ସଙ୍ଘମିତ୍ରା ରାଏଗୁରୁ
ତୁମେ ସୂର୍ଯ୍ୟ ହୋଇ ଆସ
ଧାରେ ନଦୀ ପରି ମୁଁ ବିଛେଇଛି ଛାତି
ଅପେକ୍ଷା ର ଫୁଲ ଯେତେ ମଉଳି ଗଲେଣି
ଚାରିଆଡେ ରାତି ଖାଲି ରାତି
ରାତି ଫରୁଆରେ
କେତେ କେତେ ସ୍ୱପ୍ନର ଶାମୁକା
ଶାମୁକା ରେ ସଂସାରେ ମୋତି
ମୋତି କଥା ପଚାରନା , ଥାଉ!
ନୀରବତା ପିନ୍ଧିଥାଉ ଆଖି
ଆଖି ଅଗଣାକୁ
କେହି ଜଣେ ଯାଚିଛି ପଞ୍ଜୁରୀ
ପଞ୍ଜୁରୀ ରେ ଛଟପଟ ପକ୍ଷୀ
ପବନ ତ ସୁନାଠୁ ମହଙ୍ଗା
କିଏ କିଣେ କିଏ ଦିଏ ବିକି
ବିକା-କିଣା ଦୁନିଆଁ ଏ
ତୁମ ହାତର ଫସଲ
ବାକି ଖାତାରେ ଲେଖୁଛି ମୁଁ
ଡହଡହ ଭାବର ଜଙ୍ଗଲ
କ୍ଷତ-ବିକ୍ଷତ ହୃଦୟକୁ ଟୋପାଏ ମଲମ
ଭଲା ମିଳିବ କେଉଁଠି
ଟିକେ କହିବ କି ?…
ଛାଡ!
କହିବା-ଶୁଣିବା ଉର୍ଦ୍ଧ୍ବରେ
ପାର ଯଦି ଦିଅ ଟିପେ ସିକ୍ତ ଅନୁଭବ
ଶୁଖିଲା ମାଟିର ଓଠରେ
ଓଠ ଥାପି ଆଙ୍କିଦିଅ ବର୍ଷା ର ବୈଭବ
ହଜିବା-ଖୋଜିବାର ବେଳ ବୋଧେ ଏ
ବୁନ୍ଦେ ରକ୍ତ/ଦି ବୁନ୍ଦା ଝାଳ ହିଁ
ଅଣ୍ଟିରେ ମୋର
କୁହ! ତୁମେ କଣ ଲୋଡ
ତୁମ ଲୋଡିବା ପଣକୁ
ମୁଁ ଆକାଶ କରିଛି
ଭଙ୍ଗା ତାରାଙ୍କୁ ଚୁମୁକି କରି
ମୋ ଚୁନୁରୀ ସିଇଁଛି
ପାହାଡ ସେପାରି ଗାଁ କୁ
ଦେଇଚି ବଇନା
ଆଉ ପାଦରେ ତୁମ ପସନ୍ଦର
ଅଳତା ନାଇଛି
ଆସ!ପୁରୁବ ସିନ୍ଥିରେ
ସିନ୍ଦୁରୀ ଅପେକ୍ଷାଟେ ବାକି ।
ରାୟପୁର୍, ଛତିଶଗଡ଼
Comments are closed.