Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ବର୍ତ୍ତମାନ ପୂଜିତ ବିଗ୍ରହ ହେଉଛି ‘ଦାରୁ ବ୍ରହ୍ମ’ । ଅର୍ଥାତ ପ୍ରତ୍ୟେକ ବିଗ୍ରହର ଶରୀର ଦାରୁ ନିର୍ମିତ୍ତ ଓ ତା’ ମଧ୍ୟରେ ବ୍ରହ୍ମ ପଦାର୍ଥ ସଂଯୁକ୍ତ ହୋଇ ଦାରୁ +ବ୍ରହ୍ମ =ଦାରୁବ୍ରହ୍ମ ହୋଇଛି। କିନ୍ତୁ ଆମେ ଆଗରୁ ଯେଉଁ ବର୍ଣ୍ଣନାଗୁଡିକ ପାଠ କଲେ ତାହା ସମ୍ପୂର୍ଣ ଭିନ୍ନ ଅଟେ ।

ନୀଳମାଧବଙ୍କ ଅଦୃଶ୍ୟ ପରେ, ବ୍ରହ୍ମ ଦାରୁର ପ୍ରକଟ ଓ ସେଥିରେ ସ୍ୱୟଂ ବିଶ୍ଵକର୍ମାଙ୍କ ଦ୍ୱାରା ଚତୃଦ୍ଧାମୂର୍ତ୍ତି ନିର୍ମାଣ କଥା ଆମେ ଜାଣିଲେ। ଏକଥା ବି ଜାଣିଲେ ଯେ ନାରଦ ମହର୍ଷିଙ୍କ ପରାମର୍ଶରେ ରାଜା ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକକୁ ଯାଇଛନ୍ତି ବ୍ରହ୍ମlଙ୍କୁ ନିମନ୍ତ୍ରଣ କରିବାପାଇଁ। କାରଣ ଉକ୍ତ ବିଗ୍ରହ ଓ ନୂତନ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସ୍ୱୟଂ ବ୍ରହ୍ମlଙ୍କ ଦ୍ୱାରା କରାଇବାର ଅଭିଳାଷ ତାଙ୍କ ମନରେ ଆସିଛି। ଏହିଠାରେ ପୁରାଣ ବର୍ଣ୍ଣିତ ଉପାଖ୍ୟାନଟି ଖୁବ ଅସମ୍ଭବ ଲାଗେ। କାରଣ ପ୍ରଥମେ କୁହାଗଲା ସତ୍ୟଯୁଗରେ ଅବନ୍ତୀ ର ରାଜା ଇନ୍ଦ୍ରଦ୍ୟୁମ୍ନ, ଉତ୍କଳ ଆସି ନୀଳାଚଳଠାରେ ମନ୍ଦିର ଓ ବିଗ୍ରହ ନିର୍ମାଣ କରାଇଲେ। ନାରଦଙ୍କ ସାହାଯ୍ୟରେ ଦେବଲୋକ ଯାଇ ସେଠାରେ ବ୍ରହ୍ମlଙ୍କୁ ନିମନ୍ତ୍ରଣ କଲେ। ବ୍ରହ୍ମl ମୁହୂର୍ତ୍ତେ ଅପେକ୍ଷା କରିବାକୁ କହିଲେ, ଦେବଲୋକର ସେହି ମୁହୂର୍ତ୍ତେ ସମୟ ମର୍ତ୍ତ୍ୟ ଲୋକରେ ଆଣିଲା ଅନେକ ପରିବର୍ତ୍ତନ, ସତ୍ୟଯୁଗ ଅତିକ୍ରାନ୍ତ ହେଲା। ଅନେକ ନୃପତିଙ୍କ ଅବସାନ ଘଟିଲା । କିନ୍ତୁ ଦେବଲୋକରେ ଥିବାରୁ ଇନ୍ଦ୍ରଦ୍ୟୁମ୍ନଙ୍କୁ କିଛି ପରିବର୍ତ୍ତନ ସ୍ପର୍ଶ କଲାନି। କିନ୍ତୁ ବ୍ରହ୍ମl ଏହାର ଆଭାସ ପାଇଲେ ତେଣୁ ଇନ୍ଦ୍ରଦ୍ୟୁମ୍ନଙ୍କୁ ଆଦେଶ ଦେଲେ “ହେ ରାଜନ ତୁମେ ଶୀଘ୍ର ମର୍ତ୍ତ୍ୟଲୋକକୁ ଯାଇ ନିର୍ମାଣ କରିଥିବା ଦେବତା ଓ ଦେବମନ୍ଦିରକୁ ନିଜ ଆୟତ୍ତକୁ ନିଅ। ତା’ ସହିତ ପ୍ରତିଷ୍ଠା ପାଇଁ ସବୁ ଦ୍ରବ୍ୟ ସଂଗ୍ରହ ସହ ସମସ୍ତ ଆୟୋଜନ କର। ମୁଁ ନିମିଷକେ ଯାଇ ସେଠାରେ ପହଁଞ୍ଚିବି। ” ଆଦେଶ ପାଇବା ମାତ୍ରେ ଇନ୍ଦ୍ରଦ୍ୟୁମ୍ନ ନାରଦ, ବୃହସ୍ପତି ଓ ଅନ୍ୟ ଦେବଗଣଙ୍କୁ ସାଙ୍ଗରେ ଧରି ମର୍ତ୍ତ୍ୟ ଲୋକରେ ପହଞ୍ଚିଲେ ଓ ଦେଖିଲେ ଗାଲମାଧବ ନାମକ ନୃପତି ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନିର୍ମିତ୍ତ ମନ୍ଦିରକୁ ନିଜ ଆୟତ୍ତକୁ ନେଇ ସେଠାରେ ମାଧବଙ୍କୁ ସ୍ଥାପନା କରି ପୂଜା କରୁଛନ୍ତି। ଏଠାରେ ଇନ୍ଦ୍ରଦ୍ୟୁମ୍ନ ଓ ଗାଲମାଧବଙ୍କ ମଧ୍ୟରେ କିଛି ବିବାଦ ହୋଇଛି ଓ ଇନ୍ଦ୍ରଦ୍ୟୁମ୍ନ ସମସ୍ତ ପ୍ରମାଣ ଦେବା ପରେ ଗାଲମାଧବ ତାଙ୍କର ବଶ୍ୟତା ସ୍ୱୀକାର କରି ମନ୍ଦିର ପ୍ରତିଷ୍ଠାରେ ସହଯୋଗ କରିଛନ୍ତି। ନାରଦଙ୍କ ତତ୍ୱାବଧାନରେ ଯଜ୍ଞ ବେଦୀରେ ନିର୍ମିତ୍ତ ଚାରି ବିଗ୍ରହ ସ୍ୱତନ୍ତ୍ର ରଥରେ ବିରାଜିତ ହୋଇ ରତ୍ନବେଦୀକୁ ଅଣାଯାଇଛି ଓ ପ୍ରତିଷ୍ଠା କରାଯାଇଛି। ଏଠାରେ ପୁରାଣ କହେ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ ପରେ ନିଜ ବାକ୍ୟ ରକ୍ଷା କରି ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦଙ୍କ ସହ ପୁଣି ବ୍ରହ୍ମଲୋକକୁ ଫେରି ଯାଇଛନ୍ତି ଓ ଶ୍ୱେତବଂଶର ରାଜା ଗାଲମାଧବ ନୂତନ ମନ୍ଦିର ଓ ବିଗ୍ରହଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହାର ଏକ ଅନ୍ୟ ବର୍ଣ୍ଣନା କିନ୍ତୁ ଦେଉଳ ତୋଳା ଗ୍ରନ୍ଥରେ ବର୍ଣ୍ଣିତ ହୋଇଛି। ଏଥିରେ ଉଲ୍ଲେଖ ଅଛି ସବୁକାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହେବା ପରେ, ଶ୍ରୀଜଗନ୍ନାଥ ପ୍ରିତ ହୋଇ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଏକ ବର ମାଗିବାକୁ କହିଛନ୍ତି। ଏଥିରେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ବିନୟ ହୋଇ ପାର୍ଥନା କରି କହିଛନ୍ତି ହେ ପ୍ରଭୁ
“ମୋତେ ଯେବେ ବର ଦେବ ମାଗୁଅଛି ମୁହିଁ, ମୋହର ବଂଶ ରେ କେହି ନଥିବେ ଗୋସାଇଁ “ଏଭଳି ବିଚିତ୍ର ବର ମାଗିବାର କାରଣ ପୁଣି ଶ୍ରୀଜଗନ୍ନାଥ ପଚାରିଛନ୍ତି ଆଉ ଉତ୍ତର “ପୁତ୍ର ନାତି ବୋଲିବେ ଯେ ଦେଉଳ ଆମ୍ଭର, ଆମ୍ଭର ବୋଇଲେ ଧର୍ମ ନଷ୍ଟ ଯିବ ମୋର “ବୋଲି ରାଜା ଲନ୍ଦ୍ରଦ୍ୟୁମ୍ନ କହିବାରୁ ଶ୍ରୀଜଗନ୍ନାଥ ସନ୍ତୁଷ୍ଟ ହୋଇ ତଥାସ୍ତୁ କହିବା ସହ, ନିଜେ ପୁତ୍ରର ଦାୟିତ୍ୱ ତୁଲାଇ ଦେବ ଦୀପାବଳି ଦିନ ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ପିଣ୍ଡ ଦାନ କରୁଛନ୍ତି।

ଏଠାରେ ସ୍କନ୍ଦ ପୁରାଣ କିନ୍ତୁ କହେ ଅନ୍ୟ କଥା। କାରଣ ବ୍ରହ୍ମଲୋକରେ ଥିବା ସମୟରେ ହିଁ ଇନ୍ଦ୍ରଦ୍ୟୁମ୍ନଙ୍କ ବଂଶ ନିପାତ ହୋଇଥିଲା। ତେଣୁ ନିବଂଶ ହେବାର ବର କଣ ଦରକାର। ରାଜା ଇନ୍ଦ୍ରଦ୍ୟୁମ୍ନ କେବଳ ସେବା ପୂଜାର ଅନୁମତି ଭିକ୍ଷା କରିଛନ୍ତି। ସେହି ଦିନରୁ ସମସ୍ତ ନୃପତି ତଥା ଗଜପତିମାନେ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ହୋଇଛନ୍ତି। ଏବେ ଆପଣମାନେ ନିର୍ଣ୍ଣୟ ନେବେ ପରିଦୃଶ୍ୟମାନ ମନ୍ଦିରର ଐତିହାସିକ ତଥ୍ୟକୁ ଗ୍ରହଣ କରିବା ନା ପୌରାଣିକ ତଥ୍ୟକୁ ଗ୍ରହଣ କରିବା। ଆଗାମୀ ଅଧ୍ୟlୟରେ ଜାଣିବା ଶ୍ରୀମନ୍ଦିରର ସଂସ୍କାର ଓ ସଂରକ୍ଷଣ ବାବଦରେ । ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।

“ସକଳ ଶlସ୍ତ୍ର ମଧେ ସାର
ଓଁ କାର ବ୍ରହ୍ମ ଏକାକ୍ଷର ।
ଆମ୍ଭେ ଶ୍ରୀମୁଖେ ଆଜ୍ଞା ଦେଲୁ
ଶ୍ରୀ ଭାଗବତ ନାମ ଦେଲୁ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.