Latest Odisha News

ଗଳ୍ପ : ନୀଳ ବର୍ଣ୍ଣ ଶୃଗାଳ

ଜ୍ଞାନ ରଞ୍ଜନ କର 

ମଧ୍ୟ ରାତ୍ରିରେ ଫୁଲୁଥିବା ନଦୀର ଛାତିରେ ରାତ୍ରିର ଶୋଷ ମେଣ୍ଟାଇବାକୁ ଶୃଗାଳଟିଏ ନଦୀକୁ ମନଭରି ଶୋଷିବାର ଚେଷ୍ଟାରେ। ହେଲେ ନଦୀର ପ୍ରଖର ସ୍ରୋତ ହଠାତ୍ ତାକୁ ନଦୀର କୂଳେ କୂଳେ ଭସେଇ ନେଇ ଅନ୍ୟ ଏକ ଜଙ୍ଗଲରେ ଛାଡି ସାରିଥାଏ। ଆକାଶର ଧିମା ଚନ୍ଦ୍ରାଲୋକ ଘଞ୍ଚ ଅରଣ୍ୟର ଗଭୀରତାର ଉପକ୍ରମ ଧୀରେ ଧୀରେ ଦେଇ ସାରିଥାଏ ଶୃଗାଳକୁ। ତଥାପି ନୂଆ ସ୍ଥାନ, ସେ ବି ବାସସ୍ଥାନଠୁ ଦୂରରେ.. ଟିକେ ଜାଣିବାକୁ ଚିନ୍ହିବାକୁ ଶୃଗାଳଟି କରିଥାଏ ପୂର୍ଣ୍ଣ ରାତ୍ରିର ଅପେକ୍ଷା।।

ଶୃଗାଳ…. ଏ ନୀଳ-ବର୍ଣ୍ଣ ଶୃଗାଳ। ଯାହାର ନୀଳ ବର୍ଣ୍ଣରେ ଆକୃଷ୍ଟ ହୋଇ ତା’ର ପୂର୍ବ ଜଙ୍ଗଲ ତାକୁ ରାଜା ରୂପେ ସମ୍ମାନ ଦେଇଥିଲା। ବେଳେ ବେଳେ ଭଗବାନ କିଛି ପ୍ରତିଭା ସମ୍ପନ୍ନ ଜୀବ ବିଶେଷଙ୍କୁ ଏମିତି ଭିନ୍ନ କରି ଗଢ଼ିଥାନ୍ତି। ଠିକ୍ ସେହିପରି ଏହି ଶୃଗାଳଟି ଥିଲା ବିଚାରବନ୍ତ ଏବଂ ଜଙ୍ଗଲର ସନ୍ତୁଳନ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ପାଇଁ ତାର ଥିଲା ଅତୁଳନୀୟ ଅବଦାନ। ଯଦିଓ ତାର ବର୍ଣ୍ଣ ପାଇଁ ତାକୁ ସେ ସୁଯୋଗ ମିଳିବା ସହଜ ହୋଇଥିଲା, ତଥାପି ସୁଯୋଗର ସମ୍ପୂର୍ଣ୍ଣ ସଦୁପଯୋଗ ଯୋଗୁଁ ସେ ତାର ଜଙ୍ଗଲରେ ପାଲଟିଥିଲା ସମସ୍ତଙ୍କ ସମ୍ମାନର ପାତ୍ର। ସିଂହଟିଏ ମଧ୍ୟ ତାର ଅନୁଗାମୀ ଥିଲା, ହରିଣ ପ୍ରତି ତାର ଅନୁକମ୍ପା ବି ଥିଲା। ତା ଆଖିଟି ଥିଲା ସମ୍ପୂର୍ଣ୍ଣ କଳା। ଯେତେବେଳେ ନୀଳ ବର୍ଣ୍ଣ ଦେହରେ କଳା ମଚ ମଚ ଆଖି ଦୁଇଟିରେ ସେ ଅନେଇ ଦିଏ ସେତେବେଳେ ପୁରା ଜଙ୍ଗଲଟା ହେଇଯାଏ ମନ୍ତ୍ରମୁଗ୍ଧ, ତା ପାଟିରୁ କଥା ଶୁଣିବାକୁ ଯେମିତି ସମସ୍ତେ ହେଇ ଉଠନ୍ତି ଆତୁର।।

ଆଜି କିନ୍ତୁ ଜଙ୍ଗଲ ଭିନ୍ନ, ପାଣିର ସ୍ରୋତ ସହ ନିଅତିର ଗତିପଥ ବି ଭିନ୍ନ। ସୂର୍ଯ୍ୟର କିରଣ ଧୀରେ ଧୀରେ ଜଙ୍ଗଲର ଘଞ୍ଚତାକୁ ଭେଦିବାକୁ ଲାଗିଲାଣି। ଏବଂ ତତ୍ ସହ ଶୃଗାଳର ନୀଳ ବର୍ଣ୍ଣର ଔଜଲ୍ୟତା ଧୀରେ ଧୀରେ ପ୍ରକାଶିତ ହେବାକୁ ଲାଗିଲାଣି। ଶୃଗାଳ ମନରେ ଏକ ସାହସ.. ହୁଏତ ପୂର୍ବ ଜଙ୍ଗଲ ପରି ସେ ନିଜର ଭିନ୍ନ ବର୍ଣ୍ଣ ଯୋଗୁଁ ଏଠି ମଧ୍ୟ ପାଲଟିବ ସମସ୍ତଙ୍କ ସମ୍ମାନର ପାତ୍ର। ହେଲେ ଏ କଣ୍!! ଯେଉଁ ଜୀବ-ଜନ୍ତୁଟାଏ ଶୃଗାଳକୁ ଦେଖୁଥାଏ ତାତ୍ସଲ୍ୟର ହସ ହସିଦେଇ ଚାଲି ଯାଉଥାଏ। କେହି କେହି ଘୃଣ୍ୟ ଦୃଷ୍ଟିରେ ଦେଖିବା ବି ଆରମ୍ଭ କରୁଥାନ୍ତି। ଆଉ କେହି କେହି ଘଉଡେଇବାର ପ୍ରୟାସ ବି କରୁଥାଏ। ନୀଳ ବର୍ଣ୍ଣ ଶୃଗାଳଟି ବୁଝିପାରୁ ନଥାଏ ଏଭଳି ବ୍ୟବହାରର କି କାରଣ ଥାଇପାରେ। ତଥାପି!! ନୂଆ ଜାଗା ସହ ନିଜ ଜୀବନ ରକ୍ଷା ପାଇଁ ଚଳାଇଥାଏ ଉଦ୍ୟମ।।

କଥା କଣ୍ କି, ଏଇ କିଛି ଦିନ ତଳେ ଜଙ୍ଗଲର ମନ୍ତ୍ରୀ, ଭାଲୁ, ଶୁଣେଇଥାଏ ଜଙ୍ଗଲରେ ଏକ କାହାଣୀ। “ନୀଳ ବର୍ଣ୍ଣ ଶୃଗାଳ”ର କାହାଣୀ। ସେଇ ପୁରୁଣା କାହାଣୀ ଯେଉଁଠି ସାମାନ୍ୟ ବିଲୁଆଟାଏର ଦେହରେ ନୀଳ ରଙ୍ଗ ପଡି କିପରି ସେ ରାଜା ହେଲା, ଓ ସାମାନ୍ୟ ବର୍ଷାରେ ତା ଦେହରୁ ରଙ୍ଗ ଛାଡି ଗଲା ପରେ ତାକୁ କେମିତି ସମସ୍ତେ ଅସ୍ବୀକାର କଲେ ଏବଂ ବାକି କାହାଣୀ ଆପଣଙ୍କୁ ଜଣା। ଏ କାହାଣୀଟି ସମ୍ପୂର୍ଣ୍ଣ ମନେ ଅଛି ଏଇ ନୂତନ ଜଙ୍ଗଲର ସବୁ ଜୀବଜନ୍ତୁଙ୍କର ଏବଂ ଏଥିରୁ ସମସ୍ତଙ୍କ ମଧ୍ୟରେ ତିଆରି ହେଇଛି ଏକ ପରସେପ୍ସନ । ସମସ୍ତେ ଶୃଗାଳଟିକୁ ଦେଖି ସେଇ ତଥାକଥିତ କାହାଣୀର ଶୃଗାଳ ସହ ମନେ ମନେ ସାମଞ୍ଜସ୍ୟ ଖୋଜି ସାରିଥାନ୍ତି, ଏବଂ ସେଇ ମାସ ପରସେପ୍ସନର ଶିକାର ହେଇ ଶୃଗାଳର ନୀଳ ବର୍ଣ୍ଣ ପାଲଟି ସାରିଥାଏ ଛଳନାର ଏକ ରଙ୍ଗ।

କିଛି ସମୟ ପରେ ନୂଆ ଜଙ୍ଗଲର ନୂଆ ରାଜା, ସିଂହ, ପାଖରେ ପହଞ୍ଚି ସାରିଥାଏ ନୂଆ ଶୃଗାଳର ଆଗମନର ଖବର। ଭାଲୁ ମଧ୍ୟ ନୀଳ ବର୍ଣ୍ଣ ଶୃଗାଳ ଆସିବା ନେଇ ଅବଗତ ଥାଏ। ତିନି ଚାରୋଟି ଜଙ୍ଗଲି କୁକୁର ନୀଳ ବର୍ଣ୍ଣ ଶୃଗାଳକୁ ଘଉଡେଇ ନେଲେ ରାଜାଙ୍କ ଦରବାରକୁ। ରାଜା ନିରିଖେଇ ଦେଖି ହସି ହସି ଆଉ ରହିପାରିଲେନି। ଭାଲୁ ମଧ୍ୟ କହିଥିବା କାହାଣୀ ସହ ଏଇ ଶୃଗାଳର ସାମଞ୍ଜସ୍ୟ ଦେଖି ଏହା ନିଶ୍ଚିତ ଶୃଗାଳର ରାଜାଙ୍କ ଗାଦି ଛଡ଼େଇବାର ଷଡ଼ଯନ୍ତ୍ର ବୋଲି ରାଜାଙ୍କ ସଭାରେ କହି ସାରିଥିଲା। ରାଜା ପ୍ରଜାଙ୍କୁ ପଚାରିଲେ ଏଇ ଛଳନା ଆଉ ରାଜାଙ୍କ ଗାଦିକୁ ଛଡେଇ ନେବାର ଷଡଯନ୍ତ୍ର ପାଇଁ କେଉଁ ଦଣ୍ଡ ମିଳିବା ଉଚିତ। ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ “ମୃତ୍ୟୁ ଦଣ୍ଡ”। ସଙ୍ଗେ ସଙ୍ଗେ କୌଣସି ପ୍ରତିବାଦ ପୂର୍ବରୁ ରାଜା ତାଙ୍କ ଆସନରୁ ଡେଇଁ ଆସି ବେକରେ ଦାନ୍ତ ଲଗେଇ ହତ୍ୟା କରିସାରିଥିଲେ ଶୃଗାଳର। ବିଚରା! ନୀଳ ବର୍ଣ୍ଣ ଶୃଗାଳ…..

କିଛି ସମୟ ପରେ ଆସ୍ତେ ଆସ୍ତେ ପ୍ରାୟ ସମସ୍ତେ ସେଇ ସଭା ଛାଡି ସାରିଥାନ୍ତି। କେବଳ ମାଙ୍କଡ଼ଟାଏ ବସିଥାଏ ଡାଳରେ। ଜୋ’ରେ ବର୍ଷା ହେବାକୁ ଲାଗିଥାଏ। ମାଙ୍କଡ଼ଟି ଅନେଇ ଥାଏ ଶୃଗାଳ ଦେହକୁ ଆଉ ଭାବୁଥାଏ, “ଯଦି ଏଇ ରଙ୍ଗ କୁତ୍ରିମ, ତେବେ ଏତେ ବର୍ଷାରେ ଏ ରଙ୍ଗ ଧୋଉନି କେମିତି!!”

ହାଣ୍ଡିଭଙ୍ଗା, ଅସୁରେଶ୍ୱର, କଟକ
ମୋ-୭୯୭୮୩୭୨୫୬୬

Comments are closed.