Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଖାନୱାଁ

ସୁପ୍ରସିଦ୍ଧ ସିନ୍ଧୀ ଲେଖିକା କାଲା ପ୍ରକାଶ ୧୯୩୪ ମସିହାରେ ଅବିଭକ୍ତ ଭାରତର ସିନ୍ଧୁ ପ୍ରଦେଶ ଅନ୍ତର୍ଗତ କରାଚୀ ସହରରେ ଜନ୍ମ ଗ୍ରହଣ କରିଥିଲେ । ଦେଶ ବିଭାଜନ ପରେ ତାଙ୍କ ପରିବାର ଭାରତକୁ ପଳାଇ ଆସିଥିଲେ ଏବଂ ମୁମ୍ବାଇରେ ବସବାସ କରୁଥିଲେ । ଜଣେ ସିନ୍ଧୀ ଲେଖିବା ଭାବେ ସେ ଅନେକ ଗଳ୍ପ ସଙ୍କଳନ ଉପନ୍ୟାସ ଏବଂ କବିତା ସଙ୍କଳନ ରଚନା କରିଥିଲେ । ତାଙ୍କର ସାହିତ୍ୟ କୃତି ପାଇଁ ସେ ସାହିତ୍ୟ ଏକାଡେମୀ ପୁରସ୍କାର ସମେତ ଅନେକ ସ୧ାନର ଅଧିକାରିଣୀ ହୋଇଥିଲେ । ୨୦୧୮ ମସିହାରେ ଏହି ମହାନ୍ ଲେଖିକାଙ୍କର ପରଲୋକ ଘଟିଥିଲା । ‘ଖାନୱାଁ’ ଗଳ୍ପଟି ଦେଶ ବିଭାଜନ ପୃଷ୍ଠଭୂମିରେ ତାଙ୍କଦ୍ୱାରା ଲିଖିତ ମନୋବୈଜ୍ଞାନିକ କଥାବସ୍ତୁ ସମ୍ବଳିତ କାହାଣୀ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬୦

ମୂଳ ସିନ୍ଧୀ: କାଲା ପ୍ରକାଶ 

‘ଆରେ ଏଇ, ଏଇ ଦେଖ, ଟ୍ରେନ୍ ଗଡ଼ିବାକୁ ଆରମ୍ଭ କଲାଣି’ । ଆଣ ବର୍ଷର ଅବୋଧ ଶିଶୁ ହରିଶ ଟ୍ରେନ୍‌ର ଝର୍କା ବାହାରକୁ ମୁଣ୍ଡ କାଢ଼ି ଖୁସିରେ କୁରୁଳି ଉଠି ଚିତ୍କାର ଛାଡ଼ିଲା । ଟ୍ରେନ୍‌ଟି ବମ୍ବେ ସେଣ୍ଟ୍ରାଲ୍ ଷ୍ଟେସନ ଛାଡ଼ବାକୁ ଆରମ୍ଭ କରିଥିଲା । ହରିଶ୍ ଖୁସିରେ ନାଚି ଉଠିଲା । ତା’କରେ ଝର୍କା କିତରକୁ ମୁହଁ ଫେରାଇଆଣି ସେ ପଚାରିଲା, ‘ଆମେ କୁଆଡ଼େ ଯାଉଛେ?’ ‘ଖାନୱାଁ’, ଏତିକି କହି ମୁଁ ତାକୁ ମୋ ଛାତିକୁ ଆଉଜାଇ ଆଣିଲି ।

‘ନାଇଁ, ମା’ ତ କହୁଥିଲା ଆମେ ଅଦମଦାବାଦ ଯିବା ।’

ବାପା-ମା’ଙ୍କ ମୁହଁରେ ହସର କ୍ଷୀଣ ରେଖାଟିଏ ଉକୁଟି ଉଠିଲା । ଏଥର ତା’ମୁଣ୍ଡର ବାଳ ଉପରେ ହାତ ଘୂରେଇଆଣି ମା’ କହିଲେ, ‘ଆରେ ବଦମାସ! କୋଡ଼ିଏ ଥର ଅହମଦଦାବାଦ ଶୁଣିଲା ପରେ ସୁଦ୍ଧା ତୁ ସେଇ ନାଁଟାକୁ ଠିକ୍ ଭାବେ କହିପାରୁନୁ?’

ଏକଥା ଶୁଣି ହରିଶର ନିରୀହ ମୁହଁ ଉପରେ ପର ମୁହୂର୍ତ୍ତରେ ସତେ ଯେମିତି ଗମ୍ଭୀର ମୁଦ୍ରାର ବାଦଲ ଢାଙ୍କି ହୋଇଗଲା । ସେ ପଚାରିଲା, ‘ମା’, କାଳି କହୁଥିଲା ଆମେ ଖାନୱାଁ ଯାଉଛେ ବୋଲି!’

ହରିଶର ହାତକୁ ଧରି କହିଲା, ‘ଆମେ ଅହମଦଦାବାଦ ଯାଉଛେ । ହେଲେ କାଳି ଓ ମୁଁ ତାକୁ ଖାନୱାଁ ବୋଲି ନାଁ ଦେଇଛୁ । ତତେ ସେଥିରୁ କେଉଁ ନାଁଟା ଭଲ ଲାଗୁଛି?’

‘ଖାନୱାଁ’, ମୁହଁରେ ହସ ଚେନାଏ ଖେଳାଇ ସେ କହିଲା ।

‘ତା’ହେଲେ ତୁ ଖାନୱାଁ ବୋଲି କହ ।’ ତା’ହାତରୁ ନିଜ ହାତକୁ ଛଡ଼େଇ  କହିଲା ।

‘ହଁ, ନିଶ୍ଚୟ ।’ ବୋଲି କହି ହରିଶ ସମ୍ମତି ଭରିଲା । ସତେ ଯେମିତି ଦି’ଜଣଙ୍କ ଭିତରେ ଗୋଟିଏ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଗଲା । ତା’ମୁହଁର ଆତ୍ନସନ୍ତୋଷ ମୁଦ୍ରାରୁ ଏହା ସ୍ପଷ୍ଟ ବାରି ହୋଇଉଠୁଥିଲା । ସତେ ଯେମିତି କୌଣସି ଗୋଟିଏ ଜଟିଳ ସମସ୍ୟାର ସମାଧାନ ସୂତ୍ର ତାକୁ ସହସା ମିଳିଯାଇଥିଲା!

‘ଯାହା ହେଉ, ଶେଷରେ ତା’ନାଁ ଖାନୱାଁ ହେଲା’ ମା’ କହିଲା । ‘ଆମର ସବୁ ଖାନୱାଁ ବନ୍ଧୁବାନ୍ଧବ ସେଇଠି ଅଛନ୍ତି ।’

ମୁଁ କହିଲି, ‘ସେଇଥିପାଇଁ ତ ଆମେ ବି ତାକୁ ଖାନୱାଁ ବୋଲି କହୁ ।’ ଏଥର ମା’ଆଡ଼େ ଚାହିଁ ମୁଁ କହିଲି, ‘ଚାଚୀ, ସୀତା, ମୀରା, ଗିରିଧାରୀ ଆଉ ସଦୋରୀ, ସମସ୍ତଙ୍କ ପରିବାର ତ ସେଇଠି ରହୁଚନ୍ତି ।’ ଖାନୱାଁ ଗାଆଁର ଏଇସବୁ ଲୋକମାନଙ୍କ ନାଁ ଗୋଟିକ ପରେ ଗୋଟିଏ କହିଗଲା ପରେ ମୋ ମନରେ ସେ ଗାଆଁ ଓ ସେଠାରେ ବସବାସ କରୁଥିବା ସବୁ ଲୋକଙ୍କ ଚେହେରା ମୋ ମାନସପଟରେ ନାଚି ଉଠିଲା ।

ସେମାନଙ୍କ ଭିତରେ ଥିଲେ ଜଣେ ଅଶି ବର୍ଷର ବୃଦ୍ଧ । ସେ ସଦାବେଳେ ଦେହରେ ଖଣ୍ଡେ ଲୋଚାକୋଚା କଳା ଚଦର ପକେଇଥିବେ ଓ ଆଉ ଖଣ୍ଡେ ଛିଟ ଅଜରକ ତାଙ୍କ କାନ୍ଧରେ ଝୁଲୁଥିବ । ତାଙ୍କ ନାଁ ଶେଖ୍ । ମୋ ମାନସ ଚକ୍ଷୁରେ ସେ ଲୋକଟିର ଚେହେରା ମୁଁ ସ୍ପଷ୍ଟ ଦେଖି ପାରୁଥିଲି । ବଡ଼ି ଭୋର୍‌ରୁ ଶେଖ ଆମକୁ ତା’ ଶଗଡ଼ରେ ବସେଇ ମେହରାବପୁର ଷ୍ଟେସନରୁ ଖାନୱାଁ ପର୍ଯ୍ୟନ୍ତ ନେଇଯାଉଥିଲା । ଥରେ ଶଗଡ଼ କିଛି ବାଟ ଆଗକୁ ଯିବାପରେ ବାପା ତାଙ୍କୁ ପଚାରିଥିଲେ, ଜୁମ୍ମାନ ଶେଖ, ତୁମେ ଏତେ ସକାଳୁ ଖାନୱାଁରୁ ଫେରୁଛ ନା କ’ଣ?’

‘ନାଇଁ ବନ୍ଧୁ, ଗଲାକାଲି ସନ୍ଧ୍ୟାବେଳେ କେତେଜଣ ଯାତ୍ରୀଙ୍କୁ ନେଇ ଷ୍ଟେସନ ଆସିଥିଲି । ସେଇଠି ରାତିରେ ରହିଯାଇଥିଲି । ଭାଇ,ତୁମେ ଆଜି ସକାଳ ଟ୍ରେନ୍‌ରେ ଆସିବ ବୋଲି ମୁଁ ଖବର ପାଇଥିଲି ।’ କେମିତି ଏକ ସ୍ନେହବୋଳା ଓ ଆତ୍ମତୃପ୍ତିଭରା କଣ୍ଠରେ ସେ କହିଥିଲେ । ମେହରାବପୁର ଗାଆଁ ଛାଡ଼ିଲା ପରେ ବିସ୍ତୀର୍ଣ୍ଣ ଗହିର ମଝିରେ ଅଙ୍କାବଙ୍କା ହୋଇ ଲମ୍ବିଯାଇଥିବା ସଡ଼କରେ ଶଗଡ଼ଟି ଆଗକୁ ଗଡ଼ି ଚାଲିଥିଲା । ସେଇ ଦିଗନ୍ତବିସ୍ତାରୀ ଶସ୍ୟକ୍ଷେତ ସତେକି ଗାଆଁ ଲୋକମାନଙ୍କର ବିଶାଳ ହୃଦୟକୁ ପ୍ରତିପାଦିତ କରୁଥିଲା । ବିସ୍ତୀର୍ଣ୍ଣ କ୍ଷେତର ମଝିରେ ମଝିରେ ବଡ଼ ବଡ଼ ଗୋଟିଏ ଲେଖାଏଁ ଗଛ ଦୃଶ୍ୟ ହେଉଥିଲା । ନ ହେଲେ ଚତୁର୍ଦ୍ଦିଗ କେବଳ ସବୁଜ ଘାସରେ ଭରପୂର ଲାଗୁଥିଲା ।

ମୃଦୁମନ୍ଦ ଶୀତଳ ପବନରେ ସେ ଗଇର ପତ୍ରସବୁ ଧୀରେ ଧୀରେ ହଲି ଉଠୁଥିଲା । ଗଛଡାଳରେ ବସିଥିବା ପକ୍ଷୀଙ୍କ କୂଜନ ମଧୁର ସଙ୍ଗୀତ ପରି ଆସି କାନରେ ବାଜୁଥିଲା । କିଛି ସମୟ ଯାଏଁ ଆମେ ସଭିଏଁ ଚୁପ୍ ରହିଥିଲୁ । ପରସ୍ପର ଭିତରେ କଥାବାର୍ତ୍ତା ହେବାର ଆବଶ୍ୟକତା ଅନୁଭବ କରି ନ ଥିଲୁ । ସେତେବେଳକୁ କାହିଁ କେତେ ବାଟ ଅତିକ୍ରମ କରି ସାରିଥିଲୁ । ଆଉ ଅଳ୍ପ ସମୟ ପରେ ଖାନୱାଁରେ ପହଞ୍ଚିବୁ । ଆଖିରେ ପଡ଼ିଲା ପବନରେ ପାଚିଲା ଶସ୍ୟସବୁ ଢେଉ ଭାଙ୍ଗୁଛି । ଧାନ ଓ ଗହମ କେଣ୍ଡାସବୁ ସତେକି ମୁଣ୍ଡ ହଲେଇ ସଙ୍ଗୀତକୁ ଉପଭୋଗ କରୁଛନ୍ତି । କାଁ ଭାଁ କେଉଁଠି କୃଷକମାନଙ୍କ ପିଲାମାନେ ହାତରେ ବାଟୁଳିଖଡ଼ା ଧରି କ୍ଷେତ ଉଜାଡ଼ୁଥିବା ଚଢ଼େଇମାନଙ୍କୁ ହୁରୁଡ଼ାଉଥିଲେ । ଆଉ କେଉଁଠି କୃଷକମାନେ ନିଜ ନିଜ କ୍ଷେତ କାମରେ ନିବିଷ୍ଟ ଭାବେ ଲାଗିପଡ଼ିଥିଲେ ।

ସାରା ପରିବେଶ କେମିତି ମତୁଆଲା ଲାଗୁଥିଲା । ସେଇ ମଧୁର ଭାବନାରେ ଗୋଟାପଣେ ଆବିଷ୍ଟ ହୋଇ ଆମେ ଗାଆଁ ଭିତରେ ପ୍ରବେଶ କଲୁ । ଆମ ଶଗଡ଼ ସାମାନ୍ୟ ଧିମେଇଗଲା ଓ ସାମ୍‌ନା ଅଶ୍ୱତ୍ଥ ଗଛ ପାଖକୁ ଗାଆଁ ଭିତରକୁ ମୋଡ଼ିଲା । ଗାଆଁ ଦାଣ୍ଡରେ ଲୋକମାନଙ୍କ ଘର ଆଗରେ ତୁଳସୀ ଚଉଁରା ଗୋଟିଏ ଲେଖାଏଁ ଥିଲା । ତା’ ପାଖରେ ଦୀପଟିଏମାନ ଥୁଆ ହୋଇଥିଲା । ଗଲାକାଲି ସନ୍ଧ୍ୟାରେ ଜଳା ହୋଇଥିବା ଦୀପ । ସେସବୁ କେତେବେଳୁ ଲିଭି ସାରିଥିଲା । ତା’ପରେ ଗାଆଁର କୂଅ ପାଖରେ ଥିବା ପକୋଡା ଦୋକାନ ପାଖଦେଇ ଆମ ଶଗଡ଼ ଅତିକ୍ରମ କଲା ।

ସେତିକିବେଳେ ପାମୋ ଦୁପଟ୍ଟାକୁ ଧୀରେ ଝିଙ୍କିଦେଇ କହିଲା, ‘ତୋର ମନେ ଅଛି, ପିଲାଦିନେ ଆମେ ସକାଳୁ ସକାଳୁ କେମିତି ଉଦ୍ୟାନକୁ ଯାଉଥିଲେ?’ ମୋ ଭାବନାରେ ହଠାତ୍ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ଖାନୱାଁର ସେଇ କୂଅ ଭିତରୁ ମୁଁ ଟ୍ରେନ୍‌କୁ ଫେରିଆସିଲି । ହସି ହସି କହିଲି, ‘ହଁ, ହଁ, ମୋର ସବୁ କଥା ମନେଅଛି । ସିଏ କେତେ ବଡ଼ ଉଦ୍ୟାନ । ଥରେ ତ ମୁଁ ତା’ଭିତରୁ ବାହାରିବାର ବାଟ ପାଇ ନ ଥିଲି । ସେତେବେଳକୁ ଶୋଷରେ ମୋ ତଣ୍ଟି ଶୁଖି ଯାଉଥିଲା ।’

ପମ୍ମୋ ପଚାରିଲା, ‘ଆମେ କେଉଁଠି ପାଣି ପିଇଥିଲେ, ତୋର ମନେ ଅଛି?’

‘ସଦୋରୀର ଘରେ’ । ତାଙ୍କ ଘର ସେଇ ଉଦ୍ୟାନ ପାଖକୁ ଲାଗି । ସେଇଥିପାଇଁ ତାଙ୍କରି ଘରକୁ
ଯାଇଥିଲେ ।’

‘ସେମାନେ କେତେ ଭଲ ଲୋକ! ମନେ ଅଛି, ସେମାନେ ଆମକୁ ଲସି ଓ ଲହୁଣି ଖାଇବାକୁ ଦେଇଥିଲେ? ଆମେ କହିଥିଲେ, ଆମେ କେବଳ ପାଣି ପିଇବାକୁ ଆସିଛୁ । ସେମାନେ କିନ୍ତୁ ଆମର କିଛି କଥା ଶୁଣି ନ ଥିଲେ ।’

‘ବିଚରା! ସେମାନେ ସତରେ କେତେ ଗରିବ ଲୋକ ଥିଲେ!’ ମୁଁ କହିଲି ।

‘ଆଉ କାଳୀ’, ପମ୍ମୋ କହିଲା, ‘ତୋର ସେ ଆମ୍ବ, କୋଳି ଆଉ ଗୋଲାପଫୁଲ କଥା ମନେ ଅଛି?’

‘ହଁ, ହଁ, ସବୁ ମନେ ଅଛି । ଆମେ ଅଣ୍ଟିରେ ଅଣ୍ଟିଏ ଲେଖାଏଁ ଗୋଲାପ ଫୁଲ ତୋଳୁଥିଲେ ଓ ସେଥିରେ ଗୁଲକନ୍ଦ ବନଉଥିଲେ ।’

ଗୁଲକନ୍ଦ କଥା ଶୁଣି ସମସ୍ତେ ହସିଉଠିଲେ । ହରିଶକୁ ଭାରି ଲାଜ ମାଡ଼ିଲା । ସେ ପଚାରିଲା, ‘ଗୁଲକନ୍ଦ କ’ଣ? କେମିତି ବନାଯାଏ?’

ନିଜର ହସକୁ ଚାପିରଖି ପେ୧ା କହିଲା, ‘ତୁ ଜାଣିଚୁ ଆମେ କ’ଣ କରୁଥିଲୁ? ଆମେ ସେ ଫୁଲକୁ ଲୁଚେଇ ରଖୁଥିଲୁ ଓ ତାକୁ ଆଟୁ ଉପରକୁ ନେଇଯାଉଥିଲୁ । ଆଟୁରେ ଗୋଟିଏ ବଡ଼ ସିନ୍ଦୁକ ଥିଲା ଓ ତା’ଭିତରେ ଗୁଡାଏ ବାସନକୁସନ ରଖା ହୋଇଥିଲା । ସେଥିରୁ ଗୋଟିଏ ବଡ଼ କୁଣ୍ଡେଇ କାଢ଼ି ସେଥିରେ ଆମେ ଫୁଲ, ଚିନି ଓ ପାଣି ଭର୍ତ୍ତି କରୁଥିଲୁ । ତା’ପରେ ସେଇ କୁଣ୍ଡେଇକୁ ପୁଣି ସେଇ ସିନ୍ଦୁକ ଭିତରେ ରଖି ତାଲା ପକେଇ ଦେଉଥିଲୁ । ସନ୍ଧ୍ୟାବେଳକୁ ସେସବୁ ଗୁଲକନ୍ଦ ବନି ଯାଉଥିଲା । ଖାଇବାକୁ ଏତେ ସୁଆଦିଆ ଯେ ମୁଁ ସେକଥା ବଖାଣି ପାରିବିନି ।’

ହରିଶର ମନ କେମିତି ଯବଣାସିକ୍ତ ଦିଶିଲା । ବୋଧହୁଏ ସେ ସେଇସବୁ ଖାଦ୍ୟ କଥା ମନେ ପକାଉଥିଲା ଲସି, ଆମ୍ବ, ଲହୁଣି, ଫରୱାସ୍‌, ଗୁଲକନ୍ଦ ଓ ଆହୁରି କେତେ କଅଣ… ଟ୍ରେନ୍ ଆହୁରି କେତେ ଆଗକୁ ଯାଇ ସାରିଥିଲା । କିନ୍ତୁ ଆମ ସ୍ମୃତି ଆମକୁ ପଛକୁ ଫେରାଇ ନେଉଥିଲା । କିଛି ସମୟ ପରେ ମୁଁ ମା’କୁ କହିଲି, ‘ମା, ଜେଜେବାପା ନିଶ୍ଚୟ ଏଠାରେ ରହିବାକୁ ଅସୁବିଧା ଅନୁଭବ କରୁଥିବେ । ଭାରି ଛୋଟ ଜାଗା । ସେଠାରେ ସେ କେଡ଼େ ବିରାଟ ଧର୍ମଶାଳାରେ ରହୁଥିଲେ, ନୁହେଁ?’

ବାପା ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ, “ପୁଅରେ, ତୋ ଜେଜେବାପା ଥିଲେ ଗାଆଁର ମୁଖିଆ ।ସେଇ
ଧର୍ମଶାଳାଟା ହେଲା ଗାଆଁ ଲୋକଙ୍କର । ସେମାନେ ଜେଜେବାପାଙ୍କୁ ସେଠାରେ ରହିବାକୁ କହିଥିଲେ । କାରଣ, ସେଠାରେ ରହି ହିଁ ଗାଆଁର ଭଲଭାବେ ଦେଖାରଖା କରିପାରିବେ । ଗାଆଁର ପୁନିଅଁ ପରବ, ମେଳା ମଉଚ୍ଛବ କି ବାହା ବ୍ରତ ଭଳି ଶୁଭକାମସବୁ ସେଠାରେ ହେଉଥିଲା । ତେଣୁ ବାବାଙ୍କୁ ସେଇଠି ରହି ସବୁ ଦାୟିତ୍ୱ ବୁଝାଶୁଝା କରିବାକୁ ସେମାନେ ଅନୁରୋଧ କରିଥିଲେ ।

ମା’ କହିଲା, ‘ସିଏ ସେଠାରେ ଜଣେ ମହାରାଜା ଭଳିଆ ଜୀବନ ବଞ୍ଚୁଥିଲେ । ଲୋକମାନେ ସଦାବେଳେ ତାସ୍ କି ପଶା ଖେଳୁଥିଲେ । ସନ୍ଧ୍ୟାବଳେ ସେମାନେ ହୁକା ପ୍ରସ୍ତୁତକରି ତାଙ୍କୁ ଦିଅନ୍ତି । ଆଉ କିଏ ଭାଙ୍ଗ ବାଟିଦିଏ । ଚିହ୍ନା ଅଚିହ୍ନା ଯେଉଁପିଲା ସେ ଧର୍ମଶାଳାକୁ ଯାଉଥିଲା, ବାବା ସମସ୍ତଙ୍କ ହାତରେ ଗୋଟିଏ ଲେଖାଏଁ ପଇସା ଧରେଇ ଦେଉଥିଲେ । ସେତେବେଳେ ଗୋଟିଏ ପଇସାର ମୂଲ୍ୟ ବି ଢେର୍ ଥିଲା…
ପମ୍ମୋ ହରିଶ ମୁହଁକୁ ଚାହିଁ ତା’ ପେଟକୁ ଚିମୁଟିଦେଇ କହିଲା, ‘ପିଲାମାନଙ୍କୁ ପଇସା ଦେଲାବେଳେ ସେ ସେମାନଙ୍କ ପେଟକୁ ଏମିତି କୁତୁରୁକାଳିଆ କରି ପକାଉଥିଲେ… ।’ ହରିଶ ଏକଥା ଶୁଣି ହସି ହସି କୁରୁଳି ଉଠିଲା ।

ସେତେବେଳକୁ ଢେର୍ ରାତି ହୋଇ ସାରିଥିଲା । ମୁଁ ଟ୍ରେନ୍‌ର ଝର୍କାଦେଇ ବାହାରକୁ ଚାହିଁଲି । ଟ୍ରେନ୍‌ଟା ହ୍ୱିସିଲ୍ ମାରି ଅନ୍ଧାରକୁ ଚିରି ଆଗକୁ ଦ୍ରୁତ ବେଗରେ ଦୌଡ଼ୁଥିଲା । ମୋ ମୁହଁ ସେତେବେଳକୁ କେମିତି ଓଦା ସେଧା ଲାଗୁଥିଲା । ପୁଣି ଥରେ ମୁହଁ ଫେରେଇଆଣି ମୁଁ ଭିତରକୁ ଚାହିିଁ । ଟ୍ରେନ୍‌ଟା କେମିତି ସ୍ଥିର ଜଣା ପଡ଼ୁଥିଲା । ସେତେବେଳକୁ ଆମ ଆଖିରେ ଆଖିଏ ଲେଖାଏଁ ନିଦ ।

ଅହମାଦାବାଦ ଷ୍ଟେସନରେ ପହଞ୍ôଚବା ପରେ ଆମେ ପ୍ରଥମେ ହରଭଜନଙ୍କୁ ଖୋଜିଲୁ । ପମ୍ମୋ ପ୍ରଥମେ ତାକୁ ଠାବ କରି ଚିତ୍କାର ଛାଡ଼ଇଲା, ହେଇଟି ସେଇଠି… ।’

ହରିଶ ଲାଗିଆସି ମୋରି ପାଖରେ ଠିଆହେଲା ଓ ପଚାରିଲା, ‘ସିଏ ଆମର କ’ଣ ହେବେ?’

ମୁଁ କହିଲି, ‘ସିଏ ଆମ ସମ୍ପର୍କୀୟ ଭାଇ ।’

ହରଭଜନ ଆମ ସମସ୍ତଙ୍କୁ ଅତି ଖୁସିରେ ସ୍ୱାଗତ ଜଣେଇଲେ । ବାପାଙ୍କୁ କୁଣ୍ଢେଇ ଧରି ଅଭିମାନିଆ
ସ୍ୱରରେ କହିଲେ, ‘ତା’ହେଲେ ଶେଷରେ ଆପଣ ଏ ଗରିବ ଲୋକଟି ପାଖକୁ ଆସିବାର କୃପା କଲେ ।’

ବାପା ମଧ୍ୟ ତାଙ୍କୁ ଛାତିରେ ଭିଡ଼ିଧରି କହିଲେ, ‘ନାଇଁ, ନାଇଁ, ସେମିତି କୁହନ୍ତୁନି… ।’

ମୁଁ ଲକ୍ଷ୍ୟ କଲି, ବାପାଙ୍କ ଆଖି ଲୁହ ଛଳଛଳ ହୋଇ ଉଠିଥିଲା । ମା’ର କଣ୍ଠସ୍ୱର ବି ଭାବାବେଗରେ କେମିତି ରୁନ୍ଧି ହୋଇଗଲାପରି ଲାଗୁଥିଲା । ସେ କହିଲା, ‘ସଂଖ୍ୟାଗରିଷ୍ଠ ସମ୍ପ୍ରଦାୟମାନେ ତ ସମସ୍ତଙ୍କୁ ହତ୍ୟା କରିଚାଲିଥିଲେରେ ପୁଅ । କେମିତି ଏଠାରେ ରହିପାରିଥାଆନ୍ତୁ?’

ତା’ପରେ ଆମେ ଗୋଟିଏ ବସ୍ ଧରି କୁବେରନଗର ଅଭିମୁଖେ ଯାତ୍ରା କଲୁ । ମୁଁ ପଚାରିଲି, ‘ଆଚ୍ଛା ହରଭଜନଜୀ, କହିଲେ, ଆପଣଙ୍କ ଘର ଆଗରେ ଅଗଣା ଅଛି?’ ସେ ହସି ହସି କହିଲେ, ‘ତୁ ବଢ଼ିଆ ପରିହାସ କରୁଚୁ ତ!’

‘ଆରେ ସାଙ୍ଗ’, ମୁଁ ପମ୍ମୋ ଆଡ଼େ ଚାହିଁ କହିଲି, ‘ଅଗଣା ବିନା ଛେଳିମାନେ ରହିବେ ଭଲ କେଉଁଠି?’

ପମ୍ମୋ କିଛି ନ କହି ମୁରୁକି ହସିଲା । ବୋଧହୁଏ ସେ ଭାବୁଥିଲା ଯେ ଅଗଣାରେ ଛେଳିଛୁଆମାନଙ୍କ ଖେଳକୁଦ କଥା ମୋର ଏପର୍ଯ୍ୟନ୍ତ ମନେ ଅଛି । ସେତେବେଳେ କାକା ଛେଳି ଛୁଆମାନଙ୍କୁ ଦୁହିଁ କ୍ଷୀର ଆଣିବା ମାତ୍ରେ ପମ୍ମୋ ତାଜା କ୍ଷୀର ମାଗିନେଇ ପିଉଥିଲା ।

ଆମେ ଘରେ ପହଁଞ୍ଚିଲୁ । ଜେଜେବାପା ବାରାକ୍ ବାହାରେ ପଦାରେ ଦଉଡ଼ିଆ ଖଟିଆଟି ଉପରେ ବସିଥିଲେ । କେମିତି ଧ୍ୟାନସ୍ଥ ହୋଇ ବସିରହିଲା ପରି ଲାଗୁଥିଲେ । ତାଙ୍କ ଦୃଷ୍ଟିଶକ୍ତି ନିଷ୍ପ୍ରଭ ହୋଇସାରିଥିଲା । ଖାନୱାଁରେ ଥିଲାବଳେ ବାବା ତାଙ୍କ କାନ୍ଧକୁ ଭିଡ଼ିଧରି ଯେମିତି କୁଣ୍ଢେଇ ଧରୁଥିଲେ ଏବେ ଆଉ ସେମିତି କରିବା ଲାଗି ତାଙ୍କର ଜୁ’ ନ ଥିଲା ।

ପମ୍ମୋ କିନ୍ତୁ ଜେଜେବାପାଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ କୁଣ୍ଢେଇଧରି ଚିତ୍କାର ଛାଡ଼ିଲା, ‘ବାବା!’ ଭଗବାନଙ୍କୁ ଜଣା ବାବାଙ୍କଠାରେ ହଠାତ୍ କି ବିଚିତ୍ର ପରିବର୍ତ୍ତନ ଘଟିଲା । ତାଙ୍କ ଆଖିରୁ ଧାର ଧାର ଲୁହ ଗଡ଼ିବାକୁ ଆରମ୍ଭ କଲା । ଶୁଖିଲା ଓଠରେ ହସ ଖେଳିଉଠିଲା । ଆମମାନଙ୍କ କପାଳରେ ଚୁମାଟିଏ ଲେଖାଏଁ ଦେଇ ସେ କହି ଚାଲିଲେ, ‘ଆରେ, ତୁମେମାନେ ଆସିଚ ମୋ ପିଲାମାନେ! ତୁମକୁ ଦେଖିବାଲାଗି କେତେ ଦିନୁ ଚାହିଁ ବସିଥିଲି!’ ଯଦିଚ ତାଙ୍କ ଆଖିକୁ ଭଲକରି ଦୃଶ୍ୟ ହେଉ ନ ଥିଲା, ତଥାପି ସେ ଆମ ସମସ୍ତଙ୍କୁ ଜଣ ଜଣ କରି ଚିହ୍ନି ପାରିଥିଲେ । ହରିଶ କିନ୍ତୁ ତାଙ୍କୁ ଦେଖି ମୁହଁ ଖଟା କଲାପରି କହିଲା, ‘ସିଏ ମତେ ପଇସାଟିଏ ଦେଉ ନ ଥିଲେ କି କୁତୁରୁକାଳିଆ କରୁ ନ ଥିଲେ ।’

ବାବାଙ୍କ ସର୍ବାଙ୍ଗ ଶରୀର ଉପରେ ମୁଁ ଆଖି ବୁଲେଇନେଲି । ତାଙ୍କ ଉପରେ ବୟସ ଓ ସମୟ ଯେମିତି ନିଜ ନିଜ ଛାପ ଛାଡ଼ିଯାଇଥିଲା । ତଥାପି ମତେ ଖୁସି ଲୁଗଥିଲା । ମୁଁ ଘର ଭିତରକୁ ଗଲି । ଅଗଣାରେ ଚାଚୀ ଲୁଗା ଶୁଖାଉଥିଲେ । ହରଭଜନର ସ୍ତ୍ରୀ ତା’ ସାନପୁଅକୁ ପ୍ୟାଣ୍ଟ୍‌ସାର୍ଟ ପିନ୍ଧାଉଥିଲା । ସମସ୍ତେ ମତେ ଦେଖି ଖୁସିରେ ଗଦ୍‌ଗଦ୍ ହୋଇଉଠିଲେ, ସ୍ୱାଗତ କଲେ । କିନ୍ତୁ କାହିଁକି କେଜାଣି ମୋ ମନ ମାନୁ ନ ଥିଲା । ମୁଁ ଚାହୁଁଥିଲି ଚାଚୀ ମୋତେ ଦେଖି ଖୁସିରେ ହସିଉଠନ୍ତୁ ଓ ତାଙ୍କର ସେ ଭଙ୍ଗା ଦାନ୍ତଟା ଦିଶିଯାଉ । ପୁଅକୁ ପୋଷାକ ପିନ୍ଧେଇଲାବେଳେ ହରଭଜନର ସ୍ତ୍ରୀ ଗୁଣୁଗୁଣୁ ହୋଇ ଗୀତ ଗାଉଥିଲା । ଭରଣୀ ଆମାନଙ୍କୁ ଦେଖି ଏତେ ଖୁସି ହୋଇଯାଇଥିଲାଯେ ଚୁଲିରେ ବସିଥିବା ଡାଲି ଆଉ ରୁଟି ପୋଡ଼ି ସାରିଥିଲେ ସୁଦ୍ଧା ସେ ଆଡ଼କୁ ତା’ର ନିଘା ନ ଥିଲା । ସେମାନଙ୍କ ଜୀବନରେ ଖାନୱାଁର ସେଇ ଛାପ ସେମାନଙ୍କ ମନରୁ କୁଆଡ଼େ ହଜିଗଲା? – ମୁଁ ମନେ ମନେ ଆଶ୍ଚର୍ଯ୍ୟ ହେଉଥିଲି । ଆମେ ଦୁହେଁ ଗପରେ ମଜ୍ଜିଗଲୁ । ହରିଶ ବି ହରଭଜନର ପୁଅକୁ ସାଙ୍ଗ ଭାବରେ ପାଇଯାଇଥିଲା । ସେମାନେ ହାତ ଧରାଧରିହୋଇ ବାହାରକୁ ଖେଳିବାକୁ ବାହାରିଗଲେ । କିଛି ସମୟ ପରେ ହରିଶ ଆବାକାବା ହୋଇ ବାହାରକୁ ଚାହିଁବା ପରେ ପୁଣି ଘରକୁ ଲେଉଟି ଆସିଥିଲା । ସେତେବେଳକୁ ଆମର ରୋଷେଇବାସ ସରିଥିଲା । ହରିଶକୁ ବି ଖୁବ୍ ଭୋକ ଲାଗୁଥିଲା । ସେ ବଡ଼ ପାଟିରେ ଚିତ୍କାର ଛାଡ଼ିଲା, ‘ମନେ ଖାଇବାକୁ ଦେ’ । ମତେ ଭୋକ ଲାଗିଲାଣି ।’

ଚାଚୀ କହିଲେ, ପମ୍ମୋ ସାଙ୍ଗରେ ଏକାଠି ବସି ଗୋଟିଏ ଥାଳିରେ ଖାଆ ।’

ହରିଶ କିନ୍ତୁ ରୋକଠୋକ୍ ମନାକଲା – ‘ନା, ମୁଁ ଅଲଗା ଥାଳିରେ ଖାଇବି ।’

ଚାଚୀ ତାକୁ କୋଳକୁ ଟେକିନେଇ ସ୍ନେହବୋଳା କଣ୍ଠରେ କହିଲେ, ‘ଭଗବାନ ତୋତେ କୋଟି ପରମାୟୁ ଦେଇଥାଆନ୍ତୁ ରେ ପୁଅ । ଆଉ ଟିକେ ସମୟ ଅପେକ୍ଷା କର । ତୋତେ ଅଲଗା ଥାଳିରେ ଖାଇବାକୁ ଦେବି । ଏବେ ପରା ଆଉ ଥାଳି ନାହିଁ ।’

ହରିଶ ଚାଚୀ କାଖରୁ ଭିଡ଼ିମୋଡ଼ି ହୋଇ ଓହ୍ଲେଇ ପଡ଼ିଲା ଓ ତଳେ ଗଡ଼ି କାନ୍ଦିବାରେ ଲାଗିଲା । ମୁଁ ତା’ ପାଖକୁ ଯାଇ ତାକୁ ଧୀରେ ଉଠେଇ ବୁଝେଇ କହିଲି, ‘କାଇଁକି ଅଝଟ ହୋଇ କାନ୍ଦୁଚୁ କହିଲୁ?’

ଛୋଟ ଛୁଆଟିଏ ପରି କୋହଭରା କଣ୍ଠରେ ସେ କହିଲା, ‘ମତେ କାଇଁକି ସିଏ ଖାଇବାକୁ ଦଉନାହାନ୍ତି?’

ମୁଁ ତାକୁ ବୁଝେଇବାଲାଗି କହିଲି, ‘ତୁ ଆମ ସାଭ୍‌ଗରେ ଏକାଠି ବସି ଖାଆ । ନ’ହେଲେ ଅଲଗା ପ୍ଲେଟ୍ ଧୁଆହେବା ପର୍ଯ୍ୟନ୍ତ ଅପେକ୍ଷା କର୍ ।’

ହରିଶ ମୋ ହାତରୁ ନିଜ ହାତକୁ ଖସେଇ ନେଲା ଓ କହିଲା, ‘ସିଏ କାଇଁକି ବାକ୍ସରୁ ଆଉ ଗୋଟିଏ ପ୍ଲେଟ୍ ବାହାର କରି ମତେ ଖାଇବାକୁ ଦେଉନାହାନ୍ତି?’

‘କେଉଁ ବାକ୍ସ?’ ମୁଁ ଧୈର୍ଯ୍ୟହରା ହୋଇ ପଚାରିଲି ।

‘ତାଜାରେ ଥୁଆ ହୋଇଥିବା ଟ୍ରଙ୍କ୍ ।’

ଚାଚୀ ଓ ମୁଁ ହସିଉଠିଲୁ । ଚାଚୀ ପଡ଼ିଶାଘରକୁ ଧାଇଁଯାଇ ପ୍ଲେଟ୍‌ଟିଏ ଥରି ଫେରିଆସିଲେ । ସେଥିରେ ଭାତ ଓ ତରକାରୀ ବାଢ଼ି ସେ ହରିଶକୁ ଖାଇବାକୁ ଦେଲେ ।

ସେଦିନ ସନ୍ଧ୍ୟାରେ ଚାଚୀ ଆମକୁ ପାଖଆଖର କେଇଜଣ ପଡ଼ୋଶୀଙ୍କ ଘରକୁ ବୁଲେଇ ନେଇଥିଲେ । ଆମେ ସଦୋରୀଙ୍କ ଘରକୁ ବୁଲି ଯାଇଥିଲୁ । ସେମାନେ ଆମକୁ ପାମ୍ପଡ଼ ଓ ଚା’ ଆଦି ଜଳଖିଆରେ ଆପ୍ୟାୟିତ କଲେ । ହରିଶ କେମିତି ବିରକ୍ତିଭରା ମୁହଁରେ ମୋ ପାଖକୁ ଲାଗିଆସି ଚୁପି ଚୁପି କହିଲା, ‘ତୁମେସବୁ ଲହୁଣି ଓ ଲସି ପିଇଲ, ଆଉ ବୋ ବେଳକୁ ଖାଲି ଚା!’

‘ସ୍‌…’ ବୋଲି ଇଙ୍ଗିତ କରି ମୁଁ ତାକୁ ଚୁପ୍ କରେଇଲି । ଆକଟ କରି କହିଲି, ‘ବହୁତ ହୋଇଗଲା । ଅତି ଫାଜିଲ୍ ହଉଚୁ!’

ତା’ପରଦିନ ସକାଳୁ ଶେଯରୁ ଉଠିବା ମାତ୍ରେ ସେ ମତେ ଅନୁରୋଧ କଲା, ମତେ ବଗିଚାକୁ ବୁଲେଇ ନେଇ ଚାଲ୍ ।’

‘କେଉଁ ବଗିଚା?’

‘ଯେଉଁ ବଗିଚାରୁ ଗୋଲାପଫୁଲ ତୋଳି ତୁମେ ଗୁଲକନ୍ଦ ବନଉଥିଲ ।’

‘ଆରେ ପାଗଳା, ଏଠାରେ ସେମିତି କିଛି ବଗିଚା ନାହିଁ ।’

ହରିଶ କିନ୍ତୁ ମୋର ଏଭଳି ଉତ୍ତରରେ ସନ୍ତୁଷ୍ଟ ନ ଥିଲା କି ମୋ କଥାକୁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନ
ଥିଲା । ସିଏ ଖଟ ଉପରୁ ସିଧା ତଳକୁ ଡେଇଁ ପଡ଼ିଲା ଓ ତଳେ ଗୋଡ଼ କଚାଡ଼ି କାନ୍ଦିବା ଆରମ୍ଭ
କରିଦେଲା । ତାକୁ ବୋଧଶୋଧ କରିବାଲାଗି ଚାଚୀ ତା’ହାତରେ ଗୋଟିଏ ଅଣା ପଇସା ଧରେଇଦେଲେ । ସିଏ କିନ୍ତୁ ତାକୁ ତଳେ ଫିଙ୍ଗିଦେଲା । ଏଥର ତାକୁ ବାବା ଡାକିଲେ : ‘ତୁ ଚାଲ୍‌, ତୋତେ ବଜାରଆଡ଼େ ବୁଲେଇ ଆଣିବି ।’ ହରିଶ କିନ୍ତୁ ନଛୋଡ଼ବନ୍ଦା । କାହାରି କଥା ଶୁଣିବାକୁ ସେ ପ୍ରସ୍ତୁତ ନ ଥିଲା । ବରଂ ବେଳକୁ ବେଳ ଅଧିକ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲା । ଗୁମୁରି ଗୁମୁରି କାନ୍ଦି ସେ ତା’ ଲୁହଭିଜା ଆଖିରେ ମୋତେ ସେମିତି ମିନତି କରି ଚାଲିଥିଲା – ‘ମତେ ସେ ବଗିଚାକୁ ନେଇ ଚାଲ୍‌… ମୁଁ ସେଇଠି ଆମ୍ବ ତୋଳିବି, ଫୁଲ ତୋଳିବି… ।’

ତା’ କାନ୍ଦରେ ମା’ କେମିତି ଅତିଷ୍ଠ ହୋଇ ଉଠିଲେ । ହଠାତ୍ ତା’ଗାଲରେ ଶକ୍ତ ଚଟକଣାଟିଏ ବସେଇଦେଇ କହିଲେ: ‘ଦୁଷ୍ଟପିଲା, ଇଏ ଖାନୱାଁ ନୁହଁ, ଇଏ ଅହମଦାବାଦ । କ’ଣ ବୁଝିଲୁ ନା ନାଇଁ? ଅହମଦାବାଦ ।

 

ରୂପାନ୍ତରଣ: ସୁଭାଷ ଶତପଥୀ
ମୋ: ୯୭୭୬୪୯୭୭୩୩ 

Leave A Reply

Your email address will not be published.