Latest Odisha News

BREAKING NEWS

ଅନୁବାଦ କବିତା : ଆସାଦର ସାର୍ଟ

ଶାମସୁର ରାହମାନଙ୍କର ଜନ୍ମ ବାଂଲାଦେଶର ଢାକା ସହରରେ ହୋଇଥିଲା । ଢାକା ବିଶ୍ଵ ବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପରେ ଜଣେ ସାମ୍ବାଦିକ ଓ ସମ୍ଭକାର ଭାବରେ ସେ କାର୍ଯ୍ୟ କରୁଥିଲେ। ଏକ ଉଦାରବାଦୀ, ବୁଦ୍ଧିଜୀବୀ , ଧାର୍ମିକ, ମୌଲବାଦର ବିରୋଧୀ, ମାନବବାଦର ଅଧିକାର କର୍ମୀ ଓ ଧର୍ମ ନିରପେକ୍ଷତା ତଥା ଆଇନର ଶାସନର ସମର୍ଥକ ଭାବେ ପ୍ରତିଷ୍ଠା ଲାଭ କରିବା ସଙ୍ଗେ ସଙ୍ଗେ କିଛି ଶତ୍ରୁ ମଧ୍ୟ ସୃଷ୍ଟି କରିଥିଲେ। ୬୦ ରୁ ଅଧିକ ପୁସ୍ତକର ସେ ସ୍ରଷ୍ଟା ଥିଲେ। ନିଜ ଦେଶରେ ବେସରକାରୀ ଭାବରେ ସେ ରାଜ କବି - ପଏଟ ଇଲିୟଟ ଭାବରେ ଜଣାଶୁଣା ଥିଲେ। ବାଂଲା ଏକାଡେମୀ ପୁରସ୍କାର, ଭାରତରୁ ଆନନ୍ଦ ପୁରସ୍କାର ଏବଂ ଜାପାନରୁ ମିସୁବିଶି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।

ମୂଳ ରଚନା : ଶାମସୁର ରାହମାନ

ପେନ୍ଥା ପେନ୍ଥା ରକ୍ତ କରବୀ ପରି
ଅବା ସୂର୍ଯ୍ୟାସ୍ତର ଜ୍ୱଳନ୍ତ ମେଘ ଭଳି
ପବନର ନିଳିମାରେ
ଆସାଦର ସାର୍ଟ ଉଡ଼େ ଫର ଫର।

ଭଉଣୀ ତାର କେବେ ସେଇ ସଫା ସାର୍ଟରେ
ତାରା ପରି କିଛି ବୋତାମ ହୃଦୟର ସୁନେଲି ସୁତାରେ
ସିଲେଇ କରି ଲଗାଇ ଦେଇଥିଲା
ତା’ର ବୃଦ୍ଧା ମା ପୁଣି କେବେ
ସାର୍ଟଟିକୁ ଧୋଇ
ବାହାର ଆଗଣାର ଖରାରେ
ଶୁଖାଇ ଦେଇଥିଲେ
ଅତି ସ୍ନେହରେ, ଅତି ଯତ୍ନରେ।

ଡାଲିମ୍ବ ଗଛର ଶୀତଳ ଛାଇ
ଖରାରେ ଟକମକ ମା’ଙ୍କର ଅଗଣା ପାର ହୋଇ
ଏବେ ସେ ସାର୍ଟ ପହଞ୍ଚିଛି
ସହରର ପ୍ରଧାନ ମାର୍ଗରେ
କାରଖାନାରେ ଚିମିନି ଚୂଡ଼ାରେ
ରାଜରାସ୍ତାର ବ୍ୟସ୍ତ ଗହଳିରେ
ଚାରିଆଡ଼େ ଉଡ଼ି ଚାଲିଛି ଅବିରତ
ଆମ ହୃଦୟର ରୂପେଲି ପ୍ରଭାରେ
ମଇଦାନର ପ୍ରତିଧ୍ୱନିରେ
ପ୍ରତିଟି ଶୋଭାଯାତ୍ରାରେ
ଜନତାକୁ କରୁଛି ଜାଗ୍ରତ ।
ଆମର ଦୁର୍ବଳତା, ଭୀରୁତା, ଲଜ୍ଜା ଓ କାଳିମା
ସବୁକୁ ଦେଇଛି ଢାଙ୍କି
ଏଇ ଏକ ମାନବିକ ଅସ୍ତ୍ର
ଆସାଦର ସାର୍ଟ ଆଜି
ଆମର ପ୍ରାଣର ଧ୍ଵଜା
ଆମର ଜୈତ୍ର ବାନା।

ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.