Latest Odisha News

BREAKING NEWS

କବିତା: ତୁମେ ଆଉ ମୁଁ

✍️ ବିମଳା ଶଂକର ଦାଶ

ତୁମେ ସପତ ରଙ୍ଗର ଫଗୁଣ
ମୁଁ ପାଗଳ ଭ୍ରମର
ତୁମେ ସକାଳ ସବୁଜ ପତର
ମୁଁ କଅଁଳ କାକର ।।

ତୁମେ ମୁକୁତା ଶାମୁକା ଗର୍ଭର
ମୁଁ ଗଭୀର ସାଗର
ତୁମେ ମୁକ୍ତ ଗଗନର ବିହଙ୍ଗ
ମୁଁ ଶୀତଳ ସମୀର ।।

ତୁମେ ନାୟିକା ରୂପ ରାଇଜର
ମୁଁ ପ୍ରେମ ସୌଦାଗର
ତୁମେ ନର୍ତ୍ତକୀ ମନ ମାନସର
ମୁଁ ଘୁଙ୍ଗୁରର ସ୍ୱର ।।

ତୁମେ କାନଭାସ୍ ର ଚିତ୍ରପଟ
ମୁଁ ତା’ର ଚିତ୍ରକର
ତୁମେ ଦେବୀ ହୃଦ ଦେଉଳର
ମୁଁ ସ୍ତାବକ ପ୍ରବର ।।

ତୁମେ ସିନ୍ଧୁ ତଟର ବତୀଘର
ମୁଁ ଦିଗହଜା ନାବ
ତୁମେ ପୁନେଇ ଜହ୍ନର କିରଣ
ମୁଁ ସାଗର ଜୁଆର ।।

ତୁମେ ପୁଣ୍ୟପ୍ରାତଃ ସ୍ୱାଗତିକା
ମୁଁ ଅତିଥି ନାଗର
ତୁମେ ସଂଜ ସଳିତାର ଶିଖା
ମୁଁ ଆଲୁଅ ତାହାର ।।

ତୁମେ ପ୍ରିୟତମା ଯୁଗ ଯୁଗର
ମୁଁ ଅଭୁଲା ପ୍ରେମିକ
ତୁମେ ସାଥୀ ଜନ୍ମ ଜନ୍ମାନ୍ତରର
ମୁଁ ସିନ୍ଦୂର ଟିକକ ।।

ଗୋଡିଆବଂଧ(ପଦ୍ମପୁର),ଜିଲ୍ଲା-ରାୟଗଡ଼ା

Leave A Reply

Your email address will not be published.