ମୂଳ ରଚନା : ରୁଦ୍ର ମୁହମ୍ମଦ ଶହିଦୁଲ୍ଲାହା
ସମସ୍ତେ ଯେଉଁ ପଥ ଦେଇ ଫେରୁଛନ୍ତି
ମୁଁ ସେଇ ରାସ୍ତା ଦେଇ ଫେରିବିନି
ପତନର କରୁଣ ସଙ୍ଗୀତ ଶୁଣି ଶୁଣି
ବରଷାରେ ଗୋଟାପଣେ ଭିଜି ଭିଜି
ମୋର ଏଇ ଭଙ୍ଗା ନୌକା
ଫେରିଯିବ ଜନ୍ମର ବିଶ୍ୱାସେ।
କଣ ନେବି ମୁଁ ସାଙ୍ଗରେ ?
ବିଳାସୀ ନଗରୀରୁ
ଉଗ୍ର ରମଣୀର ପ୍ରେମ
ମଦ, ମାଂସ, କପଟ ହସର ଓଠ
ଶୀତ ତାପ ନିୟନ୍ତ୍ରିତ ପ୍ରୀତି
ମୁଁ କ’ଣ ସବୁ ନେବି ?
ଇଟାର ନରକରୁ କଳଙ୍କି ଲଗା
ମଣିଷର ଶବ, କଳାଧନ, ଜାଲିଆତି,
ଆଲୁର ଗୋଦାମ ଏବଂ
ଏଇ ନପୁଂସକ ରାଜନୀତି !
ଆଲମୀରାରେ ବନ୍ଦୀ ରବୀନ୍ଦ୍ରନାଥ
ଡ୍ରଇଂ ରୁମରେ ଝୁଲୁଛି ଧାନଶୀଷ
ଆହା ବାଂଲାଦେଶ, ତୁମେ ବି ଝୁଲୁଛ
ହେ ମୋର ସୁନାର ବାଂଲା…
କିଛି ହିଞ୍ଜଡ଼ା ବିଦ୍ୱାନ ଓ ମୂର୍ଖ ନେତାମାନଙ୍କର
ଡିନର ଟେବୁଲରେ ଅଇଁଠା ହାଡ଼ ପରି
ହାମୁଡ଼ି ହୋଇ ପଡ଼ିଛି ମୋ ଦେଶ ।
ମୁଁ ଜାଣିଛି ଏଇ ଋଣ ମତେ ହିଁ ସୁଝିବାକୁ ପଡ଼ିବ
ଏଇ ଧ୍ୱଂସ ସ୍ତୁପକୁ କାନ୍ଧରେ ଲଦି ସହସ୍ର ମାଇଲ
ମତେ ହିଁ ଚାଲିବାକୁ ହେବ।
ଫେରିଯିବି
ଯେଉଁଟା ସମସ୍ତଙ୍କର ଫେରିବାର ପଥ
ହସ ଖୁସିରେ କଣ୍ଠରେ ଗୀତ
ଓ ପ୍ରିୟଜନଙ୍କ ସଙ୍ଗ ସହିତ
ସେ ବାଟରେ ମୁଁ କିନ୍ତୁ ଫେରି ପାରିବିନି
ସେ ରାସ୍ତା ମୋର ନୁହେଁ
ରକ୍ତ, ଝାଳ, କ୍ଳାନ୍ତିକୁ ନେଇ
ବିଧ୍ଵଂସ ସ୍ତୁପକୁ କାନ୍ଧରେ ବୋହି
ମତେ ଫେରିବାକୁ ପଡ଼ିବ।
ଟ୍ରେନର ଝରକା ବାଟେ
ଦେଖି ଦେଖି ଧାନ କ୍ଷେତ
ହେବ ନାହିଁ ମୋର ଲେଉଟାଣି
ଗାଁ, ଗାଁ, ବାଉଲ, ଭାଟିୟାଲି ଓ
ନାନାବାୟା ଗୀତ ଶୁଣି ଶୁଣି
ବୁକୁ ଭରା ପ୍ରୀତି ନେଇ
ଚୁପଚାପ ଖୁସି ମନେ
ପ୍ରେମ ଗୀତ ଗାଇ ଗାଇ
ସେମିତି ମୁଁ ପାରିବିନି ଫେରି।
ମୋର ଫେରିବା ହେବ କାନ୍ଧେ ନେଇ
ଝାଳ, ରକ୍ତ ଧ୍ୱଂସସ୍ତୁପ ବୋଝ ସମୟର
ଏକା ଏକା କ୍ଳାନ୍ତ ଇତିହାସ ସହ
ଲେଉଟିବା ଶେଷ ସୈନିକର।
ଅନୁବାଦ : ମନୋରଞ୍ଜନ ହୋତା
Comments are closed.