Latest Odisha News

BREAKING NEWS

ସନେଟ : ମଳୟ

ରବି ପଣ୍ଡା

ଧୀରେ ଧୀରେ ଝର୍କା ଦେଇ ଧାରେ ଧାରେ ପଶି ଆସେ ଦକ୍ଷିଣା ପବନ
ଶୀତକୁ ଆକଟ କରି ଉତ୍ତରା ପବନ ଫେରେ, ତା’ର ଅଭିସାର ସାରି
ଅଳପ କୁହୁଡ଼ି ସହ ମିଠା ମିଠା ଥଣ୍ଡା ଦିଏ ପାହାନ୍ତି ପ୍ରହର
ଝାପସା ଦିଗନ୍ତରୁ ସୂର୍ଯ୍ୟ ଉଏଁ , ଫିକା ଫିକା ଲାଲ୍ ରଙ୍ଗ ଧରି।

ଆକାଶ କ୍ରମଶଃ ସଫା, ତୋଫା ଦିଶେ, ଫେରୁଥାଏ ତା’ରଙ୍ଗ ସୁନୀଳ
ଘନ ଘୋର ଦୁଃଖର ଅନ୍ଧାରୁ ଯେମିତିକି ମୁକ୍ତି ପାଉଥାଏ
ଆକାଶ କୁ ଯେତେ ଅଦଉତି ଯେମିତିକି ଦିଏ ମହାକାଳ
ଯେପରିକି ଦୁ:ଖୀ ମଣିଷଟି ସବୁବେଳେ ପୀଡା ସହୁଥାଏ।

ବେଳେବେଳେ ଦୁଃଖ ରାତି ପାହି, ଉଭାହୁଏ ସ୍ୱର୍ଣିମ ସକାଳ
ସେମିତି ଏ ବସନ୍ତ ଆସେ, ଏ ମାଟିକୁ ସଜେଇବା ପାଇଁ
ରଙ୍ଗର ଫୁଆରା ଛୁଟେ ଫୁଲେ ଫୁଲେ, ଫୁଟିଉଠେ ଆମ୍ବର ବଉଳ
ପ୍ରେମଆଣେ ମଳୟର ବାସ୍ନାୟିତ ଛୁଆଁ, କୋଇଲିର କଣ୍ଠେ ସୁରଦେଇ।

ମଳୟତ ମତୁଆଲା ଭାରି, ହେଉପଛେ ଅଳ୍ପ ତା’ ରହଣି
କେବେ କଣ ଭୁଲି ହୁଏ, ଥରେମାତ୍ର କା’ଆଖିର ପ୍ରେମର ଚାହାଁଣୀ!!

Comments are closed.