ସାଧନା ପଣ୍ଡା
ରାତ୍ରିର ଜରାୟୁ ରେ ସକାଳ ର ଭ୍ରୁଣ
କ୍ରମଶଃ ଉଦଗତ
ନେବ ଜନ୍ମ ନବ ରୂପ
ଅନିର୍ଦ୍ଦିଷ୍ଟ ଗନ୍ତବ୍ୟ
ବଢାଏ ପାଦ କ୍ରମାଗତ
ପୃଥିବୀ ତ ବୁଲେନା ଆହ୍ନିକ ଗତିରେ,
ସବୁ କିଛି ସ୍ତବ୍ଧ ହୁଏ
ପବନ ବି ପଣିକିଆ ଭୁଲେ,
ବିଚଳିତ ନିଜ ଅବସ୍ଥିତିରେ….!
ନଦୀ ସିନା ବଢଇ ଆଗକୁ
କିନ୍ତୁ,
ବିବୃତି ଶୁଭେନା କାନକୁ
ବିଶ୍ୱାସ ପାଚେରୀ ଭୁଷୁଡେ ଗୋଟି ଗୋଟି
କଳି ସବୁ ଝଡ଼ି ଯାଏ ନଫୁଟି
ଚିରନ୍ତନ ଶୀତ ଋତୁ
ଗ୍ରାସୀଦିଏ ସମଗ୍ର ସତ୍ତାକୁ !
ବୃକ୍ଷ ସବୁ ଅବୟବ ହୀନ
ଦେଖା ଯାଏ ଥୁଣ୍ଟା ,
ପତ୍ର ପୁଷ୍ପ ଶୂନ୍ୟ !
ଗଣୁଛି ପ୍ରହର
ହୋଇ କିଂକର୍ତ୍ତବ୍ୟବିମୁଢ.
କାଳି ବୋଳା ଆକାଶରୁ
ଲିଭି ଯାଏ ହୃଦୟର ସ୍ମୃତି
ବୈଶାଖୀ ଝଡରେ,
ହୃଦୟର ମଲାଟରୁ
ସ୍ମୃତିର ପରିଚିତ ଛବି
ଆଜି ସବୁ ଯାଏ ଲିଭି ଲିଭି !!
ମୁହୂର୍ତ୍ତରେ ଓଲଟ୍ ପାଲଟ୍
ଏ ମାଟି ଓ ପୃଥିବୀ
ଗୋଧୂଳିର ଆକାଶ୍
ଆଜି ହତାଶ୍ , ଉଦାଶ୍ ;
ମନର ଗୋପନ କଥା
ହୁଏ ନାହିଁ ଭୁଲି
ପାରେନା ତ ଚିହ୍ନି
ଦର୍ପଣ ତା ନିଜ ଛାଇ !
ବିବେକର ଉଦ୍ୟତ ତର୍ଜନୀ
ମୂହାଁଇଛି ନିଜରି ଆଡକୁ
ଦେଖିଛି କି କିଏ
ଯନ୍ତ୍ରଣାର ରୂପକୁ?
ବିଶ୍ୱାସର ଖୁଣ୍ଟ ଯାଏ ଦୋହଲି
ଯନ୍ତ୍ରଣାର ଅଜସ୍ର ରୂପ ନେଇ
ଛାଇ ବି ଚିହ୍ନେନା ନିଜର ହୋଇ
ଚାଲି ବାର ମନ୍ତ୍ର ସିନା ପଢିଲି
ଆଗକୁ ଚାଲିବା ପାଇଁ
ଅସ୍ତିତ୍ବର ଚିହ୍ନ ବର୍ଣ୍ଣ
ସେଥିରେ ବା କାହିଁ ?
ଭୁବନେଶ୍ବର
Comments are closed.