Latest Odisha News

BREAKING NEWS

କବିତା : ଫଗୁଣ ଆସିଛି

ସୁପ୍ରିୟା ପଣ୍ଡା 

ଫଗୁଣ ଆସିଛି ଫଗୁର ରଙ୍ଗରେ ରଙ୍ଗାଇବ ଚଉଦିଗ
ମହକରେ ମନ ମୋହିନେଇ କୁସୁମେ ଭରିବ ରାଗ।
କୃଷ୍ଣଚୂଡ଼ାର କମନୀୟ କାନ୍ତି କୋମଳ ପରଷ ବେଶ
ଗନ୍ଧ ବାସ ବିନା ମୁଗ୍ଧ କରିବ ରକ୍ତିମ ରଙ୍ଗେ ପଳାଶ।

ସୁଗମ ସଙ୍ଗୀତ ସୁଗମିତ କଣ୍ଠେ ଗାଇବ ପ୍ରକୃତି ରାଣୀ
ନବ ପଲ୍ଲବ ପ୍ଲାବିତ ଶାଖାରେ ଶୁଭିବ କୋଇଲି ବାଣୀ
ଭୁରୁଭୁରୁ ବାସ ଆମ୍ବ ବଉଳର ମନରେ ଉଚ୍ଚାଟ ଭରି
ସ୍ୱାଗତ କରିବ ଋତୁରାଜଙ୍କର ମଳୟ ପବନ ଭେରୀ।

କୁମୁଦ କୁସୁମ କୁସୁମିତ କରି ପୁଷ୍କରିଣୀ ଦେବ ଭେଟି
ଜ୍ୟୋତ୍ସ୍ନା ଜୁଆର ଜହ୍ନରାଇଜୁ ପଡ଼ିବ ଧରାରେ ଲୋଟି।
ହଳଦୀ ବସନ୍ତ ହଳଦିଆ ବେଶ ନୟନେ ସୁଖ ଭରିବ
ନିର୍ମଳ ନଭ ତପନ ତେଜରେ କିରଣ ରେଣୁ ବୁଣିବ।

ଋତୁଚକ୍ରର ରୂପ ସମ୍ଭାରେ ଅବତରି ଆସି ବସନ୍ତ
ମୁଗ୍ଧ ମନୋରମ ମଣ୍ଡିତ ଦୃଶ୍ୟେ ସଜେଇ ଦେବ ଜଗତ।

ରସୁଲଗଡ଼ , ଭୁବନେଶ୍ୱର

Leave A Reply

Your email address will not be published.