ବ୍ୟଙ୍ଗ : ଖାଣ୍ଟି ଓଡ଼ିଆ

ଜାପାନ ଗୋଟେ ଛୁଞ୍ଚି ବନେଇଲା । ଆମେରିକା ତାକୁ ଖୁବ ସୁନ୍ଦର ଖୋଳରେ ପୂରେଇ ଭାରତକୁ ପଠେଇଲା । ଭାରତ ତା ଉପରେ ‘ମେଡ ଇନ୍ ଇଣ୍ଡିଆ ‘ ଲେଖି ଆତ୍ମନିର୍ଭରଶୀଳ ଦୋକାନରେ ବିକ୍ରି କଲା । ଏହିପରି ସୂକ୍ଷ୍ମ ବୁଦ୍ଧି ରଖୁଥିବା ଭାରତ ଭିତରେ ସବୁଠୁ ଚମକପ୍ରଦ ରାଜ୍ୟଟି ହେଲା ଉତ୍କଳ । ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳ । ବର୍ଷ ବର୍ଷ ଧରି ବିଜ୍ଞାନଗାରରେ ଗବେଷଣା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଡାଲଡା ଘିଅ ତିଆରି ହେଲା ତାକୁ ମାତ୍ର ଅଳ୍ପ କେତେ ଟଙ୍କାରେ ଜଗତପୁରର ଦୁଇ ବଖୁରିଆ ଟିଣ ଘରେ ଅବିକଳ ତିଆରି କରିବା ଉତ୍କଳର କାରିଗରଙ୍କ ବାଁ ହାତର ଖେଳ । ପାନ ଜର୍ଦାଠାରୁ ଖାଇବା ମସଲା ପର୍ଯ୍ୟନ୍ତ, ହଳଦୀ ଗୁଣ୍ଡ ଠାରୁ ଖାଇବା ତେଲ ପର୍ଯ୍ୟନ୍ତ, ଖାଦ୍ୟ ପଦାର୍ଥ ଠାରୁ ଗୃହକରଣା ଜିନିଷ ପର୍ଯ୍ୟନ୍ତ ଯେ ମାତ୍ର କେଇ ଟଙ୍କା ବିନିଯୋଗ କରି ବଡ଼ ବଡ଼ କମ୍ପାନୀ ଜିନିଷର ଆବିକଳ ସୁଲଭ ମୂଲ୍ୟରେ ଯୋଗେଇଦେବା ଆମ କଳାକାରଙ୍କ ସୂକ୍ଷ୍ମ କାରୁକାର୍ଯ୍ୟର ପ୍ରମାଣ ।

ଠିକ ସେହିପରି ସବୁ ଜିନିଷକୁ ଟାଣି ଓଟାରି ସେଥିରେ ଓଡ଼ିଆ ପରିଚୟ ଟ୍ୟାଗ ଲଗେଇବାରେ ମଧ୍ୟ ଆମେ ଓସ୍ତାଦ । କହିବା କଥା ହେଲା, ଯେତେବେଳେ ପୃଥିବୀର ଯେ କୌଣସି କୋଣରେ କେହି ଜଣେ ପ୍ରସିଦ୍ଧି ପାଆନ୍ତି ତାଙ୍କୁ ତୁରନ୍ତ ଆତ୍ମୀକରଣ କରିବାରେ ଆମେ ଯେଉଁ ବାହାଦୂରୀ ଦେଖାଉ ତାହା ଅନ୍ୟ ଜାଗାରେ ବିରଳ । ନିଜ ରାଜ୍ୟରେ ଥିବା ବେଳେ ପଛେ ତାଙ୍କୁ କେହି ବାସି ପଖାଳରେ ନ ପଚାରନ୍ତୁ ଯଦି ଦୈବାତ୍ ବାହାରକୁ ଯାଇ ସେ କିଛି ସମ୍ମାନ ପାଇବାର ଖବର ମିଳେ ତେବେ ସଙ୍ଗେ ସଙ୍ଗେ ସେ କାହାର ଦେଠେଇ ପୁଅ ଭାଇ, କାହାର ଗାଁ ପାଖରେ ତାଙ୍କ ଗାଁ , କିଏ ତାଙ୍କ ସହ ଟିଉସନ ହେଉଥିଲେ ଇତ୍ୟାଦି ଇତ୍ୟାଦି ଭଳି ଅନେକ ଗପ ମିଡିଆରେ ଘୂରି ବୁଲେ ।

କରୋନା ଦାଉରୁ ଆମ ନଈ କୁଳିଆ ଖଟି ସହ ତ୍ରିଭୁବନର ସବୁ ଭବନରେ ସବୁ ସଭା ସମିତି ବନ୍ଦ ଥିବା ବେଳେ କିଛି ସୂକ୍ଷ୍ମ ବୁଦ୍ଧିଜୀବୀ ସେମାନଙ୍କ ଅହୋରାତ୍ର ମୁଣ୍ଡ ପାଟି ଖଜବଜିଆର କଣ୍ଡୁୟନ ପ୍ରଶମନ ପାଇଁ ଏବେ ଗୋଟେ ଶସ୍ତା ସୁନ୍ଦର ଉପାୟ ବାହାର କରିଛନ୍ତି । ତାହାହେଲା ଅନ ଲାଇନ ସଭା । କିଛି ଦିନ ହେଲା ଫେସ୍ ବୁକ୍ ରେ ଓଡ଼ିଆ ଓ ତାହାର ଅସ୍ମିତା ଉପରେ ଏକ ଅନଲାଇନ ଆଲୋଚନା ପାଇଁ ପ୍ରଚାର ଚାଲିଥିଲା । ମେସେଞ୍ଜରରେ ଯୋଗ ଦେବା ପାଇଁ ପଠେଇଥିବା ଅନୁରୋଧ ରକ୍ଷା କରି ସେଦିନ ଆମେ ବି ଅନଲାଇନ ସଭାରେ ଯୋଗ ଦେଇଥିଲୁ । ଫେସ୍ ବୁକ୍ ପ୍ରଚାର ପୋଷ୍ଟରେ ଦୁଇଶହ ଜଣ ଲାଇକ ମାରିଥିବ ସ୍ଥଳେ ସଭା ଆରମ୍ଭରେ ମୋତେ ମିଶେଇ ମୋଟ ଚଉଦ ଜଣ ଥିଲେ ଏବଂ ସଭା ଶେଷକୁ କାଳେ କେବଳ ବକ୍ତା ଓ ଆଡ଼ମିନଙ୍କୁ ମିଶେଇ ଗାଏମୋଟ ଦୁଇ ଜଣ ଥିଲେ ।

ଅବଶ୍ୟ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କାରଣ ନିଜ ପଇସାରେ କିଣିଥିବା ଡାଟା ଖର୍ଚ୍ଚ କରି ପ୍ରବଚନ ଶୁଣିବା ପାଇଁ ଆଉ କାହାର ଧୈର୍ଯ୍ୟ ନାହିଁ । ସେ ଯାହାହେଉ କାର୍ଯ୍ୟକ୍ରମ ଆରମ୍ଭ ହେଲା । ସ୍ୱଳ୍ପ ଦେଖଣାହାରୀ ଥିଲେ ବି ବକ୍ତା ଏପରି ଭାଷଣ ଦେଉଥିଲେ ଲାଗୁଥିଲା ଯେପରି ଏକ ବିଶାଳ ରାଲିକୁ ସମ୍ବୋଧନ ଦେଉଛନ୍ତି । କଥା ଛଳରେ କହିଲେ ଅନେକ ଓଡ଼ିଆ ଲୋକ ବାହାରକୁ ଯାଇ ସମ୍ମାନ ପାଇଲା ପରେ ନିଜକୁ ଓଡ଼ିଆ ବୋଲି ପରିଚୟ ଦେବାକୁ ଭୁଲି ଯାଉଛନ୍ତି । ସେହିପରି ଅନେକ ସମ୍ବାଦପତ୍ର ତାଙ୍କୁ ଓଡ଼ିଆ ବୋଲି ନ ଲେଖି ଅନ୍ୟ ଜାଗାର ବାସିନ୍ଦା ଲେଖୁଛନ୍ତି । ଏହାର ବିରୋଧ ହେବା ଉଚିତ । ଆମ ଉର୍ବର ସୃଜନ ଭୂମି ଓଡ଼ିଶାରୁ ଜଣେ ଓଡ଼ିଆ ନୋବେଲ ପୁରସ୍କାର ହାତେଇ ସାରିଥିଲେ ମଧ୍ୟ ତାଙ୍କୁ ଓଡ଼ିଆ ବୋଲି ଦାବୀ କରିବାକୁ ଆମେ ଏବେବି କୁଣ୍ଠିତ । ମୁଁ ଏହାର ପ୍ରତିବାଦ କରି ନୋବେଲ କମିଟିକୁ ଚିଠି ଲେଖିଥିଲି । କିନ୍ତୁ ଏଯାଏଁ ତାହାର ଉତ୍ତର ପାଇନି ।

ଏଇ କିଛି ମାସ ତଳେ ଆମ ଓଡିଶାର ବରପୁତ୍ର କବି ନାରୁ ପାତ୍ରଙ୍କ ଜନ୍ମଦିନ ଗଲା । ତାଙ୍କ ଉପରେ ଫେସ୍ ବୁକ୍ ରେ ମୁଁ ବିସ୍ତୃତ ଭାବେ ଆଲୋଚନା କରିଥିଲି । ଅନେକ ଲୋକ ମୋତେ ପ୍ରଶଂସା କରିଥିବା ବେଳେ କିଛି ତଥାକଥିତ ବୟସ୍କ ବୁଦ୍ଧିଜୀବୀ ମୋତେ ବିରୋଧ କରିଥିଲେ । ସାଙ୍ଗେ ସାଙ୍ଗେ ସେହି ଅନଲାଇନ ସଭାର କମେଣ୍ଟ ବକ୍ସ ରେ କିଛି ଲୋକ ଲେଖିଲେ – ‘ଲଜ୍ଜ୍ୟା ଲଜ୍ଜ୍ୟା , ଧିକ୍ ତାଙ୍କ ସାହିତ୍ୟକୁ । ଏପରି ଲୋକଙ୍କୁ ସାହିତ୍ୟିକ କହିବାକୁ ଖରାପ ଲଗୁଛି ।’ ଜଣେ ଲେଖିଲେ “ମୁଁ ସେ ସବୁ ଓଡ଼ିଆ ସାହିତ୍ୟର କଳଙ୍କଙ୍କୁ ବ୍ଲକ କରିଦେଇଛି । ଜଣେ ନିର୍ଦ୍ଦିଷ୍ଟ କବିଙ୍କ ନାଁ ନେଇ ଲେଖିଲେ- ‘ କଙ୍କି ଗୋଟେ ଚଢ଼େଇ ନା ସେ ଜଣେ କବି ।” ଆଉ ଜଣେ ଲେଖିଲେ ‘ଆପଣଙ୍କ ସେ ଆଲେଖଟି ବହୁତ ଉପାଦେୟ ଓ ଶିକ୍ଷଣୀୟ ହୋଇଥିଲା । ମୁଁ ତାକୁ ଦୁଇ ଥର ପଢ଼ିଛି ।”

ଏପଟେ ମୋ ମୁଣ୍ଡ ଖରାପ । ଯେତେ ଗୁଗୁଲ ଅଣ୍ଡାଳିଲେ ବି ସେପରି କେହି ନେବେଲ ପୁରସ୍କାର ପ୍ରାପ୍ତ ଓଡ଼ିଆ ସରସ୍ୱତୀଙ୍କ ବରପୁତ୍ର ଦୃଶ୍ୟ ହେଉ ନଥାନ୍ତି । ମୋର ଅଜ୍ଞତା କି ଗୁଗୁଲର ଦାୟିତ୍ୱହୀନତା ଜାଣି ପାରିଲି ନାହିଁ । ତେଣୁ ବିଜ୍ଞ ଲୋକମାନଙ୍କ ଗହଣରେ ଅଧିକ ସମୟ ରହି ନିଜର ସ୍ୱଳ୍ପ ବୁଦ୍ଧି ପାଇଁ ଲୋକ ହସା ହେବା ଅପେକ୍ଷା ନିଜକୁ ସାଇନ୍ ଆଉଟ୍ କରିଦେବା ଉଚିତ ମନେ କଲି । ତା ପରେ ଗୁଗୁଲ ଉପରୁ ଭରସା ତୁଟାଇ ଅନେକ ଜାଣିବା ଶୁଣିବା ଲୋକଙ୍କୁ ପଚାରିଲି, କିଛି ‘ସାଧାରଣ ଜ୍ଞାନ’ ଓ ‘ଜାଣିବା କଥା’ ଭଳି ପକେଟ ବୁକ୍ ଆଣି ଅଣ୍ଡାଳିଲି କିନ୍ତୁ କେଉଁଠି ବି ଓଡ଼ିଶାର ସେହି ମହାନ ବାଣୀପୁତ୍ରଙ୍କ ବିଷୟରେ କିଛି ବି ଉଲ୍ଲେଖ ନଥିଲା । ସବୁ ଆଡୁ ନିରାଶ ହୋଇ ଶେଷରେ ଅତି ସଙ୍କୋଚରେ ନିଜର ଅଜ୍ଞତା ପାଇଁ କ୍ଷମା ମାଗି ସେହି ବକ୍ତାଙ୍କୁ ମେସେଞ୍ଜର ରେ ପୁଚ୍ଛିଲି, ” ଆଜ୍ଞା ନୋବେଲ ପୁରସ୍କାର ପ୍ରାପ୍ତ ଓଡ଼ିଆ କବିଙ୍କ ବିଷୟରେ ବିଶଦ ଭାବେ କିଛି ଜଣାଇଲେ ବାଧିତ ରହିବି । ଉତ୍ତରରେ ଯାହା ଲେଖିଥିଲେ ତାହା ଏହିପରି,” ମହାନ କବି ନାରୁ ପାତ୍ର ହେଲେ ମୋ ଦୂରସମ୍ପର୍କୀୟ ଦାଦା । ତାଙ୍କ ଘର ଓଡିଶା ଢେଙ୍କାନାଳ ଜିଲ୍ଲାର ପାବଲା ଗାଁରେ । ନାରୁ ଦାଦା ଭାରି ସ୍ନେହୀ ଓ ଭଲ ଲୋକ ଥିଲେ । ସେତେବେଳେ ନାରୁ ଦାଦାଙ୍କ ଗାଁରେ ବହୁତ ଆଖୁ କିଆରୀ ଥିଲା । ସେ ଆଖୁ ଉପରେ ଅଧିକ ଗବେଷଣା କରିବାକୁ ଚିଲ୍ଲୀକୁ ଚାଲିଯାଇଥିଲେ । ସେଇଠିକା ଗୋଟେ କୋଉ ଚିଲ୍ଲୀଆଣି ଝିଅକୁ ବାହା ହେଇ ସେଇଠି ରହିଗଲେ । ମୁଁ ଅନେକ ଦିନ ଗବେଷଣା କରି ଜାଣିବାକୁ ପାଇଲି ଯେ ପାବଲା ଗାଁର ସେହି ନାରୁଦାଦା ଓରଫ ନାରୁ ପାତ୍ର ହେଲେ ନୋବେଲ ପୁରସ୍କାର ପ୍ରାପ୍ତ ପାଵ୍ଲ୍ଲୋ ନେରୁଦା । ଆମର ଯେମିତି ଏଠି ଝୁନୁଝୁନୁଵାଲା, ଓସ୍ୱାଲ ଭଳି ଅଧିକାଂଶ ଲୋକଙ୍କ ସାଙ୍ଗିଆ ସେମାନଙ୍କ ମୂଳ ଜନ୍ମସ୍ଥାନ ଅନୁସାରେ ଲେଖାଯାଏ ସେମିତି ଚିଲ୍ଲୀରେ ବି ଅନେକ ଜାଗାରେ ଦେଖାଯାଏ ।

ନାରୁ ପାତ୍ର ନାଁରେ ଲେଖିଥିବା କିଛି କବିତା ମୁଁ ତାଙ୍କ ଗାଁରୁ ସଂଗ୍ରହ କରିଛି । ପ୍ରମାଣ ସ୍ୱରୂପ ତାଙ୍କର କିଛି କବିତାକୁ ତର୍ଜମା କଲେ ଲାଗିବ ଯେମିତି ତାହା ନେରୁଦାଙ୍କ କବିତାର ଅବିକଳ ଓଡ଼ିଆ ଅନୁବାଦ କିମ୍ବା କପି ପେଷ୍ଟ । ଚିଲ୍ଲୀର ଲୋକଙ୍କ ଉଚ୍ଚାରଣ ଦୋଷ ଯୋଗୁଁ କାଳକ୍ରମେ ପାବଲା ଟା ପାଵ୍ଲ୍ଲୋ ଓ ନାରୁଦା, ନେରୁଦା ହେଇଗଲା । ଏହା ବିଷୟରେ ମୁଁ ଆମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ନୋବେଲ କମିଟିକି ଚିଠି ଲେଖିଥିଲି କିନ୍ତୁ ଦୁର୍ଭାଗ୍ୟକୁ କେହି ଜଣେ ବି ଉତ୍ତର ଦେଲେନି । ଯାହା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ସଦୃଶ । ମୋର ଦାବି ପାଵ୍ଲ୍ଲୋ ନେରୁଦାଙ୍କୁ ଅତି ଶୀଘ୍ର ଓଡ଼ିଶାର ବୋଲି ସରକାରୀ ଭାବେ ଘୋଷଣା କରାଯାଉ । ମୋ ଓଡିଶା ମାଟି ତଥା ମୋ ଭାଷାର ଅସ୍ମିତା ପାଇଁ ମୁଁ ମୋ ଶେଷ ରକ୍ତ ବିନ୍ଦୁ ପର୍ଯ୍ୟନ୍ତ ସଂଗ୍ରାମ କରିବି । ପ୍ରକାଶ ଥାଉକି ଆମେରିକା ରାଷ୍ଟ୍ରପତି ଉଡ୍ର ଉଇଲସନ ମଧ୍ୟ ବାସ୍ତବରେ ଆମ ଉଡ୍ରଦେଶ ବାସୀ ଓଡ଼ିଆ ଥିଲେ “।

ଏହିପରି ହାଇପୋଥେସିସ ଉପରେ ଅଧିକ ଗବେଷଣା କରିବା ପାଇଁ ଏକଦା ଆମର ମହାନ କବି ଗବେଷକ ସଚ୍ଚି ରାଉତରାୟ ଓଡ଼ିଆ ଗବେଷକ ମାନଙ୍କୁ ଆହ୍ୱାନ ଜଣାଇଥିଲେ । ମାତ୍ର ତାଙ୍କର ସେହି ଆହ୍ୱାନ କେବଳ ନିରବ କ୍ରନ୍ଦନ ହୋଇ ରହିଗଲା । ଏହିଭଳି ଯଦି ପୃଥିବୀର ବିଭିନ୍ନ କୋଣରେ ରହିଥିବା ବିଖ୍ୟାତ ଲୋକମାନଙ୍କ ପୂର୍ବଜ ଯେ ଏକଦା ‘ଓଡ଼ିଆ’ ଥିଲେ ବୋଲି ଆମେ ପ୍ରମାଣିତ ନ କରିପାରିବା ତେବେ ତାହା ଆମ ଆଲୋଚ୍ୟ ଅନଲାଇନ ବକ୍ତାଙ୍କ ଭର୍ଚୁଆଲ ରୋଦନ ଭଳି ସବୁ ଆହ୍ୱାନ ଅରଣ୍ୟ ରୋଦନ ହୋଇ ରହିଯିବ ।

ଜୟ ଓଡ଼ିଶା,ହାୟ ଓଡ଼ିଆ ।’

ବନମାଳୀ ଭବନ , ଖାନ ନଗର , କଟକ