Latest Odisha News

କବିତା : ମୋ ସକାଳ

ଶୁଭଶ୍ରୀ ମହାରଣା

ମୋ ସକାଳରେ ତୁ ଆସିଲୁ
ମୋତେ ଛୁଇଁଲୁ ସୂର୍ଯ୍ୟର ପହିଲି କିରଣ ହୋଇ
ଏଠି, ସେଠି, ସବୁଠି ବୋଳି ଦେଲୁ
ତୋ ଆତ୍ମୀୟତାର ରଙ୍ଗ ।

ସେ ରଙ୍ଗୀନ ଏବେ ରଙ୍ଗୀନ
ମୋ ରଙ୍ଗହୀନ ଜୀବନ
ମୁଠାଏ ରଙ୍ଗରେ ତୁ ଏମିତି କଣ ମିଶାଇ ଦେଲୁ ଯେ ,
ତୁ ଆସିବା ଦିନଠୁ
ଆଖିରେ ଢେଉ ଭାଙ୍ଗେ ସ୍ବପ୍ନ ।

ତୋ ହସରେ ମୋ ହସ ମିଶାଇ ଦେଇ
ଉଡ଼ାଇ ଦେଲି ପବନରେ
ସେ ବିସ୍ତରି ଗଲା
ଆକାଶ ସାରା ।

ଚିତ୍ର ପରି ଆଙ୍କି ହୋଇଗଲା
ତୋ ନାଁ ମୋ ନାଁ
କେବେ ଇନ୍ଦ୍ରଧନୁରେ
ତ ଆଉ କେବେ କିଶଳୟର ପହିଲି ହସରେ  ।

ତୁ ଯେମିତି ଆସିଥିଲୁ ସେମିତି ଫେରିଗଲୁ
ଠିକ୍ ସୂର୍ଯ୍ୟାସ୍ତରେ , ମୁହଁ ଅନ୍ଧାରରେ
ମୁଁ ଢେର୍ ଖୋଜିଲି
ଜାଣି ଜାଣି ଅନ୍ଧାରକୁ ନିଜର କଲି
ତୋ ନଥିବାପଣକୁ
ମୋ ଆଖି ଠିକ୍ ରେ ବୁଝି ପାରିଲା
ଏକାକୀତ୍ବକୁ ଦୂର କରିବା ପାଇଁ
ଲୁହକୁ ମୋ ପାଖେ ଛାଡ଼ିଦେଲା   ।

ଏବେ ଝାପସା ଚାରିଆଡ଼
ଯୁଆଡ଼େ ଦେଖୁଛି ଧୂଆଁ ଧୂଆଁ
ମୋ ଆଖପାଖ ଜନସମୁଦ୍ର
ତଥାପି ତୋ ସ୍ଥାନ ପୁରା ଖାଁ ଖାଁ  ।

ମୁଁ ହଜୁଛି ଏବେ ତୋ ସ୍ମୃତିରେ
ବାନ୍ଧି ହୋଇ ରହିଛି ତୋ ନିବିଡ଼ ଆଶ୍ଳେଷରେ
ଅନୁଭବିଛି ତୋ ଅନ୍ତରଙ୍ଗତାକୁ
ସେ ମୁହୂର୍ତ୍ତକୁ ସାଇତି ରଖିଛି
ଅତି ସନ୍ତର୍ପଣେ  ।

ଶିକ୍ଷୟିତ୍ରୀ, ବିଡ଼ାନାସୀ,କଟକ

Comments are closed.