ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ଏଇଟି ଗୋଟେ ଲମ୍ବା କାହାଣୀ”, ବୀରା ଆରମ୍ଭ କଲା, “ଆମେ ଜନ୍ମ ହେବାଠାରୁ ମାନହଟ୍ଟନ୍ରେ ବଢ଼ି ଆସିଚୁ । ବାବାଙ୍କ ବଦଳିଯୋଗୁଁ ଭାରତ ଆସିବାକୁ ପଡ଼ିବ, ଜାଣିବା ଯାଏଁ, ଏଇ ସହର ହିଁ ଆମର ସବୁ କିଛି ଥିଲା ।”
“ଏଇଟା ଗୋଟେ ବଡ଼ ଝଟ୍କା ଥିଲା ଆମ ଦୁଇଜଣଙ୍କ ପାଇଁ ମାତ୍ର ଶେଷରେ ଆମେ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ହେଲୁ । ଆଉ ବର୍ତ୍ତମାନ ଆମେ ଏଠି – ତୁମ ସାମ୍ନାରେ – ଆମ କାହାଣୀ କହୁଛୁ”, ସମୀରାର ଏ କଥା ଶୁଣି ରୋହନ କହିଲା, “ଆମ କାହାଣୀ ବି ଅନେକ ମାତ୍ରାରେ ତୁମ ପରି ।”
ସମୀରା ପଚାରିଲା, “କେମିତି?”
ଆମେ ଦୁଇଜଣ ଆମ ଆଈଙ୍କ ସହିତ ସାଉଥାମ୍ପ୍ଟନ୍ରେ ରହୁଥିଲୁ । ବାବା, ମା’ ଦିଲ୍ଲୀରେ ରହନ୍ତି । ଆମେ ଦିଲ୍ଲୀରେ ଜନ୍ମ । ସିଡ଼୍ର ଜନ୍ମ ଯାଏଁ ମୁଁ ବାବାଙ୍କ ସହ ଦିଲ୍ଲୀରେ ରହୁଥିଲି । ସେତେବେଳେ ବାବା, ମା’ଙ୍କ ଅବସ୍ଥା ଏତେ ସ୍ୱଚ୍ଛଳ ନଥିଲା । ଏମିତିକି ଆମ ଚାରିଜଣଙ୍କ ପାଇଁ ତିନିଓଳା ଖାଇବା ଯୋଗାଡ଼ କରିବା ପାଇଁ ସମ୍ବଳ ଲାଭ କରିବା ତାଙ୍କ ପାଇଁ କଷ୍ଟକର ଥିଲା । ତେଣୁ ସେ ଆମ ଦୁଇଜଣଙ୍କୁ ଆଈଙ୍କ ପାଖକୁ ସାଉଥାମ୍ପ୍ଟନ୍ ପଠାଇ ଦେଲେ । ସେ ବି ଖୁବ୍ ଧନୀ ଥିଲେ । ଆଉ ଏବେ ଆମ ବାବାମା’ଙ୍କ ଆର୍ଥିକ ଅବସ୍ଥା ଭଲ ହେଇଗଲାଣି । ଆମେ ଏବେ ତାଙ୍କ ପାଖରେ ରହିବୁ । ଅବଶ୍ୟ ଆଈଙ୍କ ପାଖରୁ ପଳାଇ ଆସିଥିବାରୁ ମୁଁ ଭାରି ଖୁସି,” ରୋହନ ଏକ ନିଃଶ୍ୱାସକେ କହି ଚାଲିଥିଲା ।
ଏକଥା ଶୁଣି ବୀରା ଟିକେ ଭୃକୁଞ୍ଚନ କରିବା ଦେଖି ସାଙ୍ଗେ ସାଙ୍ଗେ ସିଡ଼୍ କହିଲା – “ଆମ ଆଈ ଜଣେ ଅହଂକାରୀ ଓ କଠୋର ସ୍ତ୍ରୀ ଲୋକ । ଆମ ଇଚ୍ଛା ନଥିବା କାମ କରାଏ ଓ ଆମକୁ ଅନେକ ମାନସିକ
ନିର୍ଯ୍ୟାତନା ଦିଏ । ପ୍ରଥମେ, ପ୍ରଥମେ, ଏସବୁ ଆମେ କିଛି ଜାଣି ପାରୁନଥିଲୁ । କିନ୍ତୁ ଟିକେ ବଡ଼ ହେଲା ପରେ ପରେ, ବୁଝି ପାରିଲୁ ଯେ, ଏସବୁ କେବଳ ଅତ୍ୟାଚାର ହିଁ ଥିଲା । ଆମେ ପୋଲିସ୍ ପାଖକୁ ଯିବା ପାଇଁ ଯେବେ ଧମକାଇଲୁ, ସେ ଏସବୁ କରିବା ବନ୍ଦ କଲେ ।”