ଅନୁବାଦ କବିତା : ଯାହାବି କୁହ
ଅଗଷ୍ଟ ୫ ୧୯୪୪ ରେ ବାଂଲାଦେଶର ସିରାଜଗଞ୍ଜରେ ଏକ ଗ୍ରାମରେ ଜନ୍ମିତ ମହାଦେବ ସାହା ସେଠାକାର ହିନ୍ଦୁ ବାସିନ୍ଦାଙ୍କ ମଧ୍ୟରେ ବୋଧହୁଏ ବର୍ତ୍ତମାନ ସମୟର ସବୁଠୁ ବଳିଷ୍ଠ କବି। ରାଜଶାହୀ ବିଶ୍ୱବିଦ୍ୟାଳରେ ପ୍ରଥମେ ବଙ୍ଗଳା ଓ ପରେ କିଛିଦିନ ଇଂରାଜୀ ସାହିତ୍ୟର ଏହି ଛାତ୍ର କିଶୋର ବୟସରୁ କବିତା ଲେଖା ଆରମ୍ଭ କରିଥିଲେ । ସାହିତ୍ୟ ସାଧନା ପାଇଁ ମୋଟ ଏକୋଇଶଟି ପଦକ ସହ ବାଂଲା ଏକାଡେମୀ ପୁରସ୍କାର ଓ କୋଲକାତାର ବଙ୍ଗବସୁ ପୁରସ୍କାରରେ ସେ ପୁରସ୍କୃତ।
ମୂଳ ରଚନା : ମହାଦେବ ସାହା
ତୁମେ ଯାହାବି କୁହ
ମୁଁ ଆଜି ବି ଶୈଶବର ସେଇ
ନିର୍ଜନ ଛାଇ ଭିତରେ ବୁଡ଼ି ରହିଛି
ସେଇ ସକାଳ ସ୍କୁଲ, ବର୍ଷାଦିନ ଛୁଟି, ପୋଖରୀ ତୁଠ
ଆଜି ବି ମୁଁ ଧାନର ଗନ୍ଧରେ
ଭିଜାଇ ରଖିଛି ସାରା ଶରୀର
କାନ ପାତିଲେ ସବୁବେଳେ ଶୁଣିପାରେ
ଟୁପଟାପ ଶବ୍ଦ ଶିଶିରର।
ମୁଁ ଅନେକ କିଛି ଗୋଳମାଳିଆ
କରିପକାଉଥିବା ସ୍ୱାଭାବିକ
ମଝିରେ ମଝିରେ ମୋ ଆଖି ଦୁଇଟା
ଭିଜି ଉଠିବା ବି ସ୍ୱାଭାବିକ।
ମୁଁ ସପିଂମଲ, ମୋଟର ଗାଡ଼ି, କଲିଂ ବେଲ
କେମିତି ଚିହ୍ନିବି ?
ମୁଁ ଚିହ୍ନେ ହାଟ ପଡ଼ିଆ
ଧାନ ଖଳା, ଡଙ୍ଗାଘାଟ
ଶୋଇବା ଆଗରୁ ନଦୀ ସାଙ୍ଗରେ
ଥରୁଟିଏ ମୁଁ କଥାହୁଏ ଏବେ ବି
କ’ଣ ଯେ କହେ ତାକୁ,
ଆଉ କ’ଣ ଯେ ନକହେ
ମୋର ଯେତେ ଦୁଃଖ, ସୁଖ
ମୋର ଯେତେ ଭଲ ପାଇବାର ଗପ।
ମୁଁ ଆଜି ବି ଦ୍ବୀପହରରେ
ଏଇ ମନଟା ଖାଁ ଖାଁ କଲା ସମୟରେ
ବସେ ଯାଇ କେଉଁ ଏକ ବରଗଛ ତଳେ
ବରଗଛରେ ଏତେ ପବନ ଯେ ସବୁବେଳେ କୁଆଡ଼ୁ ଆସେ !
ପତ୍ରମାନେ ଗାଆନ୍ତି ଗୀତ।
ଯାହାବି କୁହ, ମୁଁ କେମିତି କରେ
ମୋବାଇଲ ଏସଏମଏସ ସବୁ ମୁଖସ୍ଥ
ମୋ ଚାରିପଟେ ଘୁରି ବୁଲନ୍ତି ଝିଣ୍ଟିକା
ଜୁଲ ଜୁଳିଆ ପୋକ ଓ କଳା ପିମ୍ପୁଡ଼ି
ଦେଖୁଛ ତ ଉତ୍ତରଳ ବର୍ଷାଦିନ
ମୋ ଦୁଇ ଆଖି ଭରି !
ମେଘ ସହିତ ଶୋଇଛି
ଯେତେ କହିଲେ ମଧ୍ୟ ମୁଁ ଆଜି ବି
ଶୈଶବର ସେଇ ଅସଂଖ୍ୟ
ଧ୍ୱନିପୁଞ୍ଜ ମଧ୍ୟରେ ବୁଡ଼ି ରହିଛି।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.