ସଚ୍ଚିଦାନନ୍ଦ କର
ନାଲି ଫ୍ରକ ! ଏକ ନମ୍ବର ମାର୍କେଟ ଫୁଟପାଥ୍ କଡର ଗୋଟେ ଉଠା ଦୋକାନର ହ୍ୟାଙ୍ଗରରେ ସେଇଟି ଝୁଲୁଥିଲା।ତାକୁ ଦେଖୁ ଦେଖୁ ମୋର ପାଦ ଦୁଇଟି ସେଇଠି ଅଟକିଗଲା।
– ” ବାପା ! ମୋ ପାଇଁ ଗୋଟେ ନାଲି ଫ୍ରକ ଆଣି ଦବ। ”
ମନେପଡିଲା ମୋ ଛଅ ବର୍ଷର ଝିଅର ଏ କଥା।
ପ୍ରାୟ ଅଧିକାଂଶ ବାପାଙ୍କୁ ସେପରି ଫ୍ରକ ପସନ୍ଦ ଆସିପାରେ।ଝିଅ ଯଦି ଗୋରା ହୋଇଥାଏ, ତେବେ ତ ଆହୁରି।ମୋ ଝିଅ ତୋଫା ଗୋରା ରଙ୍ଗର ଝିଅ।ତେଣୁ ଅଟକିଗଲି ମୁଁ।
ଧୀର ପବନରେ ଝୁଲୁଥିଲା ତ ହଲୁଥିଲା ଫ୍ରକ।ମୋ ଆଖି ଦୁଇଟି ଲାଖି ରହିଥିଲା ସେଇଠି।
ମୋ ମନିପର୍ସରେ କେତେ ଟଙ୍କା ଥିଲା କେଜାଣି !
ମୁଁ ପର୍ସ ବାହାର କଲି।
ସ୍ବପ୍ନକୁ ହାତରେ ଧରାଇ ଦେବାର ପ୍ରତିଶ୍ରୁତି ଦେଇଥିବା କିଛି ଲୋକଙ୍କ ଫୋନ୍ ନମ୍ବର ଓ ଠିକଣାରେ ମୋ ମନିପର୍ସ ଭର୍ତ୍ତି ହୋଇ ରହିଥାଏ ସବୁବେଳେ।ଟଙ୍କା ସବୁ ଶୀତରେ ଚୁଲିମୁଣ୍ଡରେ ଜାକିଜୁକି ହୋଇ ଶୋଇଥିବା କୁକୁର ପରି ଥାଆନ୍ତି।
କମ୍ପାନୀ ଚାକିରୀ।ଦରମା ମିଳୁ ମିଳୁ ଦଶ ତାରିଖ, ବେଳେବେଳେ ପନ୍ଦର ବି ହୁଏ।ମୋ ଅସହାୟତା ଏକ ତାରିଖରୁ ବିକ୍ରି ହୋଇ ସାରିଥାଏ।
କେହି ଯେପରି ଦେଖି ନ ପାରିବ ଲୁଚେଇ ଲୁଚେଇ ମୁଁ ପର୍ସ ଅଣ୍ଡାଳିଲି।ପର୍ସରେ ଅଟୋ ଭଡାକୁ ବାଦ୍ ଦେଲେ ଅଳ୍ପ କିଛି ଅଧିକ ଥିବା ଦେଖିଲି।ହେଲେ ସେଥିରେ ଯେ ଫ୍ରକ୍ ଖଣ୍ଡିକ କିଣି ହେବ,ଏ ବିଶ୍ୱାସ ମୋର ଆସିଲା ନାହିଁ।
ଜୁଆର କୂଳକୁ ତା’ର ଜିନିଷ ଫେରାଇ ଦେଲା ଭଳି ମୁଁ ମୋର ପକେଟକୁ ମନିପର୍ସ ଫେରାଇଦେଲି।
ଫ୍ରକଟିର ଦାମ୍ କେତେ ହେବ ! ପଚାରି ବୁଝିନେଲେ ଭଲ ହୁଅନ୍ତା।ଏମିତି ଭାବି ଦୋକାନୀ ପାଖକୁ ଚାଲି ଆସିଲି।
– ” ଭାଇ ! ଏ ନାଲି ଫ୍ରକଟିର ଦାମ୍ କେତେ ? ” ଫ୍ରକ ଆଡେ ହାତ ଠାରି ପଚାରିଲି।
ଦୋକାନୀ କୌଣସି ଉତ୍ତର ଦେଲାନାହିଁ।
ଦୋକାନୀ କ’ଣ ଜାଣିଗଲା କି ସେଇ ଫ୍ରକଟିର କିଣିବା ଯୋଗ୍ୟତା ମୋର ନାହିଁ ବୋଲି ! ମୁଁ ଟିକେ ସନ୍ଦେହରେ ପଡିଗଲି।
– ” ଭାଇ ! ଏ ନାଲି ଫ୍ରକଟିର ଦାମ୍ କେତେ ? ” ପୁଣି ପଚାରିଲି ମୁଁ।
– ” ତିନି ଶ’। ” ଦୋକାନୀ ଠୋସ୍ ଉତ୍ତର ଦେଲା।
ମୋ ମୁହଁ ଶୁଖିଗଲା।ମୁଣ୍ଡ ଝାଇଁ ଝାଇଁ ହୋଇଗଲା।ମୁଁ ଖସିବାର ବାଟ ଖୋଜିଲି।ଧୀରେଧୀରେ ଆଗକୁ ଆଗକୁ ପାଦ ପକାଇଲି।
– ” ଏଥର ଦରମା ମିଳିଲେ ତୋ ପାଇଁ ନିଶ୍ଚେ ନାଲି ଫ୍ରକ୍ ଆଣିଦେବି। ” ଘରେ ପହଞ୍ଚି ଝିଅକୁ କହିଲି।
ଝିଅ ଫିକ୍ ଫିକ୍ ହସିଲା।ମୁଁ କିନ୍ତୁ ଭିତରେ ଭିତରେ କାନ୍ଦି ପକେଇଲି।
ଏବେ ସବୁଦିନ କମ୍ପାନୀରୁ ଫେରିଲେ ଦୋକାନରେ ଝୁଲୁଥିବା ସେହି ନାଲି ଫ୍ରକଟିକୁ ଦେଖୁଥିଲି।କେହି ତାକୁ ନେଇ ନ ଯାଉ ଯେମିତି।ଦରମା ମିଳିବା ପର୍ଯ୍ୟନ୍ତ ସେଇଠି ସେଇମିତି ଥାଉ ସେ।ମନେମନେ ଠାକୁରଙ୍କୁ ଡାକିଲି।
ହେଲେ ଯେଉଁଦିନ ଦରମା ମିଳିଲା ଆସି ଦେଖିଲାବେଳକୁ ସେ ଫ୍ରକଟି ଆଉ ସେଠାରେ ନ ଥିଲା।ମୋ ଛାତି ଭିତରେ ଗୋଟେ ମୃଦୁ କମ୍ପନ ଖେଳିଗଲା।ପଚାରିଲାରୁ ଦୋକାନୀ କହିଲା – ” ଫ୍ରକଟି ଆଜି ବିକ୍ରି ହୋଇ ଯାଇଛି। ”
ମନଦୁଃଖରେ,ନିରାଶ ହୃଦୟରେ ଘରକୁ ଫେରିଲି।ହେଲେ ଘରେ ପହଞ୍ଚି ଦେଖିଲି ସେଇ ନାଲି ଫ୍ରକଟି ପିନ୍ଧି ମୋ ଝିଅ ଖେଳୁଥିଲା।ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା।
ଏତିକିବେଳେ ପତ୍ନୀ ପାଖରେ ପହଞ୍ଚି କହିଲେ – ” ଫ୍ରକଟି ଆମ ପଡୋଶୀ ମହାପାତ୍ର ବାବୁ ଦେଇଛନ୍ତି।ତାଙ୍କ ଝିଅ ପାଇଁ କିଣି ଆଣିଥିଲେ।ହେଲେ ସେ ପସନ୍ଦ କଲାନାହିଁ।ଫ୍ରକଟି ବି ତାକୁ ଛୋଟ ହେଲା।କହିଲେ – ନିଅ,ତୁମ ଝିଅକୁ ହେବ।ସେ ପିନ୍ଧିବ।ଏବେ ତା’ ଖୁସିକି ଦେଖ।ଓହ୍ଲାଇବାକୁ ଜମାରୁ ଇଚ୍ଛା କରୁନି ପରା। ”
ପତ୍ନୀଙ୍କ କଥାଶେଷରେ ମୋ ନିଃଶ୍ବାସ କେଉଁଠି ଅଟକିଯିବା ଭଳି ମୁଁ ଅନୁଭବ କଲି।ମୋର ପିତୃତ୍ବ ମୋତେ ବେଶ୍ ଫିକା ଦିଶୁଥିଲା।
ହେଲେ ନାଲି ଫ୍ରକରେ ବହୁତ ସୁନ୍ଦର ଦିଶୁଥିଲା ମୋ ଝିଅ।ହଁ,ବହୁତ ସୁନ୍ଦର ଦିଶୁଥିଲା।
“ ନିର୍ମାଲ୍ୟ “
ନୂଆପଡ଼ା, ନୟାବଜାର, କଟକ – ୦୪
ମୋ . – ୯୮୬୧୨୧୧୦୫୧
Comments are closed.