ଆମେ ଜିଉଁଥିବା ଜୀବନ ସବୁଠୁ ବଡ ଗଳ୍ପ : ରୋହିତ କୁମାର ଦାଶ

ଓଡ଼ିଆ ସାହିତ୍ୟ ଆକାଶର ଜଣେ ଉଜ୍ଜ୍ୱଳ ନକ୍ଷତ୍ର ରୋହିତ କୁମାର ଦାଶ । ତାଙ୍କ ସୃଷ୍ଟିର ଦିଗନ୍ତ ମାପି ହୁଏ ନାହିଁ । ତାଙ୍କ ରଚିତ ଗଳ୍ପର ନିଆରା ବିଷୟବସ୍ତୁ ତଥା ଆକର୍ଷଣୀୟ କଥନଶୈଳୀ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖେ ପାଠକଙ୍କୁ । ତାଙ୍କ ରଚିତ ଗଳ୍ପ ଗୁଡ଼ିକ ଆଙ୍ଗିକ ଦୃଷ୍ଟିରୁ  କ୍ଷୁଦ୍ର ଥିଲେ ହେଁ, ଆତ୍ମିକ ଦୃଷ୍ଟିରୁ  ପାଠକର ମନକୁ ଆନ୍ଦୋଳିତ କରପାରିବାର ସାମର୍ଥ୍ୟ ରଖନ୍ତି । ଅଣପାରମ୍ପରିକ ଢଙ୍ଗରେ ଜୀବନର ଜଟିଳ ସମସ୍ୟାକୁ ନିଖୁଣ ଭାବେ ସେ ଉପସ୍ଥାପନ କରିପାରନ୍ତି । ଏହାଛଡା କବିତା ରଚନା କ୍ଷେତ୍ରରେ ମଧ୍ୟ ସେ ଖୁବ ସଫଳ । ତାଙ୍କ ରଚିତ କବିତା ଗୁଡ଼ିକ ମଧ୍ୟ କାବ୍ୟିକ ଆବେଗରେ ପରିପୂର୍ଣ୍ଣ ।

କବିତା ବୋଲି ଥାଏ କି କିଛି ,ସରାଗ ରାଗ , ସ୍ୱପ୍ନର ସହର , ଅଲୌକିକ ସହର , ସାରା ଆକାଶ ଖାଲି ଖାଲି ,ରୂପାନ୍ତର , ଏକଦା ଏକ ସହର ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ସ୍ୱତନ୍ତ୍ର ସୃଷ୍ଟି ସମ୍ଭାର ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ ରୋହିତ କୁମାର ଦାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।

୧ .ଗଳ୍ପର ସଂଜ୍ଞା କଣ?

ଉତ୍ତର : ଜଣେ ସାହିତ୍ୟର ଛାତ୍ର ହିସାବରେ ଗଳ୍ପର ଅନେକ ସଂଜ୍ଞା ସଂସ୍ପର୍ଶରେ ଆସିଛି । ଏଯାବତ କୌଣସି ସଂଜ୍ଞା ମୋତେ ପ୍ରଭାବିତ କରି ପାରିନି। ଗଳ୍ପ ଲେଖିଛି ଅନେକ। କିନ୍ତୁ କେବେ ଗଳ୍ପର ସଂଜ୍ଞା ଖୋଜିବାକୁ ଚେଷ୍ଟା କରିନି। ତେଣୁ ମୋ ପାଇଁ ଗଳ୍ପର ସଂଜ୍ଞା କହିଲେ କେବଳ ଗଳ୍ପ। ଗଳ୍ପଟିଏ ସବୁଠି ଲୁଚି ରହିଥାଏ । ଏପରିକି କିଛି କବିତାରେ ମଧ୍ୟ । ଗଳ୍ପ ଜୀବନର ଏକ ଅଂଶ। ଆମେ ଜିଉଁଥିବା ଜୀବନ ତ ସବୁଠୁ ବଡ ଗଳ୍ପ । ଗଳ୍ପ କିଛି ଚରିତ୍ରଙ୍କୁ ନେଇ ଗଢି ଉଠିଥିବା ଏକ କାଳଖଣ୍ଡର କାହାଣୀ। କିଛି କଳ୍ପନା ଓ କିଛି ସତର ଏକ ମିଶାମିଶି ଚିତ୍ର।

୨ .ଲେଖାଲେଖି କେବେ ଆରମ୍ଭ କଲେ?

ଉତ୍ତର : ପିଲାଟି ଦିନରୁ ଯଦିଓ ଲେଖାଲେଖି କରୁଥିଲି, ସେଗୁଡିକ ମୁଁ ଲେଖା ବୋଲି ଜାଣିପାରୁ ନ ଥିଲି ।ସପ୍ତମ ଶ୍ରେଣୀ ପଢିବା ବେଳେ ବୋଧେ, ୧୯୭୦ ମସିହାରେ ମୋ ଜୀବନର ପ୍ରଥମ କବିତା ଲେଖିଛି। ତାପରେ ହାଇସ୍କୁଲ ଜୀବନରେ ଅନେକ କବିତା ଲେଖିଛି। କିନ୍ତୁ ସେସବୁକୁ ସାଇତି ରଖିନାହିଁ। କିନ୍ତୁ ସଚେତନ ଭାବେ  ଲେଖାଲେଖି କଲି ୧୯୭୬ ମସିହାରୁ। ୧୯୭୭ ମସିହାରେ ମୁଁ ମୋ ଜୀବନର ପ୍ରଥମ ଗପ ଲେଖିଥିଲି। ୧୯୭୭ ରୁ ୧୯୮୦ ମସିହାରେ ଲେଖିଥିବା ଗପ ସବୁକୁ ନେଇ ନିକଟରେ ମୋର ଗଳ୍ପ ସଂକଳନ ‘ରୂପାନ୍ତର’ ପ୍ରକାଶ ପାଇଛି । ସୃଜନର ଏ ଯାତ୍ରା ଖୁବ ଦୀର୍ଘ ଓ ଏଯାଏଁ ବଜାୟ ରହିଛି।

୩. ଗପ ଲେଖିଲା ବେଳେ ଅନୁଭୂତିର ଆଶ୍ରୟ ନିଅନ୍ତି କି ?

ଉତ୍ତର : ନିଶ୍ଚିତ ଭାବେ। ପ୍ରତ୍ୟକ୍ଷ ଓ ପରୋକ୍ଷ ଅନୁଭୂତି ବିନା ଗଳ୍ପ ଲେଖିବା ଅସମ୍ଭବ। ଯେମିତି ଖାଣ୍ଟି ସୁନାରେ ଗହଣା ତିଆରି ହୁଏନା, ସେମିତି ଖାଣ୍ଟି ସତକଥା କହିଦେଲେ ଗଳ୍ପ ହେଇ ଯାଏନା। କିଛି ଖାଦ ମିଶେଇବାକୁ ପଡେ। ସେଇ ଖାଦର ପରିମାଣ ଉପରେ ଗଳ୍ପର ସଫଳତା ନିର୍ଭର କରେ। ମୁଁ ଅନେକ ଅନୁଭୂତିକୁ ନେଇ ଗଳ୍ପ ଲେଖିଛି। ବେଳେ ବେଳେ ଚରିତ୍ର ମାନଙ୍କ ଆଖିରେ ଧରା ପଡି ଯିବାର ବି ଭୟ ରହିଛି। ଗଳ୍ପଟିଏ ଯେତେବେଳେ ସତ ମନେ ହୁଏ ତାହା  ସଫଳ ଗଳ୍ପ ହୁଏ ।ତେଣୁ ଅନୁଭୂତିକୁ ମୁଁ ସବୁବେଳେ ଗୁରୁତ୍ୱ ଦେଇ ଆସିଛି।

୪. ଗପ ଲେଖିଲା ବେଳେ ଆପଣ କେଉଁ ଦିଗକୁ ଅଧିକ ଧ୍ୟାନ ଦିଅନ୍ତି ?

ଉତ୍ତର : ଧ୍ୟାନ ଆଉ କେତେବେଳେ ଦେଲି। ଅନେକ ସମୟରେ ଗଳ୍ପଟିଏ ତ ଆପଣାଛାଏଁ ଲେଖିହେଇଯାଇଛି । ଜାଣି ବୁଝି ଧ୍ୟାନ ଦେଇ କେବେ ବି ଗଳ୍ପଟିଏ ଲେଖିନି। ମୋର ପ୍ରାୟତଃ ଗଳ୍ପ ପ୍ରେରଣା ପ୍ରସୂତ। ସଚେତନ ହୋଇ ଏଯାଏଁ ଗପଟିଏ ଲେଖି ପାରିନି। ଯଦିଓ ଭଲ ଗାଳ୍ପିକଟିଏ ଅନେକ ଯତ୍ନଶୀଳ ହେବା ଆବଶ୍ୟକ ଓ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମୁଁ ଭାବେ, କେବେ ନିଜ ଗଳ୍ପରେ ଏସବୁ ପ୍ରୟୋଗ କରି ପାରିନି। ଭବିଷ୍ୟତରେ ନିଶ୍ଚୟ ଅଧିକ ଯତ୍ନଶୀଳ ହେବାକୁ ଚେଷ୍ଟା କରିବି।

୫. ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?

ଉତ୍ତର : ମୁଁ ଚାହୁଁଥିବା ଭଳି ଲେଖାଟିଏ ଏଯାବତ ଲେଖି ପାରିନି। କୋଉଠି ଠାଏ ମୋର ହଜି ଯାଇଥିବା ଭାବନା ସବୁଙ୍କୁ ନେଇ କବିତାର ଧାଡ଼ିଟିଏ ଅଛି “ବୋଧେ ସେସବୁ ହେଇ ପାରିଥାନ୍ତା ମୋର ଜୀବନର ସର୍ବୋତ୍ତମ କବିତା”। ମୋ ଜୀବନର ସର୍ବଶ୍ରେଷ୍ଠ ଲେଖାଟି ଏଯାଏଁ ଲେଖି ପାରିନାହିଁ। ସେଇ ଅବଶୋଷ ନେଇ ଏଯାଏଁ ବଞ୍ଚିଛି।

୬. ଆପଣ କବିତା ଓ ଗଳ୍ପ ଉଭୟ ଲେଖନ୍ତି । ତେବେ ଆତ୍ମତୃପି କେଉଁଠି ଅଧିକ?

ଉତ୍ତର : ଗଳ୍ପରେ ନିଶ୍ଚୟ ଆତ୍ମତୃପ୍ତି ଅଧିକ। କବିତାଟିଏ ଲେଖି ସାରିଲା ପରେ ବହୁତ ଅସନ୍ତୋଷ ଲାଗେ। ଲାଗେ ଅନେକ କିଛି ଦୃଶ୍ୟକୁ ମୁଁ ରୂପ ଦେଇ ପାରିନାହିଁ। ସେଇ ଅସନ୍ତୋଷରୁ ଆଉ ଏକ କବିତା ଜନ୍ମ ନିଏ।

 

୭. ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ କେମିତି?

ଉତ୍ତର : ଓଡ଼ିଆ ସାହିତ୍ୟରେ ଗପର ପ୍ରଭାବ ଖୁବ ବେଶୀ। ଓଡ଼ିଆରେ ରେବତୀ, ଡାକମୁନସୀ,ବୁଢ଼ା ଶଙ୍ଖାରି,ଶୀକାର ଭଳି ଅନେକ କାଳଜୟୀ ଗଳ୍ପ ସୃଷ୍ଟି ହୋଇଛି । ଫକୀରମୋହନଙ୍କଠୁ  ଆରମ୍ଭ କରି ଆଜିର ନୂଆ ପୀଢ଼ିର ଗାଳ୍ପିକ  ସମସ୍ତେ ନିଜ ନିଜର ଗୁଣଗାରିମାରେ ଏ ପରମ୍ପରାକୁ ବଜାୟ ରଖିବାରେ ସକ୍ଷମ ରହିଛନ୍ତି।

୮. ଫକୀରମୋହନଙ୍କ ସମୟର ଗପ ଓ ଏବେର ଗପ ଭିତରେ କେଉଁ ସାମଞ୍ଜସ୍ୟ ରହିଛି?

ଉତ୍ତର : ଓଡ଼ିଆ ଗପ ବହୁ ପରୀକ୍ଷା ନିରୀକ୍ଷା ଦେଇ ଗତି କରିଛି। କିନ୍ତୁ ଗଳ୍ପ ତାର କାହାଣୀଧର୍ମିତା ବଜାୟ ରଖିଛି। ଫକୀରମୋହନଙ୍କ ଗଳ୍ପର କାଳଜୟୀ ଚରିତ୍ର ଭଳି ଚରିତ୍ର ସବୁ ଏବେ ବି ଓଡ଼ିଆ ଗଳ୍ପରେ ଚାଲବୁଲ କରୁଛନ୍ତି । ଯଦିଓ ସମାଜରେ ଅନେକ ପରିବର୍ତ୍ତନ ଘଟି ସାରିଛି। ଓଡ଼ିଆ ଗପରେ ମାନବିକତାର  ସ୍ପର୍ଶ ଏବେ ବି ବଜାୟ ଅଛି।

୯. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?

ଉତ୍ତର : ଲେଖକ ପାଇଁ ପାଠକର ମତାମତ ବେଶ ଗୁରୁତ୍ୱପୂର୍ଣ୍ଣ । ସେମାନେ ଲେଖକଙ୍କ ଈଶ୍ୱର । ଯଦି ସେ ମତାମତରେ ସେମିତି କିଛି ତାତ୍ପର୍ଯ୍ୟପୂର୍ଣ୍ଣ ଓ ଗ୍ରହଣଯୋଗ୍ୟ ପରାମର୍ଶ ଥାଏ ତାକୁ ସାଦରେ ଗ୍ରହଣ କରିବି।

୧୦ ଜଣେ ସଫଳ ଗାଳ୍ପିକ କେମିତି ହୋଇ ପାରିବ ?

ଉତ୍ତର : ଜାଣିଥିଲେ ତ କେବେଠୁ ମୁଁ ନିଜେ ସେ ମନ୍ତ୍ର ଆପଣେଇ ସାରିଥାନ୍ତି। ତଥାପି ଜଣେ ସଫଳ ଗାଳ୍ପିକ ତାକୁ କୁହାଯିବ ଯେ ପାଠକର ଚିନ୍ତା ଓ ଚେତନାକୁ କ୍ଷଣିକ ପାଇଁ ହେଲେ ବି ଦୋହଲାଇ ଦେଇପାରେ। ଅଧିକ ପଢିବା ଦରକାର ଓ ଅନୁଭୂତି ସମ୍ପନ୍ନ ହେବା ଦରକାର। ଭଗମାପ ବି ଜାଣିବା ଦରକାର। ପାଠକର ରୁଚି ପ୍ରତି ଧ୍ୟାନ ଦେବା ଦରକାର ।

୧୧ .ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?

ଉତ୍ତର : ବେଶ ଉଜ୍ଜ୍ୱଳ।  ଏବେ ତରୁଣ ପୀଢ଼ି ଯୋଉ ହିସାବରେ ମାଡି ଆସିଲେଣି ମୁଁ ଖୁବ ଆଶାବାଦୀ। ଏବେ ସୁଯୋଗ ବି ଖୁବ ଅଧିକ । ଆଧୁନିକ ଜ୍ଞାନକୌଶଳର ଅଧିକ ପ୍ରୟୋଗ ଆବଶ୍ୟକ।

୧୨. ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ?

ଉତ୍ତର :  ବାର୍ତ୍ତାଟିଏ ଦେବା ଭଳି ଯୋଗ୍ୟତା ହୁଏତ ମୋର ଏଯାଏ ଆସିନି। ତଥାପି କହିବି, ପଢନ୍ତୁ , ଖୁବ ପଢନ୍ତୁ। ବୟୋଜ୍ୟେଷ୍ଠଙ୍କୁ ପଢ଼ନ୍ତୁ। କନିଷ୍ଠଙ୍କୁ ମଧ୍ୟ ପଢନ୍ତୁ। ଯାହା ମନକୁ ଆସୁଛି ଲେଖନ୍ତୁ। ଲେଖି ଚାଲନ୍ତୁ, ଦ୍ଵିଧା ବା ସଂକୋଚ କରନ୍ତୁନି। ନିଜ ଲେଖାକୁ ବି ବାରମ୍ବାର ପଢନ୍ତୁ । ପରିବର୍ତ୍ତନ ବି କରନ୍ତୁ । ପ୍ରକାଶ କରିବା ପାଇଁ ତରବର ଆଦୌ ହୁଅନ୍ତୁନି। ରାତାରାତି ବଡ ଲେଖକ ହେବାର ସ୍ବପ୍ନରୁ ଦୂରେଇ ରୁହନ୍ତୁ। କିନ୍ତୁ ନିଜକୁ ବି ଅନ୍ୟ କାହାଠୁ ଛୋଟ ମନେ କରନ୍ତୁନି। ଗ୍ରହଣଶୀଳତା ବି ବହୁତ ଦରକାର । ଦୃଷ୍ଟି ଓ ଦିଗନ୍ତକୁ ଆହୁରି ପ୍ରସାରିତ କରନ୍ତୁ ।ମୋର ଏ ନୀତିବାକ୍ୟକୁ ବି ଇଚ୍ଛା ହେଲେ ଗ୍ରହଣ କରନ୍ତୁ, ନୋହିଲେ ନାହିଁ । ଆପଣ ମାନିବାକୁ ବାଧ୍ୟ ନୁହନ୍ତି ।କାରଣ ମୋ ଉପଲବ୍ଧି ମୋ ନିଜସ୍ୱ । ଆପଣଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ ହେଇ ନ ପାରେ ।