ରବି ପଣ୍ଡା
ଶରତର ଆକାଶରେ ତୁଳାଭିଣା ପରି ଭାସେ ଖଣ୍ଡ ଖଣ୍ଡ ମେଘ
ଘରକୁ ଫେରିବା ବେଳେ ବାଟବଣା ହେଲାପରି ବୁଲେ ଏଠି ସେଠି
ବିରହର ବ୍ୟଥାରେ ବତୁରା ବାରନାରୀ କପାଳରେ ଯେମିତି ଏ ନିର୍ଘାତ ନିଦାଘ
ଏ ସେମିତି ଇତସ୍ତତଃ ଠାବ ଟିକେ ପାଏନାହିଁ, କିଏ ଅଛି ନବ ବା କେଉଁଠି ?
ନଈପଠା, ପାଟ ପ୍ରାନ୍ତର ଧାରରେ ଶ୍ୱେତ ପଟୁଆର ଧରି
ଶଙ୍ଖ ଧବଳ ପଣତ ଉଡାଇ ଝୁଲିଲାଣି କାଶତଣ୍ଡି
ଶିଶିରସ୍ନାତା ଗଙ୍ଗଶିଉଳି, ରାତି ପୁହା ଫୁଟି ତଳେ ପଡିଲାଣି ଝରି
ଧୀରେ ଧୀରେ ପୁଣି ଶୀତ ଶୀହରଣ ଆସିଲାଣି ଓର ଉଣ୍ଡି।
ହଜିଯାଇଥିବା ନିଳିମା ଫେରୁଛି ଆକାଶ ଛାତିରେ ପରା
ଉଆଁସ ଉଜେଇ ଜହ୍ନ ଉଠୁଛି ତୋଫା ତୋଫା ତାର ମୁହଁ
ସବୁଆଡ଼େ ଗୋଟେ ଶାନ୍ତ ଶୁଷମା, ମହଲଣ ଲାଗେ ଖରା
ଧୋଇଧାଇ କିଏ ସଫା କଲାପରି ଦିଶୁଛି ପ୍ରକୃତି ଦେହ।
ଏଇସବୁ ପ୍ରସ୍ତୁତିର ପ୍ରଚ୍ଛଦ ରେ ଅଛି ଯେତେ ଶାରଦ ସମ୍ଭାର
ପାର୍ବଣର ପାବନ ଲଗ୍ନ ଏ, କରୁଛନ୍ତି ମହାମାୟା ଧରାବତରଣ।