୂଲ୍ୟ ‐ ୪୫/-

ଗଜପତି ବୀରରାମଚନ୍ଦ୍ର ଦେବ ପ୍ରତିଷ୍ଠିତ ପୁରୀ ଜିଲ୍ଲାର ବୀରରାମଚନ୍ଦ୍ରପୁର ଶାସନ ୧୬ଶାସନ ମଧ୍ୟରେ ସର୍ବ ବୃହତ୍ । ୧୫୭୭ ଖ୍ରୀଷ୍ଟାବ୍ଦ ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ପୁଷ୍ୟା ନକ୍ଷତ୍ରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ୧୦୮ ଥାନ ସ୍ବର୍ଣ୍ଣ ଅଳଙ୍କାରରେ ରାମାଭିଷେକ କରାଇ ସ୍ବୟଂ ଗଜପତି ସମୁଦାୟ ୧୨ ମାଣ ୧୨ଗୁଣ୍ଠ ୮ବିଶ୍ବାକୁ ୨୦୮ଭାଗ କରି ବ୍ରାହ୍ମଣମାନଙ୍କୁ ଦାନ ଦେଇଥିଲେ । ତତପରେ ଗଜପତିଙ୍କ ଦ୍ବାରା ଉକ୍ତ ଶାସନର ନାମକରଣ କରାଯାଇଥିଲା । ଗଜପତି ଏଇଭଳି ୧୬ଟି ଶାସନ ବସାଇବାକୁ ମନସ୍ଥ କରିଥିଲେ । ସଂପୂର୍ଣ୍ଣ ବାସ୍ତୁ ଅନୁସାରେ ପ୍ରତିଷ୍ଠିତ ବୀରରାମଚନ୍ଦ୍ରପୁର ଶାସନ ତାହାର ଅନ୍ୟତମ ମୁକସାକ୍ଷୀ ଥିଲା ।ତା’ପରେ ଓଡିଶା ଇତିହାସରେ ଘୋଟିଯାଇଛି ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟର ଅନେକ କଳାବାଦଲ । ପଠାଣ, ମୋଗଲ, ମରହଟ୍ଟା ବର୍ଗୀମାନଙ୍କ ଆକ୍ରମଣ ଯୋଗୁଁ ସମଗ୍ର ଓଡିଶା ହୋଇଛି ଥରହର । ଜନସାଧାରଣଙ୍କ ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା କେବେ ରସାତଳ ହୋଇଛି ତ କେବେ ପୁଣି ମୁଣ୍ଡ ଟେକି ଠିଆ ହୋଇଛି । ଏ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ବାରମ୍ବାର ସ୍ଥାନ ପରିବର୍ତ୍ତନ କରିବାକୁ ପଡିଛି କିମ୍ବା ପାତାଳି ହେବାକୁ ପଡିଛି । ଶ୍ରୀମନ୍ଦିର ବି ଲୁଣ୍ଠିତ ହୋଇଛି । ସେ ସମୟରେ ଉତ୍କଳୀୟ ଗ୍ରାମ୍ୟ ଜୀବନ କିପରି ଥିଲା ଜାଣିବାକୁ କୌତୁହଳ ସୃଷ୍ଟି ହୁଏ । ସେଇ କୁତୁହଳର ଏକ ଛୋଟିଆ ପ୍ରୟାସ ହେଉଛି କବି, ନାଟ୍ୟକାର ସଦାଶିବ ରଥଙ୍କ ପ୍ରଣୀତ “ଓଡିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ” ପୁସ୍ତକ ।

ଶ୍ରୀଯୁକ୍ତ ରଥ ଏକାଧାରରେ ଜଣେ ନାଟ୍ୟକାର, ଅଭିନେତା ତଥା ଐତିହାସିକ । ତାଙ୍କର ଅଜସ୍ର ଲେଖା ମଧ୍ୟରୁ ମାତ୍ର ୫ଖଣ୍ଡି ପୁସ୍ତକ ପ୍ରକାଶିତ । ତେବେ ନିଜ ଶାସନ ଗ୍ରାମର ଇତିହାସ ଲେଖି ଲେଖକ ନିଜ ଜନ୍ମଭୂମିର ଋଣ ପରିଶୋଧ କରିଛନ୍ତି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ପୁରୀ ସଂଲଗ୍ନ ଭୁବନେଶ୍ବର ଯିବା ରାସ୍ତାରେ ସାକ୍ଷୀଗୋପାଳ ଆଗକୁ କାଦୁଆ ଛକର ଠିକ୍ ବାମପଟକୁ ପଡେ ଏହି ଶାସନ ଗ୍ରାମ । ସମଗ୍ର ଶାସନଟି ୪ଟି ଖଣ୍ଡିରେ ବିଭକ୍ତ । ଏଠାରେ ବିଭିନ୍ନ ବେଦବିତ୍ ବ୍ରାହ୍ମଣ ତଥା ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି ଅନ୍ୟଜାତିର ଲୋକ ମଧ୍ୟ ରହୁଛନ୍ତି । ବହୁ ପ୍ରାଚୀନ ମନ୍ଦିର, ଦେବଦେବୀ, ପୂଜାପାର୍ବଣ ତଥା ତା’ ପଛର ଇତିହାସକୁ ଲେଖକ ଅତି ସୁନ୍ଦର ଭାବେ ପରିବେଷଣ କରିଛନ୍ତି । ଲେଖକ ବୀରରାମଚନ୍ଦ୍ରପୁରର ଜନ୍ମ ପଞ୍ଜିକାଠୁ ଆରମ୍ଭ କରି ଶାସନ ସଂଲଗ୍ନ ଅନ୍ୟ କରବାଡ, ରାସ୍ତା, ବ୍ରାହ୍ମଣ କର୍ମକର୍ମାଙ୍ଗୀ, ସେବାପୂଜା, ଦେବ ନୀତିକାନ୍ତି, ଭୂସଂପତ୍ତିର ଏକ ବିସ୍ତୃତ ବିବରଣୀ ଦେଇଛନ୍ତି । ଆରାଧ୍ୟ ଦେବତା ଗୋପୀନାଥ, କନକଦୁର୍ଗା ଓ ମଣିନାଗ ଦୁର୍ଗାଙ୍କ ଉପସ୍ଥିତି ତଥା ସ୍ଥାପନା ଖୁବ୍ ରୋଚଚକ । ପୁଣି ଐତିହାସିକ, ଭୌଗୋଳିକ, ସାମାଜିକ, ଅଧ୍ୟାତ୍ମିକ ଦୃଷ୍ଟିକୋଣରୁ ଏହି ଶାସନ ଗ୍ରାମଟିର ଗୁରୁତ୍ବ ଉପଲବ୍ଧି କରାଇବାକୁ ଯାଇ ଲେଖକ ଅନେକ ଜନଶ୍ରୁତି, କିମ୍ବଦନ୍ତୀ, ମାଦଳାପାଞ୍ଜି ତଥା ଶିଳାଲେଖର ସହାୟତା ନେଇ ପୁସ୍ତକଟିକୁ ତଥ୍ୟାଶ୍ରାୟୀ କରିପାରିଛନ୍ତି ।

ଆଞ୍ଚଳିକ ଇତିହାସ ପ୍ରଣୟନ କରିବା ସର୍ବାଦୌ କଠିନ ବ୍ୟାପାର । ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ, ଗ୍ରାମ, ପଡା ବା ଶାସନର ଇତିହାସ ଲେଖିବା ନିଶ୍ଚିତ ଭାବରେ ଅୟାସସାଧ୍ୟ । ଯେଉଁଠି ପୂଣ୍ୟଭୂମି ଊତ୍କଳ ବା ଓଡିଶାର ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ଲେଖା ଯାଇପାରିନି ସେଠି ଓଡିଶା ମାନଚିତ୍ରରେ ଏକ କ୍ଷୁଦ୍ର ଅଞ୍ଚଳ ବୀରରାମଚନ୍ଦ୍ରପୁର କଥା କିଏ ବିଚାର କରୁଛି ! ତେବେ ସେ ଯା ହେଉ କିଛି ଉତ୍ସାହୀ ନବ୍ୟ ଶିକ୍ଷିତ ଗୋଷ୍ଠୀ ଏ ଦିଗରେ ପାଦେ ଅଗ୍ରସର ହୋଇ ଏ ଦୂରୁହ କାର୍ଯ୍ୟଟିକୁ ସଂପାଦନ କରିବାରେ ଲାଗିଛନ୍ତି । ଫଳତଃ ପ୍ରତ୍ୟହ ବିଭିନ୍ନ ଅଞ୍ଚଳର ଇତିହାସ ଗ୍ରନ୍ଥମାନ ପ୍ରଣୟନ ହେଉଛି । ଦିନକୁ ଦିନ ବହୁ ନୂତନ ତଥ୍ୟମାନ ସାମନାକୁ ଆସୁଛି । ବୋଧହୁଏ ଏକ ପୂର୍ଣ୍ଣାଙ୍ଗ ଓଡିଶା ଇତିହାସ ପ୍ରଣୟନ ହେବା ଆଉ ବେଶୀଦିନ ନୁହେଁ । ସେ ଦୃଷ୍ଟିରୁ ପ୍ରଥମ ଥର ପାଇଁ ଐତିହାସିକ ୧୬ଶାସନ ମଧ୍ୟରୁ ସର୍ବବୃହତ୍ ଶାସନ ବୀରରାମଚନ୍ଦ୍ରପୁରର ଇତିହାସ ପ୍ରଣୟନ ବେଶ୍ ଗୁରୁତ୍ବ ରଖେ ।ଗବେଷକ ସଦାଶିବ ରଥଙ୍କ ପ୍ରଣୀତ “ଓଡିଶା ଅନ୍ତରାଳରେ ବୀରରାମଚନ୍ଦ୍ରପୁର ଇତିହାସ” ପାଠକୀୟ ଜିଜ୍ଞାସା ଓ ଐତିହାସିକ ଆବଶ୍ୟକତାକୁ ପୁରଣ କରିବାରେ ସହାୟକ ହେବା ସୁନିଶ୍ଚିତ ।

୭୩୭୭୮୮୯୯୧୬
ନୀଳଚକ୍ର ନଗର
ଅଠରନଳା
ପୁରୀ

Leave A Reply

Your email address will not be published.