ସଞ୍ଜିତା ପ୍ରଧାନ
ଆକାଶର ସବୁ ନକ୍ଷତ୍ର ଯେବେ
ଷଡ଼ଯନ୍ତ୍ର ରଚନା କରିବାରେ ଅଗ୍ରୀମ ସ୍ଥାନ
ଗ୍ରହଣ କରି ସାରିଛନ୍ତି,
ଶୁଭଲଗ୍ନ ମୃତବତ୍ ଲୋଟିପଡିଛନ୍ତି
ଅଶୁଭର ପଶାପାଲିରେ,
ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଅନେକ କିଛି
ଆଶ୍ରୟ ନେଇଛନ୍ତି ଧୂମୀୟ ଆବରଣେ,
ନୟନ ଯୁଗଳ ବହଳ କଳାକନାକୁ
ଆଜୀବନ ଘୋଡେଇ ହେବା ପଣରେ
ଭୁଲ୍ ଠିକ୍ ବିଭେଦତାକୁ ବିସ୍ମୃତ ହୋଇସାରିଛି,
ନ୍ୟାୟାଧୀଶ ଅନ୍ୟାୟକୁ ସ୍ୱାଗତ କରି
ନ୍ୟାୟକୁ ପାଉଁଶ କରୁଛି
ଦୁର୍ନୀତିର ଶ୍ମଶାନରେ,
ଲଲାଟ ସଜ୍ଜିତ ହେଉଛି
ବେଇମାନ, ଦୁର୍ନୀତି ସମିଶ୍ରିତ ବିଭୂତିରେ ।
ସାଲିସବିହୀନ ଛାଇଟେ ପରାଜୟ ସ୍ୱୀକାର ଅନ୍ତେ
ଅଦୃଶ୍ୟ ହେବାରେ ଲାଗିଛି,
ବିଷାକ୍ତ ପ୍ରହେଳିକା ଅକ୍ତିଆର କରୁଛି
ଆଗକୁ ବଢିବାର ମେରୁଦଣ୍ଡକୁ,
ଗୁରୁଣ୍ଡିବା ସାର ହୁଏ ସିନା
କେହି ନାହାନ୍ତି ସାହସ ଫୁଙ୍କିବାକୁ,
ଦୁନିଆ ସ୍ୱାର୍ଥୀ ସ୍ୱାର୍ଥୀ ମହକୁଛି,
ତୋଷାମଦିଆର ପ୍ରରୋଚନା ଉର୍ଣ୍ଣନାଭ ପ୍ରାୟ
ଜାଲ ଗୁନ୍ଥିବାରେ ବ୍ୟସ୍ତ ହୋଇଛି,
ସର୍ବଶ୍ରେଷ୍ଠ ପଦବୀରେ ଅଭିଷିକ୍ତ ଏକ କୁତ୍ସିତ ଛାଇ
ଭୟଙ୍କର ଅଟ୍ଟହାସ୍ୟରେ କୁଚକ୍ରାନ୍ତ କରି
ଦୁଃଖ ଅର୍ଜିତ ପ୍ରାପ୍ୟ ଧୂଳିସାତ କରୁଛି ,
ସ୍ବପ୍ନ ଦେଖୁଥିବା ଅନେକ ଆଖିରେ ଯବନିକା ପଡୁଛି ।
ଦୁଃଖ ସତେକି ଅବାଞ୍ଛିତ ଆଗନ୍ତୁକ ସାଜି
କଙ୍କାଳର କୁଟୀରକୁ ସ୍ଵନାମେ ପଞ୍ଜିକରଣ କରିଛି,
ଅଭିଯୋଗ ଥିଲା ଯେତେ
ନୀରବି ଯାଇ ସ୍ୱଅସ୍ତିତ୍ୱରେ ସମାହିତ ହୋଇସାରିଛି,
ଅର୍ଥ ଯେବେ ଆଗତ ଭବିଷ୍ୟତ ନିର୍ଦ୍ଧାରଣ କରେ
ସେଠି ଅବଶିଷ୍ଟ ଚିତ୍କାର
କଦାଚିତ୍ ମୂଲ୍ୟହୀନ ହୋଇପଡ଼େ,
ପରାଜିତ ଯୋଦ୍ଧାର ଶିର ଛେଦ କରି
ସମୟ ବିଜୟ ହେବାର ଡିଣ୍ଡିମ ପିଟେ,
ତେବେ ଏତାଦୃଶ ପରିସ୍ଥିତିରେ
ଅଭିଯୋଗ ଆଉ କ’ଣ କି !
କହିପାର ଅପୂର୍ଣ୍ଣତାର ଭିନ୍ନ ମହାଗ୍ରନ୍ଥ…..
ଏକ ପ୍ରକାର ଉଦବେଗ ଏବଂ ଅସନ୍ତୁଷ୍ଟି
ଯାହାର ବ୍ୟାପ୍ତି ସିନା ଅଛି
ହେଲେ ସମାପ୍ତି….. !
ମରୁ-ମରିଚିକାରେ ପ୍ରହସନ ମାତ୍ର ।।
ସୁନ୍ଦରଗଡ଼
Comments are closed.