ମୂଳ ରଚନା : ଖାଲିଲ ଜିବ୍ରାନ୍
ପ୍ରେମ ତୁମକୁ ଡାକିଲେ
ତୁମେ ଅନୁସରଣ କର
ଏହା ଜାଣିବି ପ୍ରେମର ପଥ
ଖୁବ କଠିନ ଓ ବନ୍ଧୁର
ତା’ର ଡେଣା ତୁମକୁ ଆଚ୍ଛାଦିତ କଲେ
ନିଜକୁ ସମର୍ପଣ କରିଦିଅ।
ଯଦିଓ ତା’ ପକ୍ଷ ଭିତରେ
ଲୁକ୍କାୟିତ ଖଣ୍ଡା ଦ୍ୱାରା
କ୍ଷତାକ୍ତ ହେବାର ଭୟ।
ସେ ତୁମକୁ କିଛି କହିଲେ, ତାକୁ ବିଶ୍ୱାସ କର
ଯଦ୍ୟପି ତାର କଣ୍ଠସ୍ୱର
ତୁମ ସ୍ବପ୍ନକୁ କରିପାରେ ଚୁର୍ଣ୍ଣ
ଯେମିତି ଉତ୍ତରା ପବନର ଉତ୍ପାତରେ
ଛିନ୍ନ ଛତ୍ର ହୋଇଯାଏ
ଏକ ସଜଡ଼ା ଉପବନ।
ପ୍ରେମ ତୁମକୁ ମୁକୁଟ ପିନ୍ଧାଇ ପାରେ
ତା’ ସହିତ ବେଳେ ବେଳେ
କ୍ରୁଶବିଦ୍ଧ ବି କରେ
ତୁମକୁ ଉତ୍ତରଣର ରାସ୍ତାରେ ନେଉ ନେଉ
କାଟି
ଟୁକୁରା ଟୁକୁରା ବି କରିଦେଇ ପାରେ ,
ପୁଣି ତୁମର ଗଭୀରତମ ମୂଳ ପର୍ଯ୍ୟନ୍ତ ଯାଇ
ମାଟିରେ ଜଡ଼ିତ ତୁମ ଚେରମାନଙ୍କୁ ଦୋହଲାଇ ଦିଏ।
ଶସ୍ୟର ଏକ ପୁଟୁଳା ପରି
ସେ ତୁମକୁ ନିଜ ପାଖକୁ ଟାଣେ।ତାପରେ ସେ ବିଡ଼ାଟିକୁ ପିଟି ବାଡ଼େଇ
ଲଙ୍ଗଳା କରିଦିଏ
ଚଷୁ ଅଲଗା ଓ ମୁକ୍ତ ହୋଇ
ତୁମେ ଧଳା ରୂପ ନିଅ
ସେ ତୁମକୁ ନରମ ହେବା ପର୍ଯ୍ୟନ୍ତ ଦଳି ଚାଲେ
ତା’ପରେ ପବିତ୍ର ଅଗ୍ନିରେ ସେକି
ଭଗବାନଙ୍କର ପବିତ୍ର ଭୋଜି ପାଇଁ
ପବିତ୍ର ରୁଟି ତିଆରି କରେ।
ପ୍ରେମ ଏସବୁ ଏଇଥି ପାଇଁ କରେ ଯେ
ତୁମେ ମନ ଓ ହୃଦୟକୁ ଚିହ୍ନି ପାରିବ
ଏବଂ ସେଇ ବିଦ୍ୟା ଓ କୌଶଳ ବଳରେ ତୁମେ
ଏଇ ଧରଣୀର ହୃଦୟର ଅଂଶ ହୋଇଯିବ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.