ମୂଳ ବଙ୍ଗଳା : ରୁଦ୍ର ମୁହମ୍ମଦ ଶହି ଦୁଲ୍ଲାହ
ସେଇ ଦିନଠାରୁ ମନେ ଅଛି
କପାଳର ଡାହାଣ ପାଖରେ ଜନ୍ମଗତ କାଳିଜାଇ,
ବାଳର ବାସ୍ନାସହ ଦେବଦାରୁ ଗଛ ଦେଇ
ନଇଁ ଆସୁଥିବା ରାତି
କେତେ ବିଭୋର ହୋଇପାରେ
ଉଦାସ ଆଙ୍ଗୁଳିର ଗତି
ସେଇ ପ୍ରଥମ ଅଭିଜ୍ଞତା
ସେଇ ପ୍ରଥମ ଭ୍ରାନ୍ତି ।
ଅଥବା ଭୁଲ ନାମରେ
ବଢ଼ି ଉଠିଥିବା ସେଇ ପ୍ରେମ
ସେଇ ପରିଚୟ, ମୁଁ ତାକୁ କହେ ନିଃସଙ୍ଗତା।
ତୁମେ କ’ଣ ପକ୍ଷୀ ପରି
ସ୍ମୃତିର ସେ କୁଟାଖଣ୍ଡକୁ ଚଞ୍ଚୁରେ ଧରି
ଅନ୍ୟ କେଉଁ ପୃଥିବୀର ନୀଡ଼ର ତୃଷ୍ଣାରେ
ମନ ଗହୀରରେ ଲେଖି ରଖିଛ ସେଇ ଜ୍ଵଳନ ?
ତାହେଲେ କି ଏଇ ଶେଷର
ଆରମ୍ଭ ସେଇଠାରୁ ?
ତେବେ କଣ ସେଇ ପ୍ରେମ , ସେଇ ଅଭିଜ୍ଞତା
ଆମର ସମସ୍ତ ନିଃସଙ୍ଗତାକୁ
ଆଜିବି ସେଇ ଗୋଟିଏ ଅଧିକାରରେ
ଘେରି ରଖିଛି ?
ଆଜିବି ଏକ ଅମଳିନ ବେଦନାର ସାମ୍ପେନ୍
ବିଶ୍ୱାସରେ ଭାସିଯାଏ ….. ଭାସିଯାଏ… ଭାସିଯାଏ ।
ଦୂରତ୍ୱ ଜାଣିଛି, ଆମେ କେବଳ ଅଳ୍ପ ଦିନ ପାଇଁ
ପରସ୍ପରର ଖୁବ ବେଶି ନିକଟରେ ଥିଲୁ
ଦିନେ ତୁମେ ଶରୀରର ଗନ୍ଧ ଶୁଙ୍ଘି
କହି ଦେଉଥିଲ, ଅମିତାଭ
ଆଜି ସମୁଦ୍ରକୁ ଯାଅନାହିଁ
ଆଜି ସେଠି ଖୁବ୍ ଝଡ଼ ।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.