Latest Odisha News

BREAKING NEWS

ଗଳ୍ପ : ଆଇଁଷ ଚିନ୍ତା

ସତ୍ୟନାରାୟଣ ଗନ୍ତାୟତ

ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ’ଣ ଲୋ ଖାଉଚନ୍ତି ?

“ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି ” ସେମାନଙ୍କ କଥାରେ କଥା ଯୋଡେ ସୁତପା !

ଏଁ, ନନ୍ ଭେଜ୍ ଜମା ଖାଆନ୍ତିନି ? ଥରେ ବୁଲି ଆସିଥିବା ବେଳେ ପଚାରି ଦେଲା ତା କଳେଜ ବେଳର ସାଙ୍ଗ ଲଭଲୀନା ।
ନା’ ମ , ବାହା ହେବା ଆଗରୁ ପରା ଖାଲି ନନ୍ ଭେଜ୍ ଇ ଖାଉଥିଲେ । ହେଲେ ତା ପରଠୁ ତ ଯେତେ କହିଲେ ବି ଖାଲି ଉହୁଁ ଉହୁଁ ହେଉଛନ୍ତି !

“ତୋ ଭଳି ଆଇଁଷ ରଙ୍କୁଣୀ ବିଲେଇ ରାଣୀ ଭାଗ୍ୟରେ ତେବେ ଏଇଆ ଥିଲା ? ଆଃ ! ‘ ବୋଲି ସେ ଦୁଃଖରେ କହନ୍ତେ ସୁତପା କହିଲା : କାଇଁ, ମୋର କିଛି ଅସୁବିଧା ନାଇଁ ତ’ ! ବରଂ ମୋତେ ଆଇଁଷ ରାନ୍ଧିବା ଝିଞ୍ଜଟରୁ ମୁକ୍ତି ମିଳି ଯାଇଛି । ମୁଁ କେବଳ ତାଙ୍କ ପାଇଁ ହିଁ ଭେଜ୍ ଆଇଟମ୍ ବନାଏ ଓ ସେ ଅନ ଲାଇନରୁ ଭଳିକି ଭଳି ନନ୍ ଭେଜ୍ ଆଇଟମ୍ ମୋ ପାଇଁ ମଗାଇ ଦିଅନ୍ତି !!

କେବେ ଏ ନେଇ ପଚାରିନୁ ? ମାନେ ହେଲଥ୍ ରିଜନ୍ ନା ଆଉ କିଛି ?? ଲଭଲୀନା ନଛୋଡବନ୍ଧା ହୋଇ ପଚାରି ଚାଲନ୍ତେ ଅଗତ୍ୟା ତାକୁ କହିବାକୁ ବାଧ୍ୟ ହେଲା ସୁତପା ।

କଥା କଣ କି ଆମ ବାହାଘରମାନଙ୍କରେ ବି ନାନା ଅଜବ ଗଜବ ରୀତି ନୀତି ନଥାଏ କି ? ଏଇ ଯେମିତି ସେ କି ମୁଁ କେହି ଜମା ଜାଣି ନ ଥିଲୁ ଯେ କନ୍ୟା ବିଦା ବେଳେ କନ୍ୟା ଘର ଲୋକ ଜୀଅନ୍ତା ମାଛଟେ ମାଟି କଳସରେ ନେଇ ବର ଘରେ କନ୍ୟା ପହିଲି ପାଦ ଥାପିବା ଆଗରୁ ସେ କଳସଟିକୁ ମାଟିରେ କଚାଡି ଦେବେ !! କନ୍ୟା ବେଶରେ ମୋତେ ସିନା ଏ କଥ ମଜା ଲାଗିଲା,ହେଲେ ଆମ ବାବୁ ଜଳଚର ମାଛଟି ସ୍ଥଳରେ ପଡି ଛଟପଟ ହେବା ନେଇ ଢେର ଭାବି ବସିଲେ । ତା ପରେ ସେ ଯାଏଁ ନନ୍ ଭେଜ୍ ଗେଫି ଆସିଥିବା ବେଳେ କେବେ ଥରୁଟେ ବି ଭାବି ନ ଥିବା ବାବୁ ଜଣକ ହଠାତ ଭାବୁକରୁ ଏକରକମ ଦାର୍ଶନିକ ପାଲଟି ଗଲେ ଓ ସେଇ ମୁହୁର୍ତ୍ତରେ ହିଁ ଠିକ୍ କରିନେଲେ ଯେ ସେ କେବଳ ମାଛ ହିଁ ନୁହଁ ବରଂ ଏଣିକି ନନ୍ ଭେଜ୍ ଖାଇବା ବି ଛାଡିଦେବେ !!

ଆରେ ବାଃ, ତେବେ ଶାଗମାଛ ରନ୍ଧା ଦିନ ତ ଖାଇଥିବେ ନା ? ପୁଣି ପଚାରିଲା ସୁତପା ।

ହଁ ଶୁଣ୍, ସେଦିନ ସେ ମୁହଁ ଗମ୍ଭୀର କରି ମୋ ପରଷା ମାଛ ବେସର ଖାଇବା ଦେଖି ମୁଁ “ମୋ ରନ୍ଧା ତେବେ ପସନ୍ଦ ହେଲାନି” କହି ମୁହଁ ଆମ୍ବିଳା କରି ରହିବାରୁ ଅଗତ୍ୟା ମୋତେ ଏସବୁ କହିବାକୁ ବାଧ୍ୟ ହେଲେ ମ !”

ଓଃ, ଏମିତି କଥା, ଭଲ ମଣିଷଟେ ପାଇଛୁ ତେବେ, ତୁ ଲକି ଲୋ ସୁତପା ” କହିବା ସହ ଲଭଲୀନା କହିଲା,”ନନ୍ ଭେଜ୍ ନ ଖାଇ ଭେଜ୍ ଖାଇଲେ ବି ନ୍ୟୁଟ୍ରିସନ୍ ଇମ୍ୟୁନିଟି ସବୁ ଠିକଠାକ୍ ରହେ ମ , ବ୍ୟସ୍ତ ହେବାର କିଛି ନାଇଁ !!

ପୁଣି ଦିନରାତି ଗୁଡାଏ ଅଗଡମ୍ ବଗଡମ୍ ଗେଫିଲେ କଣ କଣ ନ ବଢେ ଯେ ? ଲୋଭୀ ନ ହୋଇ କମ୍ ଖାଉଛନ୍ତି , ଭଲ ଖାଉଛନ୍ତି ଠିକ୍ । ” ହୋମ୍ ସାଇନ୍ସ ପିଜିରେ ଟପର୍ ହୋଇଥିବା ଲଭଲୀନା ତା ମହାଜ୍ଞାନରୁ ମାଗଣା ପରାମର୍ଶ ଦେଇ ଯିବାକୁ ବାହାରିଲା।

ଯିବା ବେଳେ ହଠାତ ତା ଜଷ୍ଟ୍ ମ୍ୟାରେଡ୍ ସହେଲୀ ସୁତପା କାନରେ ଫିସଫିସ୍ କରି “ନନ୍ ଭେଜ୍ ନ ଖାଇଲେ କଣ ହେଲା ନନ୍ ଭେଜ୍ ମାଇଣ୍ଡସେଟ୍ କେମିତି ମେଣ୍ଟେନ୍ କରାଯାଏ ତା ତ ତୁମ ଦୁହିଁଙ୍କୁ ବେଶ୍ ଜଣା ନା !!” କହନ୍ତେ ସୁତପା ହସରେ ଫାଟି ପଡୁପଡୁ କହି ଉଠିଲା : ଧେତ୍ , ତୋ ମ୍ୟାରେଜ ହେବାର ତିନି ବର୍ଷ ପରେ ବି ଦେଖୁଚି ଲଭଲୀ ତୁ ଯୋଉ ଛୋପରିକୁ ସେଇ ଛୋପରିଟାଏ !!

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା: ୭୬୫୦୦୧.

Comments are closed, but trackbacks and pingbacks are open.