Latest Odisha News

BREAKING NEWS

ଅନୁବାଦ କବିତା : ବିବାହିତାଙ୍କୁ

ଆଧୁନିକ ବଙ୍ଗଳା କାବ୍ୟ କବିତା ଜଗତରେ ଜୟ ଗୋସ୍ୱାମୀ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ । ୧୯୫୪ ମସିହାରେ କୋଲକାତାରେ ଜନ୍ମଲାଭ କରିଥିଲେ ମଧ୍ୟ ପାଞ୍ଚବର୍ଷ ବୟସରୁ ରାଣୀଘାଟରେ ବସବାସ ଓ ସେଇଠି ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଆଠବର୍ଷ ବୟସରେ ପିତା ଏବଂ ତିରିଶ ବର୍ଷ ବୟସରେ ତାଙ୍କର ମାତାଙ୍କର ପରଲୋକ ଘଟିଥିଲା। ସେ ଆନ୍ଦନ ପୁରସ୍କାର, ପଶ୍ଚିମ ବଙ୍ଗ ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଓ ମୂର୍ତ୍ତିଦେବୀ ପୁରସ୍କାରରେ ସମ୍ମାନିତ।

ମୂଳ ରଚନା : ଜୟ ଗୋସ୍ବାମୀ

କିନ୍ତୁ କଥାଟା କଣ ଜାଣ
ତୁମେ ମୋ ସାମନାରେ ଛିଡ଼ା ହେଲେ ହିଁ
ତୁମ ଭିତରେ ମୁଁ ଏକ
ବନ୍ୟ, ଘଞ୍ଚ ବୁଦା ଦେଖିବାକୁ ପାଏ
ଆଉ ସେ ବୁଦା ଆଢୁଆଳରେ ଏକ ମୃତ ଦେହ ଘୋଡ଼ା ହୋଇ ପଡ଼ିଛି
ଏବଂ ଅନେକ ଦିନ ଧରି ଅଛି।
ମାତ୍ର ଆଶ୍ଚର୍ଯ୍ୟର କଥା
ଏଇ ମୃତଦେହ ପାଣି , ପବନ, ଖରା
ଏବଂ ସବୁ ପ୍ରକାରର କୀଟ ଓ ବିଜାଣୁଙ୍କ ପ୍ରତିରୋଧ କରି ପାରୁଛି।
ସେଇଟା ଜମା ପଚୁ ନାହିଁ।
ବଣର ଜୀବଜନ୍ତୁ ବି ତା ପାଖ ମାଡ଼ନ୍ତି ନାହିଁ।
ରାତିରେ ତା ଦେହରୁ ଏକ ଆଲୋକ ବାହାରେ ।

ମୁଁ ଜାଣେ , ମୃତ ଦେହଟା ମୋର।
କିନ୍ତୁ ବ୍ୟପାରଟା ହେଉଛି ,
ଏଇ ଲୁଚାଛପା
କଥାଟିର ସମାଧାନ ଦରକାର।
ଆଉ ସେଇଟା ହେବ ମଧ୍ୟ,
ଯେଉଁଦିନ ଚାରିଗୋଡ଼ରେ ଡିଆଁ ମାରି ମୁଁ
ଗୋଡ଼ଟାକୁ କାମୁଡ଼ି ଧରି
ଟାଣି ବାହାର କରିବି
ସେଇ ବୁଦା ଭିତରୁ।

ଅନୁବାଦ ମନୋରଞ୍ଜନ ହୋତା

Leave A Reply

Your email address will not be published.