ସୁଜାତା ମିଶ୍ର
ମରୁଭୂମିରେ ଅପରାହ୍ନର ଖରା
ମଉଳି ଯାଏ…
ବାଲୁକା ଶେଯରେ ଲମ୍ବି ଲମ୍ବି ଯାଏ
ଓଟର ଛାଇ …,
ମାଇଲ୍ ମାଇଲ୍ ଧରି ବାଲିର ବିସ୍ତୃତିକୁ
ସ୍ୱର୍ଣ୍ଣ ଲୋହିତ ରଙ୍ଗରେ ସଜେଇ..
ବାରୁଣୀ ଗଗନ ତଳେ ନୀରବରେ
କ୍ଳାନ୍ତ ଅପରାହ୍ନର ମ୍ଲାନ ଚିହ୍ନ
ଯାଏ ତ ଉଭେଇ..,
ଫୁଲ ସଞ୍ଜ ନଇଁ ଆସେ..
ଧୂସରିଆ ଅନ୍ଧାରର ଓଢ଼ଣୀ ଉହାଡରୁ
ଗୋଧୂଳିର ଅନୁରାଗେ
ମୁରୁକି ମୁରୁକି ହସି…
ମରୁଭୂମିର ନିଃସଙ୍ଗତା
କଡ଼ ଲେଉଟାଇ
ବାଲି ରାଜାର ଉଆସରେ
ପଡ଼େ ଯେ ଘୁମେଇ..
ବାଲି ଝଡ଼ର ଦୁସ୍ବପ୍ନ ଦେଖୁ ଦେଖୁ
ଆର୍ତ୍ତନାଦ କରେ କେହି ପାନ୍ଥ ..
ସୂର୍ଯ୍ୟାସ୍ତର ବାହୁବନ୍ଧନୀରେ
ମରୁଭୂମି ପଡ଼େ ଶୋଇ ..,
ଆଖିରେ ତା ମରୀଚିକାର
ଝରା ଝରା ସ୍ବପ୍ନ…
ବାଲିର କିଆରୀ ପୁଣି
ବାଲିର ପାହାଡ଼…,
ଆଦିଗନ୍ତ ବାଲୁକାର ରାଶି
ଲେଖୁଥାଏ
ପ୍ରତି ସାୟାହ୍ନରେ
ନୂଆ ଇତିହାସ,
ବାଲୁକାର ସ୍ତୂପ ତଳେ
ନିଶବ୍ଦରେ କୋଳାହଳ କରୁଥାଏ
ଅତୀତର କିଛି ବିଭୀଷିକା,
କିଛି ଅବଶେଷ
ଆଉ କିଛି ଅବସୋସ!
କସ୍ମୋପଲିସ୍
ଭୁବନେଶ୍ୱର
Comments are closed.