ରଶ୍ମିତା ଦାସ
ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ । ପରିବାରର ସମସ୍ତ ସଦସ୍ୟ ମାନଙ୍କ ସହ ମାଉସୀ ପିଉସୀ, ମାମୁଁ ମାଇଁ, ଭାଇ ଭଉଣୀମାନଙ୍କୁ ଦେଖି ସେ ବହୁତ ଖୁସି ହେଇଯାଇଥିଲା । ଏଇ ଦୁଇମାସ ଭିତରେ ନିଜରମାନଙ୍କୁ ସେ କେତେ ମିସ୍ କରୁଥିଲା ଯେ କହିଲେ ନସରେ । ସତେ ଯେମିତି କୋଉ ଏକ ଦୂର ରାଇଜକୁ ପଠେଇ ଦିଆ ଯାଇଥିଲା ତାକୁ, ଯୋଉଠି ସବୁ ମୁହଁ ଅଜଣା ଓ ଅଚିହ୍ନl….. ସେଇ ଅଜଣାମାନଙ୍କ ସହ ସବୁକିଛି ଅଡ଼ୁଆ ଅଡ଼ୁଆ ଲାଗୁଥିଲା ତାକୁ ସେଥିପାଇଁ ବୋଧେ ଘରେ ଆସି ଖୁସିରେ ନାଚି ଉଠୁଛି ତା ମନ । ଆଜି ବହୁତ ଖୁସି ସେ । ଖୁସିରେ ଦୁଇଧାର ଅଶ୍ରୁ ବହି ପଡିଲା ତା ଆଖିରୁ । ବାହାଘର ପୁର୍ବରୁ ଝିଅଟିଏ ମନରେ କେତେ ସ୍ବପ୍ନ ସାଉଁଟି ଥାଏ । ରୀନା ସେଥିରୁ ବାଦ ଯିବ କିପରି ।
ବାପା ଘରେ ରୀନା କେତେ ଅଲିଅଳରେ ବଢିଥିଲା । ପୂର୍ଣ୍ଣ ସ୍ୱାଧୀନତା ,ଯେତେବେଳେ ଯାହା ଖୋଜଥିଲା ମିଳି ଯାଉଥିଲା ।ବାପା ଓ କାକାମାନଙ୍କର ଗଳାର ମାଳି ଥିଲା ସେ । ଖୁଡିମାନେ ହାତରେ ପାଣି ଲଗେଇ ଦେଉ ନଥିଲେ । ଘରର ବଢ ଝିଅ ବୋଲି ତାର ଭାରି ଆଦର । ପାଠ ପଢ଼ାଯାଏଁ । ହାତରେ ଛାଞ୍ଚୁଣି ଟିଏବି ଧରି ନଥିଲା ସେ ।ଏଇ ଦୁଇବର୍ଷ ଭିତରେ ବୋଉ କିଛି କାମ ଶିଖେଇଛନ୍ତି । ନହେଲେ ଶାଶୂ ଘରେ ଯାଇ କଣ କରିବ ସେଇ ଚିନ୍ତାରେ ।
ରୀନାର ଘର ସଜେଇବା ଓ ରୋଷେଇରେ ଭାରି ଖୁସି । ବାକି କାମସବୁ ଭାରି କଷ୍ଟ ଦିଏ । ଏମିତି ମନେହୁଏ ଗୋଟିଏ ଚାକରାଣୀ ସାଙ୍ଗରେ ଥାଆନ୍ତା କି….,ଚଟାପଟ ସବୁ କରିଦିଅନ୍ତା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ସେଠି ସେ ସୁବିଧା ନାହିଁ । ଶାଶୂ ବହୁତ ନିୟମ ନିଷ୍ଠା ଭଲ ପାଆନ୍ତି । ଶଶୁର ସମୟର ବହୁତ ପକ୍କା । ସକାଳ ଚା ଜଳଖିଆଠାରୁ ରାତ୍ରୀ ଭୋଜନଯାଏ ସବୁ ଠିକ ସମୟରେ ଦରକାର । ଅବଶ୍ୟ ଶାଶୂ କାମରେ ରିନାକୁ ସାହାଯ୍ୟ କରନ୍ତି । ନଣନ୍ଦ ଭାରି ନାକଟେକି,ସବୁ ଜିନିଷରେ ସଫା ସୁତରାଂ ପ୍ରତି ଭାରି ନଜର । ଦିଅର ଟିକେ ଖାଇବା ଲୋଭୀ । ସବୁବେଳେ ଭଲ ମନ୍ଦ ଦରକାର । ବୋଉ ନପାରିଲେ କେମିତି ସେମିତି ଚଳେଇ ନେଉଥିଲେ ଏବେତ ଭାଉଜ ଆସିଲେଣି । ଆଉ ବାକି ରହିଲେ ରୀନା ର ସ୍ୱାମୀ,ସେତ ଜଣେ ଅଦ୍ଭୁତ ଲୋକ । ଯେତେକି ହିସାବି ସେତିକି ବ୍ୟସ୍ତ କେବେଥରେ ବାହାରକୁ ଜୀବାକଥା କହିଲେ ଭାରି ମଙ୍ଗ ମୋଡ଼ନ୍ତି ।ସେଥିରେ ପୁଣି ବୋଉକୁ ପଚାର , ତାର ଅନୁମତି ବିନା ଅସମ୍ଭବ ।
“ମାତୃ କୈନ୍ଦ୍ରିକ ପାରିବାର ସର୍ବଦା ରକ୍ଷଣ ଶୀଳ” । ନୀତି ନିୟମରେ ଚାଲିଲେ ସର୍ବଦା ଘରର ଉନ୍ନତି ହୁଏ ବୋଲି ବୋଉଙ୍କ କହିବା କଥା । ସେ ସବୁ ଉପରେ ଖୁବ ଜୋର୍ ଦିଅନ୍ତି ସେ, ବଦଖର୍ଚ୍ଚ ଦେଖିଲେ ଭାରି ଚିଡ଼ନ୍ତି । ପୁଅ,ଝିଅ,ବୋହୁ ହୁଅନ୍ତୁ କି ସ୍ୱାମୀ ଏକ ନିୟମରେ ବାନ୍ଧି ରଖିବାରେ ସେ ଦକ୍ଷତା ହାସଲ କରିସାରିଛନ୍ତି ସତେ ଯେପରି ! ଏମିତି ନୁହଁ କି କାହାର ଇଚ୍ଛାକୁ ସେ ନଜର ଦିଅନ୍ତିନି ,ବାପାଙ୍କର ଦିନରେ ଚାରି ଥର ଚାହା ପିଇବା ଅଭ୍ୟାସକୁ ସେ ଠିକରେ ତୁଲାନ୍ତି । ଅଳ୍ପ ଦିନ ଆଗରୁ ଥିବା ଦିଅର ପ୍ରଭାତଙ୍କ ଜନ୍ମଦିନ ଘରେ ନିଜ ହାତରେ ଧୂମ ଧାମରେ ମନେଇଥିଲେ । ଯଦିଓ ପ୍ରଭାତଙ୍କ ଇଛାଥିଲା ସାଙ୍ଗମାନଙ୍କ ସହ ହୋଟେଲରେ ମନେଇବା ପାଇଁ । ଆମ ବାହଘରର ମାସେ ପୁରିବା ଦିନ ବୋଉ ଗୋଟେ ସୁନ୍ଦର କେଣ୍ଡେଲ ଲାଇଟ ଡିନରର ବ୍ୟବସ୍ଥା କରିଥିଲେ । ନିଜ ପିଲାଙ୍କ ସୁଖ ସୁବିଧାରେ ତାଙ୍କର ତୀକ୍ଷ୍ଣ ଦୃଷ୍ଟି ଥିଲା କିନ୍ତୁ ନିଜ ହିସାବରେ । ଆଜି କାଲିକା ପିଲା ତ ଦୁନିଆ ଦେଖି ଇଛାଶକ୍ତି ବଢିବା ସ୍ୱାଭାବିକ ହେଲେ ମଧ୍ୟ ସେ ସବୁ ବୋଉଙ୍କ ନୀତି ବାହାରେ ।
ଦୁଇଟି ମାସର ଶାଶୂ ଘରର ଅନୁଭବ ରୀନାକୁ ଭୟଭୀତ କରିଛି । ଭବିଷ୍ୟତ ଜୀବନର ଅଜଣା ଡର ସତରେ ଖାଇ ଯାଉଥିଲା ଯେପରି । ଆମର ବି ମାତୃ କୈନ୍ଦ୍ରିକ ପରିବାର । ବୋଉ ଘରର ସବୁ କଥା ବୁଝନ୍ତି । ବାପା ବୋଉଙ୍କୁ ନଜଣେଇ ଲୁଚିକରି ଆମ ଖୁସି ପାଇଁ କରିଦିଅନ୍ତି ବୋଉ ଜାଣିଲେବି ଏତେ ରିଆକଟ କରେନି । ସେଠିକା କଥା କିନ୍ତୁ ଅଲଗା । ସତରେ ଯମ ପୁର ତ ଆଉ !
ରୀନା ଘରେ ପହଞ୍ଚିବା କ୍ଷଣି ସମସ୍ତଙ୍କ ମୁଖରେ ଖୁସିର ଜୁଆର ଲାଗିରହିଥିଲା । ସେଇ ଭିତରେ ସାନଖୁଡ଼ୀ କହିଲେ । ଚାଲ ରୀନା,,, ତୁମ ରୁମରେ ଯାଇ ଲୋଗା ବଦଳେଇ ଧୋଆ ଧୋଇ ହୁଅ ।ଏହା କହି ସାନ ଖୁଡି ରିନାକୁ ଉପରେ ଥିବା ତାର ପୂର୍ବ ବ୍ୟବହୃତ ରୁମକୁ ନେଇଗଲେ । ସାଥିରେ ଅନ୍ୟ ସ୍ତ୍ରୀ ଲୋକ ମାନେ ବି ଗଲେ । ସମସ୍ତଙ୍କ ମନରେ ଉତ୍ସାହ ରୀନାର ଶାଶୂଘର ବିଷୟରେ ଜାଣିବେ ।
ସମସ୍ତେ ଜଣେ ପରେ ଜଣେ ପ୍ରଶ୍ନ ପଚାରି ଚାଲିଲେ ତାକୁ ।
ପ୍ରଥମେ ରିନାର ମାଉସୀ ପଚାରିଲେ “କହ… ଶାଶୂ ଘରେ ସବୁ କେମିତି ସବୁ,ମୁହଁ ଦେଖାଇରେ କିଏ କଣ ଦେଲେ” ????
ବଡ଼ ଖୁଡି ପଚାରିଲେ ….”ଘରେ ସମସ୍ତେ ଭଲ ପାଆନ୍ତି ତ ତୁମକୁ ???
ତାପରେ ପରେ ଅନ୍ୟ ସମସ୍ତେ “ଜଣେ ପରେ ଜଣେ ପଚାରି ଚାଲିଲେ ….” ତୁ ସେଠି ଖୁସି ଅଛୁ କି ନାହଁ” ?
“ବାପାଘର ପରି ସ୍ୱାଧୀନତା ଅଛି ତ ସେଠି” ?
“ଆମ ଜ୍ୱାଇଁ ବାବୁ ତୋ ଇଛାର ଖବର ରଖନ୍ତିକି ନାହିଁ ?”
ଏମିତି ପ୍ରଶ୍ନ ଉପରେ ପ୍ରଶ୍ନ !!!
ରୀନାର ମୁହଁରୁ କିଛି ନ ବାହାରୁଣୁ ସାନ ଖୁଡି କହିଲେ ….”ମୁଁ ଜାଣିଛି ପରା ସେଠି ତୁମକୁ ଟିକେ କଷ୍ଟ ହେଉଥିବ । ମାଉସୀ ପିଉସୀ ଏକା ସାଙ୍ଗରେ କହି ଉଠିଲେ…. ନୁହେଁ ତ କ’ଣ ?ମୁଁ ସେ ମାନଙ୍କୁ ଦେଖିବାକୁ ଆସିବା ବେଳେ ଜାଣି ଯାଇଥିଲି ।ଗୁପଚୁପ ରହିବା ଲୋକଙ୍କ ମନ ଜମାରୁ କୋମଳ ନୁହଁ ” ଯିଏ ଉପରୁ ଶାନ୍ତ ଦିଶନ୍ତି ତାଙ୍କ ଭିତରଟା ଭାରି କଠୋର !
” ତୁ କାହାରି କଥାକୁ କାନ ଦେବୁନି ମ… ଏ କାନରେ ଶୁଣିଲେ ସେ କାନରେ ବାହାର କରି ନିଜ କାମ କରିଯିବୁ” ।
ରୀନାର ମାଇଁ ଆଉ ଚୁପ ରହିବେ କାହିଁକି ?….କହିଲେ ଏମତି ଯଦି ବହୁତ କଷ୍ଟ ହେଉଛି ମୋ ଝିଅ ଟୁନି ପରି ଜ୍ୱାଇଁଙ୍କୁ ବୁଝେଇ ସହରରେ ଯାଇ ରହ । ଆଜିକାଲି ଏତେ କଷ୍ଟ କିଏ ସହୁଛି ??
ରୀନାର ବୋଉ ସବୁ ଶୁଣୁଥିଲେ ଦୂରରୁ ଲୁଚି ଲୁଚି ।ପାଖକୁ ଆସି କହିଲେ “ଆରେ ତୁମେ ସବୁ ରିନାକୁ ଉତ୍ତର ଦେବାକୁ ଦିଅ ଖାଲି ପଚାରି ଚାଲିଛ ଯେ ?
ଏଥର ରୀନା କହିଲା ତୁମେ ମାନେ ମୋ ପାଇଁ ଜମାରୁ କେହି ବ୍ୟସ୍ତ ହୁଅନି । ଶାଶୂ ଘରେ କଷ୍ଟ ନିଶ୍ଚିତ ।ସେଠି ସବୁକିଛି ନିୟମରେ ଚାଲେ । ମୋ ଇଛା ଅନିଚ୍ଛାକୁ କେହି ଦେଖନ୍ତିନି । ବାପା ଘରର ସୁଖ ସେଠି ନାହିଁ । ନଣନ୍ଦ ଦିଅରଙ୍କ ଅଝଟ ବହୁତ ଉଠେଇବାକୁ ପଡେ । ଶାଶୁଙ୍କ କଥା ଶିରୋଧାର୍ଯ୍ୟ ।ସ୍ୱାମୀ ନିଜ ଇଛାରେ କିଛି କରନ୍ତିନି ସବୁ କଥାରେ ବୋଉଙ୍କ ମତାମତ ନେବାକୁ ପଡେ । ଶଶୁର ସମୟାନୁବର୍ତ୍ତିତା ସହ କାମ କରନ୍ତି । ଯାହାପାଇଁ ମୋତେ ଟିକେ କଷ୍ଟ ଅନୁଭୂତ ହୁଏ । ମୁଁ ଜାଣେନା ମୋତେ ସେଠି କିଏ ପ୍ରକୃତରେ ଭଲ ପାଆନ୍ତି କି ନାହିଁ ? ଥରେ ଥରେ ଏ କଥା ଭାବି ଆଖିରୁ ପାଣି ନିଗିଡି ପଡେ । ତଥାପି ସେଇଟା ମୋ ନିଜ ଘର । ସମସ୍ତଙ୍କୁ ନିଜର କରିବାକୁ ଯଥେଷ୍ଟ ଚେଷ୍ଟା କରିବି ।
ସେ ଘରକୁ ନିଜର କରି ସମସ୍ତଙ୍କ ମନରେ ମୋ ପ୍ରତି ସ୍ନେହ ଓ ଭଲପାଇବା ଜାଗ୍ରତ କରି ପାରିଲେ ଯାଇ ମୁଁ ନିଜକୁ ଏକ ଯୋଗ୍ୟା ବୋହୁ ବୋଲି ସାବ୍ୟସ୍ତ କରି ପାରିବି । ସେଠି ମୋତେ କେହି ଭଲ ପାଉ କି ନପାଉ ମୁଁ କିନ୍ତୁ ମୋ କର୍ତ୍ତବ୍ୟ ଭଲରେ ତୁଲେଇବା ପାଇଁ ଯଥେଷ୍ଟ ଚେଷ୍ଟା କରିବି । ଏକଥା ମୁଁ ମୋ ନିଜ ପରିବାରରୁ ଶିଖିଛି । ତୁମେମାନେ କେହି ମୋଟେରୁ ଚିନ୍ତା କରନି ଓ ମୋତେ ସ୍ନେହରେ ପଙ୍ଗୁ କରି ଦିଅନି । ପରିସ୍ଥିତି ସହ ଲଢ଼ିବାରେ ଶକ୍ତି ଦିଅ ରୀନାର ବୋଉଙ୍କ ଆଖିରୁ ଲୁହ ଝରିପଡ଼ିଲା…. ସମସ୍ତେ ବୋଉଙ୍କୁ ଚାହିଁ କହି ଉଠିଲେ ….”ଧନ୍ୟ ନାରୀ ତୁମେ ମହାନ, ତୁମ ସଂସ୍କାରକୁ କୋଟି ଜୁହାର । ”
ହାଇଦ୍ରାବାଦ
Comments are closed.