ସୁପ୍ରିୟା ପଣ୍ଡା
ଆପଣ ନ ଥିଲେ ହୁଏତ ,
ମୁଁ ଦେଖି ପାରିନଥାନ୍ତି
ଜ୍ଞାନର ଆଲୁଅ ।
ମିଞ୍ଜି ମିଞ୍ଜି ଜଳୁଥିବା
ଡିବିରିର ଧୂଆଁର ପରସ୍ତ
ଶୁଖି ପାରିନଥାନ୍ତା ବି ଲୁହ ।
କେତେ ମୋର ଅପାରଗପଣ
ଉଡ଼ିବାର ଅଳ୍ପ ଟିକେ ଆଶା
ପରାଜିତ କ୍ଷଣର ସଂଶୟ ।
କାଉଁରିଆ କାଠିର କି ବଳ
ସମ୍ମୋହନ ଆଖି ପଲକରେ
ମୋର ବି ହୋଇପାରେ ଜୟ ।
ବିଦ୍ୟା ବୁଦ୍ଧିହୀନ ପଥେ ଥିଲା ,
ଆରପଟେ ଛୋଟ ଗୋଟେ ଦ୍ୱୀପ
ଅସମ୍ଭାଳ ପ୍ରଶ୍ନର ପାଚେରୀ
ଅସଂଖ୍ୟ ଯେ ଢେଉ ମାଳ ମାଳ,
ମୁଣ୍ଡପାତି ସହିବାର ସୁଖ ।
ନିର୍ଭୟର ଆଶୀର୍ବାଦ ସହ
କିଛି ମାନସାଙ୍କ, ସରଳାର୍ଥ
ଏତେ ସହଜର ସବୁ ବାଟ ।
ନୟନର ଦୀପ୍ତିମାନ ରୂପ
ସୂର୍ଯ୍ୟସ୍ନାତା କୋମଳ ସେ ସ୍ପର୍ଶ
ଡରକୁଳା ଛୋଟ ଗୋଟେ ଛାଟ ।
ମିଶ୍ରିତ ଭାବାବେଗର ଯାତ୍ରା
କିଛି ଭୟ, ଦୁଷ୍ଟାମିର ମଜା
ଚିରଦିନ ଅପାଶୋରା ସ୍ମୃତି ।
ସମୟର ଅହରହ ଚକ୍ର
ଅର୍ହନିଶି ତ୍ୱରିତର ବେଗ
ପ୍ରଜ୍ଜ୍ୱଳିତ ଜ୍ଞାନର ସେ ବତୀ ।
ସମାପନ ସମ୍ମୁଖରେ ପୁଣି
ନୟନରେ ଆର୍ଦ୍ରତାରେ ସୁଅ
ଏତେ କ’ଣ ପ୍ରବଣତା ଥିଲା ?
ସମ୍ପର୍କ ତ ଜନ୍ମ ଜନ୍ମ ଖିଅ ।
ଏକଲବ୍ୟ ସମ ନୁହେଁ କେବେ
ଭାରାକ୍ରାନ୍ତ ସ୍ନେହର ବୋଝରେ,
ପାରିତୋଷ ନୁହଁଇ ସହଜ ।
ସାତଜନ୍ମ ଛୋଟ ହୋଇପାରେ ।
ସମର୍ଥର ସ୍ମରଣିକା ହେଉ,
ଟିକି ଟିକି କେତେ ଯେ କାଗଜ ।
ବାସ୍ତବର ନିତିଦିନ ଭେଟ
ଗୁରୁମନ୍ତ୍ରେ ସବୁ ସମାଧାନ
ବିଜୟର ଉନ୍ମୁକ୍ତ ସେ ଦ୍ୱାର
ଆଗତର ସୂତ୍ର ସମାହିତ।
Comments are closed.